ମୃତା ଝିଅର ସ୍ୱପ୍ନ ପୂରଣକଲେ ବାପା
ଝିଅ ସିନା ନାହିଁ, ତା’ର ସ୍ୱପ୍ନ ତ ଅଛି । ସୁନା ଝିଅର ମୃତ୍ୟୁ ସିନା ହୋଇଯାଇଛି, ସ୍ମୃତିରୁ କଣ ଝିଅ ଲିଭିଯାଇଛି । ୨୦ ବର୍ଷୀୟ ଝିଅ ନେହା ଆମ କାହାଣୀର ଏମିତି ଏକ ଚରିତ୍ର ଯିଏ ହୁଏତ ଏ ଦୁନିଆରେ ନାହିଁ, କିନ୍ତୁ ଅନେକଙ୍କ ହୃଦୟରେ ଏବେ ବି ନେହା ବଞ୍ଚିଛି । ହିମାଚଳ ପ୍ରଦେଶର ଘୁମାରବିରେ ଷ୍ଟେସନାରୀ ଦୋକାନ କରି ବ୍ୟବସାୟ କରୁଥିବା ୪୮ ବର୍ଷୀୟ ପବନ ବରୁରଙ୍କ ଜୀବନ ମାର୍ଚ୍ଚ ୧୪, ୨୦୧୫ ମସିହାରେ ବଦଳିଯାଇଥିଲା । ଏହିଦିନ ଏକ କାର ଦୁର୍ଘଟଣାରେ ପବନଙ୍କ ଗେହ୍ଲି ଝିଅ ନେହାର ମୃତ୍ୟୁ ହୋଇଯାଇଥିଲା । ନିଜ ଝିଅର ସଂସ୍କାର ପରେ ହରିଦ୍ୱାରରେ ଝିଅର ପିଣ୍ଡଦାନ କରିଥିଲେ । ପରିବାରର ସମସ୍ତ ସଦସ୍ୟ ହତବାକ ହୋଇଯାଇଥିଲେ । ଝିଅକୁ ନେଇ ଦେଖିଥିବା ଅନେକ ସ୍ୱପ୍ନ ସତରେ ଯେମିତି ଭାଙ୍ଗିଯାଇଥିଲା । ଘରକୁ ଫେରି ଯେତେବେଳେ ଝିଅର ଡାଏରୀ ପଢ଼ିଥିଲେ, ନିଜର ଇଚ୍ଛା ବାବଦରେ ନେହା ଲେଖିଥିଲା-ବଡ଼ ହେଲେ ବୃଦ୍ଧାଶ୍ରମଟିଏ ଖୋଲିବା ସହ ଗରିବ ପିଲାଙ୍କୁ ସାହାଯ୍ୟ କରିବେ । ଏହାକୁ ଦେଖି ନେହାଙ୍କ ବାପା ଭାବୁକ ହେବା ସହ ଝିଅର ଇଛାକୁ ସାକାର କରିବା ପାଇଁ ସଂକଳ୍ପ ନେଇଥିଲେ । ଏହା ପରେ ଝିଅ ନାମରେ “ନେହା ମାନବ ସେବା ସୋସାଇଟି’ ନାମକ ଅନୁଷ୍ଠାନଟିଏ ଗଠନ କରିଥିଲେ । ନିଜର ସାମର୍ଥ୍ୟରୁ କିଛି କିଛି ଟଙ୍କା ସଞ୍ଚୟ କରିଥିଲେ । ଅନ୍ୟମାନଙ୍କୁ ବୁଲିବୁଲି ସଂଗଠନ ପାଇଁ ସାହାଯ୍ୟ ମାଗିଥିଲେ । ଧୀରେ ଧୀରେ ଏହି ଅନୁଷ୍ଠାନରେ ସଦସ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ଏବେ ୭୦୦ ଜଣ ସଦସ୍ୟ ଥିବାବେଳେ ସମସ୍ତେ ମାସିକ କିଛି କିଛି ଟଙ୍କା ସାହାଯ୍ୟ କରିଥିଲେ । ଏବେ ଏହି ଅନୁଷ୍ଠାନ ପକ୍ଷରୁ ୮୦ ଜଣ ଗରିବ ପିଲାଙ୍କୁ ସାହାଯ୍ୟ ଦିଆଯାଉଛି । ଏହି ଅନୁଷ୍ଠାନ ପକ୍ଷରୁ ଏବେ ୫ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି । ଖୁବ ଶୀଘ୍ର ବୃଦ୍ଧାଶ୍ରମଟିଏ ଖୋଲାଯିବାର ଯୋଜନା ଥିବା ପବନ କହିଛନ୍ତି ।


