ଯଶସ୍ୱୀ ଜନନେତା ଭାଗବତବାବୁଙ୍କ ଜୟନ୍ତୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ ଜନନାୟକ, ସର୍ବଜନପ୍ରିୟ ପ୍ରାକ୍ତନ ମନ୍ତ୍ରୀ ତଥା ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କର ୯୫ତମ ଜୟନ୍ତୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ୱର୍ଗତ ମହାନ୍ତିଙ୍କ ଜ୍ୟେଷ୍ଠପୁତ୍ର ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ମଦନମୋହନ ଦାସ ଯୋଗଦେଇ କେନ୍ଦ୍ରାପଡା ସହରର ତିନିମୁହାଣି- ନୂଆ ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାର କଜଳାସ୍ଥିତ ପୁରୁଣା ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱର୍ଗତ ମହାନ୍ତିଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ସ୍ୱର୍ଗତ ମହାନ୍ତିଙ୍କୁ ଜଣେ ବିଶିଷ୍ଟ ଜନନାୟକ ତଥା ସଚ୍ଚୋଟ୍ଟ ଓ ନୀତିନିଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଭାବରେ ଅଭିହିତ କରିଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କୁ ତାଙ୍କର ରାଜନୈତିକ ଆଦର୍ଶ ଓ ଗୁରୁ ଭାବରେ ବର୍ଣ୍ଣନା କରି ତାଙ୍କ ଦ୍ୱାରା ସେ ଅନୁପ୍ରାଣିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ବକ୍ତା ଭାବେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ଗୁଣାବଳୀ ବର୍ଣ୍ଣନା କରିବା ସହ ସେ ଜଣେ ସାହସୀ, ସ୍ପଷ୍ଟବାଦୀ ଓ ଦୃଢମନା ନେତୃତ୍ୱର ଅଧିକାରୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାକ୍ତନ ବିଧାୟକ ଅଲେଖ ଚନ୍ଦ୍ର ଜେନା ସାଂପ୍ରତିକ ରାଜନୀତିରେ ଭାଗବତବାବୁଙ୍କ ଆଦର୍ଶ ଅନୁକରଣୀୟ ହେଲେ ପ୍ରକୃତ ଗଣତନ୍ତ୍ର ର ମର୍ଯ୍ୟାଦା ରକ୍ଷା ହେବ ବୋଲି ସ୍ପଷ୍ଟମତ ରଖିଥିଲେ । ବିଜେଡି ନେତା ରବି ସାମଲ, ଅଧ୍ୟାପକ ଅଜୟ ରାଉତ, ପ୍ରାକ୍ତନ ନଗରପାଳ ଧିରେନ ସାହୁ, ବିଷ୍ଣୁ ଚରଣ ବାରିକ, ହଳଧର ସେଠୀ, ସାହିତ୍ୟିକ ଡଃ. ବାସୁଦେବ ଦାସ, ଡଃ ଅପର୍ଣ୍ଣା ମହାନ୍ତି ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ଗୁଣାବଳୀ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପ୍ରବୀର ମହାନ୍ତି, ନବଜ୍ୟୋତି ରାୟ, ଦେବଦାସ ମହାନ୍ତି, କାଉନସିଲର ରମେଶ ଚନ୍ଦ୍ର ଦାସ, ଚୈାଧୁରୀ ସୁକୁମାର ଦାସ, ପ୍ରଭାଶିଷ ପଣ୍ଡା, ଉମେଶ ନାୟକ, ଶ୍ୟାମା ପ୍ରସାଦ ମିଶ୍ର, ସୁଧିର କୁମାର ମହାନ୍ତି, ବାବୁ ପ୍ରତାପଙ୍କ ସମେତ ସ୍ୱର୍ଗତ ମହାନ୍ତିଙ୍କ ବହୁ ଶୁଭେଛୁ, ପରିବାରର ସଦସ୍ୟ, ଶିକ୍ଷାବୀତ, ଆଇନଜୀବୀ, ବରିଷ୍ଠ ରାଜନେତା, ସମାଜସେବୀ ଓ ବହୁ ବିଶିଷ୍ଟବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଦସ୍ୟ ତଥା ସୁଶିଲ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶରତ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ବସନ୍ତ କୁମାର ସେଠୀ, ଫକୀର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ବିଧୁଭୂଷଣ ମହାପାତ୍ର, ମୁକ୍ତାର ଖାଁ, ଦୟାନିଧି ଜେନା, ତରୁଣରଞ୍ଜନ ପ୍ରଧାନ, ସ୍ୱର୍ଗତ ମହାନ୍ତିଙ୍କ ପୁତ୍ରବଧୁ ଗାୟତ୍ରୀ ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।


