ପଟ୍ଟାମୁଣ୍ଡାଇର ପାନ୍ତୁରୀ ଠାରେ ନୂତନ ଶିଳ୍ପାଞ୍ଚଳ ଘୋଷଣା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଗତି ତଥା ଶିଳ୍ପ ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ପାନ୍ତୁରୀଠାରେ ପ୍ରାୟ ୩୮.୮୮୪ ଏକର ପରିମିତ ଭୂମିକୁ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱତନ୍ତ୍ର ‘ଶିଳ୍ପାଞ୍ଚଳ’ ମାନ୍ୟତା ପ୍ରଦାନ କରାଯାଇଛି। ଗତ ୨୮ ଅକ୍ଟୋବରରେ ଏହି ସରକାରୀ ସ୍ୱୀକୃତି ମିଳିବା ପରେ ଜିଲ୍ଲାରେ ବ୍ୟାପକ କର୍ମନିଯୁକ୍ତି ଏବଂ ସ୍ଥାନୀୟ ଉଦ୍ୟୋଗୀକରଣ ପାଇଁ ବାଟ ଫିଟିଛି। ଜିଲ୍ଲା ପ୍ରଶାସନ, ରାଜ୍ୟ ଭିତ୍ତିଭୂମି ଉନ୍ନୟନ ନିଗମ ଏବଂ ଜିଲ୍ଲା ଶିଳ୍ପ ପୁଞ୍ଜିନିବେଶ ପ୍ରୋତ୍ସାହନ ସଂସ୍ଥାର ମିଳିତ ଉଦ୍ୟମରେ ଏହି ସଫଳତା ସମ୍ଭବ ହୋଇପାରିଛି। ପୂର୍ବରୁ ଉଦ୍ୟୋଗ ବିଭାଗର ଶାସନ ସଚିବ ତଥା କମିଶନର ରଶ୍ମିତା ପଣ୍ଡା ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ଗହଣରେ ଏହି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଭତ୍ତିଭୂମି ଯାଞ୍ଚ କରିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଏବଂ ରାଜ୍ୟ ଭିତ୍ତିଭୂମି ଉନ୍ନୟନ ନିଗମ ମଧ୍ୟରେ ଆନୁଷ୍ଠାନିକ ଜମି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହାପରେ ପ୍ରକଳ୍ପର କାର୍ଯ୍ୟକାରିତା ତଥା ବିକାଶ କାର୍ଯ୍ୟର ଅନୁଧ୍ୟାନ ନିମନ୍ତେ ଜିଲ୍ଲାପାଳ ସ୍ୱୟଂ ଉକ୍ତ ସ୍ଥାନକୁ ଯାଇ ନିରୀକ୍ଷଣ କରିଥିଲେ। ଏହି ନୂତନ ଶିଳ୍ପାଞ୍ଚଳରେ କାରଖାନା ସ୍ଥାପନ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ ମଞ୍ଜୁରୀ ବୈଠକରେ ୧୪ଟି କ୍ଷୁଦ୍ର, ଅଣୁ ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଚୂଡ଼ାନ୍ତ ଅନୁମତି ମିଳିଛି। ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୨୧.୬୧୭ ଏକର ଜମି ବଣ୍ଟନ ଅନୁମୋଦିତ ହୋଇସାରିଛି। ଏହି ସମସ୍ତ ଉଦ୍ୟୋଗ ପ୍ରତିଷ୍ଠା ହେଲେ ପ୍ରାୟ ୯୯.୨୦୪ କୋଟି ଟଙ୍କାର ବ୍ୟାପକ ପୁଞ୍ଜି ଖଟାଯିବ, ଯାହାଦ୍ୱାରା ଅଞ୍ଚଳର ପ୍ରାୟ ୧,୦୦୦ ଯୁବକଯୁବତୀଙ୍କ ନିମନ୍ତେ ପ୍ରତ୍ୟକ୍ଷ ରୋଜଗାର ତଥା କର୍ମନିଯୁକ୍ତିର ସୁବିଧା ସୃଷ୍ଟି ହୋଇପାରିବ। ପାନ୍ତୁରୀ ଶିଳ୍ପାଞ୍ଚଳର ଏହି ସଫଳତା କେବଳ ପଟ୍ଟାମୁଣ୍ଡାଇ ନୁହେଁ, ବରଂ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୀତିକୁ ସୁଦୃଢ଼ କରିବ। ଏହାଦ୍ୱାରା ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ନୂତନ ଦ୍ୱାର ଉନ୍ମୁକ୍ତ ହେବା ସହିତ ଜିଲ୍ଲାର ଆର୍ôଥକ ଅଭିବୃଦ୍ଧି ନୂତନ ଶିଖର ଛୁଇଁବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ