ମୁହଁରେ ଅସ୍ୱାଭାବିକ ଭାବେ ବଢୁଛି ମାଂସ ପିଣ୍ଡୁଳା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୋଡାପଡ଼ା ଗ୍ରାମର ବିଜୟ ପ୍ରଧାନଙ୍କ ବଡ଼ ଝିଅ ଗାୟତ୍ରୀ ପ୍ରଧାନ ବୟସ ୨୩ବର୍ଷ । ଜନ୍ମରୁ ତାଙ୍କ ବାମ ଆଖି ପତା ଉପରେ ଏକ ମାଂସ ପିଣ୍ଡୁଳା ବାହାରିଥିଲା । ଗାୟତ୍ରୀଙ୍କ ପିତାମାତା ସମୟ କ୍ରମେ ଏହି ମାଂସ ପିଣ୍ଡୁଳା ବସିଯିବ ବୋଲି ଆଶା କରିଥିଲେ । ହେଲେ ମାଂସ ପିଣ୍ଡୁଳା ବସିଯିବା ପରିବର୍ତ୍ତେ ଦିନକୁ ଦିନ ବଡ ଆକାର ହେବାକୁ ଲାଗିଲା । ବିଜୟ ପ୍ରଧାନ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ଦୁଇଓଳି ପରଘରେ ମୂଳ ଲାଗିଲେ ଯାଇକି ତାଙ୍କ ଘରେ ଚୁଲି ଜଳୁଛି । ପରିବାରରେ ପୁଣି ୫ପ୍ରାଣୀ କୁଟୁମ୍ବ । ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନ ବୟସ ୪୫ । ମଝିଆ ଝିଅ ମାନସୀ ପ୍ରଧାନ, ବୟସ ୧୯ ଓ ସେ ଦଶମ ଶ୍ରେଣୀ ଯାଏ ପଢ଼ିକି ଏବେ ମାଙ୍କୁ ଘର କାମରେ ସାହାଯ୍ୟ କରୁଛି । ସବୁଠାରୁ ସାନ ପୁଅ ନବୀନ ପ୍ରଧାନର ବୟସ ୧୭ବର୍ଷ ଏବଂ ସେ ବର୍ତ୍ତମାନ ଫିରିଙ୍ଗିଆ କଲେଜର ଦ୍ଵିତୀୟ ବର୍ଷର ଛାତ୍ର । ବିଜୟଙ୍କୁ ସରକାରୀ ସହାୟତା କହିଲେ କେବଳ ୫ ପ୍ରାଣୀଙ୍କୁ ୨୫କେଜି ପିଡ଼ିଏସ ଚାଉଳକୁ ଛାଡିଦେଲେ ଆଉ କିଛି ବି ମିଳୁନି । ଭୂମିହୀନ ବିଜୟ ନିଜ ବଡ଼ ଝିଅର ଚିକିତ୍ସା ପାଇଁ ଧାର କରଜ କରି ଅନେକ ସ୍ଥାନ ବୁଲେଇ ଥକି ପଡିଛନ୍ତି । ଝିଅ ଗାୟତ୍ରୀଙ୍କ ପାଠ ପଢିବା ପାଇଁ ପ୍ରବଳ ଇଛା, ହେଲେ ଏହି ସମସ୍ୟା ପାଇଁ ସେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ଆଉ ଆଗକୁ ପଢି ପାରିଲେ ନାହିଁ ।ମାଂସ ପିଣ୍ଡୁଳା ଆଖିକୁ ସମ୍ପୂର୍ଣ୍ଣ ଢାଙ୍କି ଦେବାରୁ ତାଙ୍କୁ ଦେଖିବାରେ ସମସ୍ୟା ଦେଖାଦେଲା । ଫଳ ସ୍ୱରୂପ ସେ ଅଧାରୁ ପାଠ ଛାଡି ଘରେ ବସିପଡିଲେ । ଗାୟତ୍ରୀଙ୍କ ଖବର ଗଣମାଧ୍ୟମରେ ପ୍ରକାଶିତ ହେବାପରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ବିଜୟ ପ୍ରଧାନଙ୍କ ପାସବହିରେ ୧୫,୦୦୦ଟଙ୍କା ଝିଅର ଚିକିତ୍ସା ପାଇଁ ପଠେଇଥିଲେ । ଜିଲାପାଳଙ୍କ ସହାୟତା ରାଶି ପାଇବା ପରେ ବିଜୟ ନିଜ ଝିଅର ଚିକିତ୍ସା ପାଇଁ ଅଣ୍ଟାଭିଡି ବ୍ରହ୍ମପୁର ସ୍ଥିତ ଆସ୍ତା ନାମକ ଏକ ଵେସରକାରୀ ଡାକ୍ତରଖାନାକୁ ନେଇକି ଯାଇଥିଲା । ହେଲେ ଟଙ୍କା ଅଭାବରୁ ଝିଅର ଚିକିତ୍ସା ଠିକରେ ହୋଇ ପାରିନଥିଲା l ସେଇଠୁ ଫେରିଲାର କିଛି ଦିନ ପରେ ଝିଅର ଅବସ୍ଥା ଆଗରୁ ଯେମିତି ଥିଲା ସେମିତି ହୋଇଗଲା । ଝିଅର ଏହି ଅବସ୍ଥା ଦେଖି ପରିବାର ଲୋକେ ଆହୁରି ଚିନ୍ତାରେ ଭାଙ୍ଗି ପଡିଲେ । କଣ କରିବେ କେମିତି ଝିଅର ଚିକିତ୍ସା ହେବ କାହାକୁ ସାହାଯ୍ୟ ମାଗିବେ କିଏ ସାହାଯ୍ୟ କରିବ ଏସବୁ କଥାକୁ ଭାବି ପିତାମାତା ଦିନ କାଟୁଥିବା ବେଳେ ଜାନୁଆରୀ ୨୩ ତାରିଖ ଦିନ ରାଜ୍ୟପାଳ କନ୍ଧମାଳ ଗସ୍ତରେ ଆସି ଫିରିଙ୍ଗିଆର ବିଭିନ୍ନ ଜାଗା ମଧ୍ୟ ପରିଦର୍ଶନ କରୁଥିବା ସମୟରେ ଫିରିଙ୍ଗିଆ ବ୍ଲକରେ ଉଭୟ ଗାୟତ୍ରୀ ଓ ପିତା ବିଜୟ ପ୍ରଧାନଙ୍କ ସହ ଭେଟ ହୋଇଥିଲା । ବିଜୟ ନିଜ ଝିଅର ସମସ୍ତ ଦୁଃଖର ଗାଥା ରାଜ୍ୟପାଳଙ୍କ ସମ୍ମୁଖରେ ବଖାଣିବା ପରେ ରାଜ୍ୟପାଳ ଝିଅକୁ ଧରି ଭୁବନେଶ୍ୱର ଆସ ବୋଲି ବିଜୟଙ୍କୁ କହିଲେ । ଭୁବନେଶ୍ୱରର ଏକ ଭଲ ମେଡିକାଲରେ ଝିଅକୁ ଚିକିତ୍ସା କରାଇବା ପାଇଁ ଭର୍ତ୍ତି କର, ତାର ସମସ୍ତ ଖର୍ଚ୍ଚ ମୁଁ ବୁଝିବି କହି ସେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ଝିଅକୁ କେମିତି ଭୁବନେଶ୍ୱର ନେବେ ରାଜ୍ୟପାଳଙ୍କ ସହିତ କେମିତି ଯୋଗାଯୋଗ କରିବେ ସେନେଇ ବଡ଼ ଚିନ୍ତାରେ ପଡିଛନ୍ତି ପରିବାର ସଦସ୍ୟ ଓ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗେଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ