ଯୁକ୍ତ୨ ପରୀକ୍ଷା: ସିସିଟିଭି ନ ଲଗାଇଲେ କେନ୍ଦ୍ର ବାତିଲ
ଭୁବନେଶ୍ୱର : ଥରେ କି ଦୁଇ ଥର ନୁହେଁ; ୩ ଥର ଚିଠି ଲେଖାଯିବା ପରେ ବି କେତେକ ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଏପର୍ଯ୍ୟନ୍ତ ସିସିଟିଭି ଲଗାଇ ନାହାନ୍ତି । ବାରମ୍ବାର ତାଗିଦ ସତ୍ତ୍ୱେ ପରୀକ୍ଷା କେନ୍ଦ୍ର ହୋଇଥିବା କଲେଜଗୁଡ଼ିକ ଖାମଖିଆଲି ମନୋଭାବ ପୋଷଣ କରୁଥିବାରୁ ରବିବାର କଡ଼ା ଚେତାବନୀ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯଦି ଆସନ୍ତା ୪୮ ଘଣ୍ଟା ଅର୍ଥାତ ୨୫ ତାରିଖ ରାତି ୧୨ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ନ ଲଗାନ୍ତି ତେବେ ସେଠାରେ ପରୀକ୍ଷା କରାଯିବ ନାହିଁ । କେନ୍ଦ୍ର ବାତିଲ ହେବା ସହ ସରକାରୀ ନିୟମ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଚେତାବନୀ ଦେଇଛନ୍ତି । ଶ୍ରୀ ସାହୁ ଲେଖିଥିବା ଚିଠିରେ କହିଛନ୍ତି ଯେ ବାରମ୍ବାର କହିବା ସତ୍ତ୍ୱେ କିଛି ପରୀକ୍ଷା କେନ୍ଦ୍ର ସିସିଟିଭି ତଥ୍ୟ ଦେଇନାହାନ୍ତି । ପରୀକ୍ଷା ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାରୁ ତୁରନ୍ତ ସିସିଟିଭି ତଥ୍ୟ ଦାଖଲ କରନ୍ତୁ । ନ ହେଲେ ପରୀକ୍ଷା କେନ୍ଦ୍ର ବାତିଲ କରାଯିବା ସହ ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଉକ୍ତ କଲେଜକୁ ଟ୍ୟାଗ କରାଯିବ ।
ଯୁକ୍ତ୨ ପରୀକ୍ଷା ହେବାକୁ ଥିବା ସମସ୍ତ ୧୧୪୨ ପରୀକ୍ଷା କେନ୍ଦ୍ର ପାଇଁ ସୁପରିଟେଣ୍ଡେଣ୍ଟ ନିଯୁକ୍ତ କରାଯାଇଛି । ଯେଉଁ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ପରୀକ୍ଷା କେନ୍ଦ୍ର ହୋଇଛି ସେଠାର ଅଧ୍ୟକ୍ଷ ହିଁ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତ ହେବେ । ଯଦି ସୁପରିଟେଣ୍ଡେଣ୍ଟଙ୍କ ସମ୍ପର୍କୀୟ ଏହି ପରୀକ୍ଷାରେ ସାମିଲ ହୋଇଥିବେ ସେଭଳି ସ୍ଥିତିରେ ଅଧ୍ୟକ୍ଷମାନେ କଲେଜର ଜଣେ ବରିଷ୍ଠ ଟିଚିଂ ଷ୍ଟାଫଙ୍କୁ ସୁପରିଟେଣ୍ଡେଣ୍ଟ ଭାବେ ନିୟୋଜିତ କରିପାରିବେ । ନିୟମ ଅନୁଯାୟୀ ପ୍ରତି କେନ୍ଦ୍ରରେ ଡେପୁଟି ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବେ ।
ଅନ୍ୟପକ୍ଷରେ ଏହି ସପ୍ତାହରେ ପରୀକ୍ଷା ପରିଚାଳନା ହବ (ଇଏମଏଚ)ଗୁଡ଼ିକୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ । ପ୍ରଶ୍ନପତ୍ର ରଖିବା ପାଇଁ ହବରେ ଗୋଟିଏ ଷ୍ଟ୍ରଙ୍ଗ ରୁମ ରହିବ । ଯେଉଁଥିରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ । ପ୍ରଶ୍ନପତ୍ର ପହଞ୍ଚିବାଠାରୁ ସମସ୍ତ ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ କେନ୍ଦ୍ର ଏବଂ ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ-୧ଙ୍କ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ଏହି ଷ୍ଟ୍ରଙ୍ଗରୁମ ଚାଲୁରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଅସ୍ଥାୟୀ ଟ୍ରେଜରର ବୋଲି ଘୋଷଣା କରାଯିବ । ସବୁ ହବ ଚାରିପାଖରେ ରାତିରେ ପୁଲିସ ପେଟ୍ରୋଲିଂ ହେବ । ସବୁ ଷ୍ଟ୍ରଙ୍ଗ ରୁମରେ ଦୁଇଟି ଲେଖାଏ ତାଲା ପଡ଼ିବ । ଗୋଟିଏ ତାଲାର ଚାବି ହବ ସୁପରଭାଇଜର ଓ ଅନ୍ୟଟିର ଚାବି ହବର ଡେପୁଟି ସୁପରଭାଇଜରଙ୍କ ନିକଟରେ ରହିବ । ପରିଷଦଠାରୁ ପ୍ରଶ୍ନପତ୍ର ଗ୍ରହଣ କରିବା ସମୟରେ ସିସିଟିଭିରେ ତାହା ରେକଡିଂ ହେବା ଆବଶ୍ୟକ । ପ୍ରଶ୍ନପତ୍ର ଗ୍ରହଣ କଲେ ବୋଲି ଉଭୟ ସୁପରଭାଇଜର ଓ ଡେପୁଟି ସୁପରଭାଇଜର ଦସ୍ତଖତ କରିବେ । ହବରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା କର୍ମୀ ରହିବେ । ପ୍ରଶ୍ନପତ୍ର ପ୍ୟାକେଟଗୁଡ଼ିକ ଯେପରି ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚେ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ହବ ସୁପରଭାଇଜରଙ୍କୁ କୁହାଯାଇଛି ।