‘ମୋନା’ ପକ୍ଷରୁ ନିଶା ବିରୋଧରେ ସଚେତନତା ଶିବିର

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍): ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ, ବାଲେଶ୍ୱର ସହାୟତାରେ ରସାଳପୁର ଉଚ୍ଚବିଦ୍ୟାଳୟ ପରିସରରେ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ (ମୋନା), ବାଲେଶ୍ୱର ଶାଖା ପକ୍ଷରୁ ବିଦ୍ୟାଳୟସ୍ତରୀୟ ନିଶାବିରୋଧୀ ସଚେତନତା ଶିବିର ଆଇନ୍ଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ‘ମୋନା’ର ବରିଷ୍ଠ ଉପଦେଷ୍ଟା ରୋଟାରିଆନ୍ ସୁବ୍ରତ କର ଶିବିର ଆୟୋଜନର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କୁ ମାଲ୍ୟାର୍ପଣ ପରେ ସାଧାରଣ ସଂପାଦିକା ମମତା ମହପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିବିରରେ ମୁଖ୍ୟଅତିଥିଭାବେ ଉପଜିଲ୍ଲାପାଳ, ବାଲେଶ୍ୱର ନୀଲୁ ମହାପାତ୍ର ଯୋଗଦେଇ ତାଙ୍କ ବକ୍ତବ୍ୟର ନିଶାର ବ୍ୟାପକ ଅପବ୍ୟବହାରକୁ ରୋକାଯାଇପାରିଛି କିନ୍ତୁ ଏହାର କୁପ୍ରଭାବର ପ୍ରତିହତ କରିବାପାଇଁ ‘ମୋନା’ ପକ୍ଷରୁ ନିଶା ବିରୋଧୀ ଶିବିର ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ଶତପଥୀ ଉପଜିଲ୍ଲାପାଳ ସମେତ ସମସ୍ତଙ୍କୁ ସ୍ୱାଗତ ଜଣାଇ ନିଶା ବିରୋଧୀ ଶିବିର ଆୟୋଜନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲାସ୍ତରୀୟ ‘ମୋନା’ର କର୍ମକର୍ତ୍ତା ଡ. କ୍ଷିତିଶ୍ୱର ଦାଶ, ହେମଲତା ଦାସ, ପ୍ରଫୁଲ୍ଲ କୁମାର ଦାସ, କମଳାକାନ୍ତ ଦାଶ, ପ୍ରଣତି ମିଶ୍ର, ତ୍ରିଦିବ ନାୟକ, ଗୀତାଞ୍ଜଳି ସିଂହ ଓ ପୂର୍ଣ୍ଣଚନ୍ଦ୍ର ବେହେରା, ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନିଶାର ଅପକାରିତା ସମ୍ବନ୍ଧରେ ସଚେତନ କରାଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ପୁନମ୍ ବେହେରା, ସନ୍ତୋଷ କୁମାର ପାତ୍ର, ଶୁଭସ୍ମିତା ମହଲ ଓ ସରୋଜ କୁମାର ଶତପଥୀ ନିଶାର ଅପକାରିତା ବିଷୟରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶକ୍ତିସାଧନା ରାଉତ ନିଶାର ଭୟାବହତାର ଏକ ସୁନ୍ଦର ଉଦାହରଣ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ