ଯୋଡାର ପ୍ରସିଦ୍ଧ ଲକ୍ଷ୍ମୀପୂଜା ମେଳା

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): ଉତର ଓଡିଶାର ବୃହତ ମେଳା ଭାବେ କେନ୍ଦୁଝର ଜିଲାର ଯୋଡା ଲକ୍ଷ୍ମୀପୂଜା ବେଶ ପ୍ରସିଦ୍ଧି ଲାଭ କରିଛି । ଉପାନ୍ତ ଅଂଚଳ ଯୋଡା , ପଡୋଶୀ ରାଜ୍ୟ ଝାଡଖଣ୍ଡ ସମେତ , ମୟୁରଭଂଜ ଓ ସୁନ୍ଦରଗଡ ଜିଲାରୁ ଅସଂଖ୍ୟ ଶ୍ରଦ୍ଧାଳୁ ଏହି ମେଳାକୁ ବୁଲିବାକୁ ଆସନ୍ତି । ୧୯୪୮ ମସିହାରୁ ଦୀର୍ଘ ୭୧ ବର୍ଷ ଧରି ଏହିପୂଜା ଓ ମେଳା ଅନୁଷ୍ଠିତ ହୋଇଆସୁଛି । ଦୀର୍ଘ ୬୮ ବର୍ଷ ହେବ ସୁନ୍ଦର ସୁସଜିତ ମେଢରେ ମା ଲକ୍ଷ୍ମୀଙ୍କ ମୃଣମୟୀ ମୂର୍ତି ନିର୍ମାଣ କରାଯାଇ ପୂଜା କରାଯାଉଥିଲା । ତେବେ ଗତ ୩ ବର୍ଷ ହେବ ୨୦୧୬ ମସିହାଠାରୁ ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ଅଧିଷ୍ଠାତ୍ରୀ ଦେବୀ ମହାଲକ୍ଷ୍ମୀଙ୍କୁ ସ୍ଥାୟୀ ଭାବେ ପୂଜା କରାଯାଉଛି । ଚଳିତ ବର୍ଷ ଲକ୍ଷ୍ମୀ ପୂଜା ମେଳା ଅତି ଜାକଜମକରେ ଯୋଡାରେ ଆରମ୍ଭ ହୋଇଛି । ମୀନାବଜାର, ମନୋହରୀ ଦୋକାନ, ବାସନକୁସନ, ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରସିଦ୍ଧ ହ୍ୟାଣ୍ଡଲୁମ୍‌, ଆଚାର, ସୁସ୍ୱାଦୁ ଖାଦ୍ୟ, ମାଟିହାଣ୍ଡି ମଟନ, ଚାଟ, ଭେଲପୁରୀ, ରୋଲ ପ୍ରଭୃତି ଦୋକାନ ସମ୍ଭାର ସହିତ ମେଳାରେ ବିଭିନ୍ନ ଦୋଳି ଓ ମନ୍ଦିରର ପ୍ରାଙ୍ଗଣରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଖଣି ନିଲାମ ଓ ବିଭିନ୍ନ ଖଣି ବନ୍ଦ ହେତୁ ମେଳାରେ ମାନ୍ଦାଅବସ୍ଥାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ରାତିବେଳେ ପରିବହନ ଟ୍ରକଗୁଡିକ ବହୁଳ ମାତ୍ରାରେ ରାସ୍ତାରେ ବିଶୃଙ୍ଖଳିତ ଭାବେ ଲୁହାପଥର ପରିବହନ କରୁଥିବାରୁ ଏବଂ ଟ୍ରାଫିକ ଜାମ୍ ସମସ୍ୟା ସୃଷ୍ଟି ହେଉଥିବାରୁ ଯୋଡାର ଆଖପାଖ ଅଂଚଳ ଯଥା- ବିଲେଇପଦା, ରିମୁଳି, ଚମ୍ପୁଆ, ଭଦ୍ରାସାହି, ବଡବିଲ, ଗୁଆଲି, ବଲାଣି, ଜୁରୁଡି, ବାମେବାରୀ, କାଳିମାଟି , ଜଜାଙ୍ଗ, କମଳପୁର ପ୍ରଭୃତି ଅଂଚଳରୁ ଲୋକେ ଆସିବା ପାଇଁ ଭୟ କରୁଛନ୍ତି । ଯୋଡା ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୁଜା କମିଟିର ସଭାପତି ଦୁଶାସନ ସାହୁ ଓ ସଂପାଦକ ନିଳମଣି ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଏହି ମେଳା ୧୦ ଦିନ ଧରି ଚାଲିବ । ମେଳାରେ ଶ୍ରଦ୍ଧାଳୁଙ୍କ ପାଇଁ କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କମିଟି ପକ୍ଷରୁ ସ୍ୱେଛାସେବୀ ଏବଂ ଯୋଡା ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଛି । ମେଳାରେ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି । ମେଳାରେ କଂସାବାସନ ଦୋକାନୀ ଅର୍ଜୁନ ବିଶ୍ୱକର୍ମା, ଚୁଡି ଦୋକାନୀ ମହମ୍ମଦ ସଲିମ୍ , ହ୍ୟାଣ୍ଡଲୁମ ଦୋକାନୀ ସୌକତ ଅଲ୍ଲି, ଷ୍ଟେସନାରୀ ଦୋକାନୀ ବିଶ୍ୱଜିତ ହାନସଦା ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବହୁ ବର୍ଷ ଧରି ସେମାନେ ଏହି ମେଳାରେ ଦୋକାନ ଦେଇଆସୁଛନ୍ତି । ପୂର୍ବରୁ ସେମାନଙ୍କର ଯେପରି ବ୍ୟବସାୟ ହେଉଥିଲା ଗତ ୩ରୁ୪ବର୍ଷ ହେବ ଖଣି ବନ୍ଦ ହେତୁ ତାଙ୍କ ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଇଛି । ଚଳିତ ବର୍ଷ ମଧ୍ୟ ସେହି ସମାନ ଅବସ୍ଥା ଦେଖାଦେଇଛି । ବହୁ ସଂଖ୍ୟାରେ ଲୋକମାନେ ମେଳାକୁ ବୁଲିବାକୁ ଆସୁଛନ୍ତି ସତ କିନ୍ତୁ କମ୍ ଲୋକ ସାମଗ୍ରୀ କିଣୁଥିବା ସେମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ