ମୃତ ମାଓବାଦୀଙ୍କ ମିଳିଲା ପରିଚୟ
ଫୁଲବାଣୀ: ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଗତ ୫ ତାରିଖରେ ସଂଗଠିତ ଏନକାଉଣ୍ଟରରେ ମୃତ ୪ ମାଓବାଦୀଙ୍କ ମଧ୍ୟରେ ୩ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ପରିଚୟ ସମ୍ପର୍କରେ କନ୍ଧମାଳ ଏସପି ପ୍ରତୀକ ସିଂହ ସ୍ପଷ୍ଟ କରିଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ସୁକ୍ରୁ ଜଣେ ଷ୍ଟେଟ କମିଟି ସଦସ୍ୟ ଥିବାବେଳେ ଆଉ ୨ ଜଣ ଇତେଶ ଓ ରୀନା ଏରିଆ କମିଟି ସଦସ୍ୟ ଥିଲେ । ଏନକାଉଣ୍ଟରରେ ମୃତ ଆଉ ଜଣେ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ । ପ୍ରକାଶ ଯେ, ଗତ ୫ ତାରିଖ ସକାଳେ କନ୍ଧମାଳ ତୁମୁଡ଼ିବନ୍ଧରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତୁମୁଡ଼ିବନ୍ଧ ଥାନାର ଶିର୍ଲା ଜଙ୍ଗଲରେ ଗୁଳିବିନିମୟ ହୋଇଥିଲା । ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିଲେ । ସେମାନଙ୍କ ଠାରୁ ୩ ଇନସାସ ରାଇଫଲ, ୧ ଦେଶୀ ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଡିଭିଏଫ ଓ ଏସଓଜି ଯବାନମାନେ ଅପରେସନ କରିଥିଲେ । ଗୁଇନ୍ଦା ସୂଚନା ଆଧାରରେ ମାଓ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା । ନିହତ ମାଓବାଦୀଙ୍କ ଉପରେ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆଜି ମଧ୍ୟ ଏନକାଉଣ୍ଟରରେ ଆଉ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ଟି ବନ୍ଧୁକ ଜବତ କରାଯାଇଛି ।


