ମୃତ୍ତିକା ଦିବସ ଅବସରରେ “ତାରା” ଯୋଜନା ଶୁଭାରଂଭ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଚାଷୀର ଜୀବିକାକୁ ଆଦର୍ଶ କୃଷି ଉଦ୍ୟୋଗୀରେ ପରିଣତ କରିବା ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳରେ କୃଷିର ଋପାନ୍ତରିତ “ତାରା” କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରେରଣାରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ବ୍ୟାଙ୍କ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବିଭାଗର ବୈଷୟିକ ଓ ସରକାରୀ କାର୍ଯ୍ୟକ୍ରମର ସମନ୍ବୟରେ ଜିଲ୍ଲା ପରିଷଦ ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ,ପରିବେଶ ଓ ସଂସଦୀୟ ବ୍ୟାପାର ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଯୋଗଦେଇ କହିଥିଲେଯେ, ଗଞ୍ଜାମ ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା । ଏଠାକାର ଚାଷୀ ଖୁବ୍ ପରିଶ୍ରମୀ କୃଷି ଓ କୃଷି ଆନୁସଙ୍ଗୀକ ବିଭାଗର ଉନ୍ନତି ହେଲେ ଓଡିଶାର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ । ଅତୀତରେ ଖାଦ୍ୟପାଇଁ ଆମରାଜ୍ୟ ଅନ୍ୟରାଜ୍ୟ ମାନଙ୍କ ଉପରେ ନିର୍ଭର କରୁଥିଲା କିନ୍ତୁ ବର୍ତ୍ତମାନ ଆମରାଜ୍ୟ ଖାଦ୍ୟ ବଳକା ରାଜ୍ୟଭାବେ ପରିଗଣିତ । ଏଥିପାଇଁ ଆମ ରାଜ୍ୟ ସରକାର ପୁରସ୍କୃତ ହୋଇଛନ୍ତି । ଆଜି ଭଳି ଏହି ପବିତ୍ର ଦିବସରେ କୃଷି ତଥା କୃଷକର ଉନ୍ନତି ପାଇଁ “ତାରା” କାର୍ଯ୍ୟକ୍ରମ ଗଂଜାମ ଜିଲ୍ଲାରେ ଆରମ୍ଭ କରାଯାଇଛି । ଆଜି ମାର୍ଗସିର ମାସ ର ଆଜି ଗୁରୁବାର ଚାଷୀ ମାନେ ପ୍ରତ୍ୟେକ ଘରେ ଘରେ ମାଣବାସ ଗୁରୁବାର ପୂଜା କରିଛନ୍ତି l ଆଜିର ଦିନ ରେ ଚାଷୀ ମାନଙ୍କ ହିତ ନିମନ୍ତେ ଜ଼ିଲ୍ଲା ପ୍ରଶାସନ “ତାରା” ଯୋଜନା ହାତକୁ ତାହା ସ୍ୱାଗତ ପଦକ୍ଷେପ ବୋଲି ମନ୍ତ୍ରୀ କହିଥିଲେ l ଆଗାମୀ ଦିନରେ ସମସ୍ତ ବିଭାଗର ସମନ୍ବୟ ରକ୍ଷାକରି ଏହାକୁ କୋଣ ଅନୁକୋଣରେ ପହଞ୍ଚାଯାଇପାରିବ । ଅନ୍ୟତମ ଅତିଥିଭାବେ ଛତ୍ରପୁରର ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା ଯୋଗଦେଇ କହିଥିଲେଯେ,ମୃତ୍ତିକା କ୍ଷୟକୁ ରୋକି ମୃତ୍ତିକାର ସନ୍ତୁଳନ ରକ୍ଷା କରିବାପାଇଁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ପାରମ୍ପରିକ ଚାଷରୁ ଚାଷୀ କିପରି ଉଦ୍ୟୋଗୀ ହୋଇପାରିବ ସେଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇଛନ୍ତି ବୋଲି କହିଥିଲେ । କୃଷକ ସଶକ୍ତିକରଣ ଯୋଜନାରେ କୃଷିର ଉନ୍ନତି ହେଲେ ଦେଶର ଆର୍ଥିକ ମାନଦଣ୍ଡ ଉନ୍ନତ ହୋଇପାରିବ । ଗ୍ରାମାଞ୍ଚଳରେ କୃଷିର ଋପାନ୍ତରିତ କାର୍ଯ୍ୟକ୍ରମ ଉପସ୍ଥାପନ ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେଯେ ଚାଷୀର ଆୟକୁ ତିନି ବର୍ଷରେ କିପରି ଦ୍ବିଗୁଣିତରୁ ଅଧିକ କରାଯାଇପାରିବ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଜୀବୀକା ନିର୍ବାହୀ କୃଷିକୁ ବ୍ୟାବସାୟୀକ କୃଷିରେ ପରିଣତ କରିବା, ସମନ୍ବୀତ କୃଷି ଓ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର କରିବା, ଜମି ଓ ଜଳର ସୁବିନିଯୋଗ ନିମନ୍ତେ ଜୈବିକ କୃଷି ଓ ଆଧୁନିକ ଜଳସେଚନ ଉପକରଣର ବ୍ୟବହାର, ଚାଷୀକୁ କୃଷି ଉଦ୍ୟୋଗୀ କରିବା ଓ ଉତ୍ପାଦନକୁ ବଜାର ସଂଯୋଗୀକରଣ କରିବା, ଚାଷୀଙ୍କୁ ଗୋଟିଏ ସ୍ଥାନରୁ ଆବଶ୍ୟକ ସମସ୍ତ ସାମଗ୍ରୀ ଉପଲବ୍ଧ କରାଇବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ଜିଲ୍ଲାର ୫୦୩ ଗ୍ରାମ ପଞ୍ଚାୟତରୁ ଦଶଜଣ ଲେଖାଏଁ ମୋଟ୍ ୫୦୩୦ଜଣ ଚାଷୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାର ରମାସେଠୀ,ହରି ପଲେଇ,ହରିବନ୍ଧୁ ପ୍ରଧାନ, ସରସ୍ବତୀ ପ୍ରଧାନଆଦିଙ୍କୁ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଂକର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ସମବାୟବିତ ସୁଧୀର କୁମାର ରାଉତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାଶୀନାଥ ଖୁଣ୍ଟିଆ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଦିଗମ୍ବର ପଣ୍ଡା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।


