ଯୋଡା ଫ୍ଲାଏଓଭର ନିର୍ମାଣର ଶୁଭାରମ୍ଭ; ଜନସାଧାରଣଙ୍କ ସହଯୋଗ ଲୋଡିଲେ ପ୍ରଶାସନ
ଯୋଡା,(ସମୀର କୁମାର ଦାସ) : ଯୋଡା ସହରରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫ୍ଲାଏଓଭର ପ୍ରକଳ୍ପ । ଯୋଡା, ବାଂଶପାଣି, ଜୁରୁଡି, ବାମେବାରୀ ପ୍ରଭୃତି ଅଂଚଳର ଜନସାଧାରଣ ବାରମ୍ବାର ଟ୍ରାଫିକ ସମସ୍ୟା ହେତୁ ବାଇପାସ୍ କିମ୍ବା ଫ୍ଲାଏଓଭରର ଦାବି କରିଆସୁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦ୍ଘାଟନ କରିଥିଲେ । ରବିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଏହାର ଭୂମିପୂଜନ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଚମ୍ପୁଆ ବିଧାୟୀକା ମୀନାକ୍ଷୀ ମହାନ୍ତ, ବଡବିଲ ତହସିଲଦାର ଆଲୋକ ପଟେଲ, ଯୋଡା ପୌରପାଳିକା ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ ଲିମିଟେଡ ର ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ସାହୁ, ଯନ୍ତ୍ରୀ ଧନେଶର ମାଝୀଙ୍କ ସମେତ ଚେଭ୍ରକ୍ସ କମ୍ପାନୀର ପ୍ରକଳ୍ପ ସମନ୍ୱୟ ଅଧିକାରୀ ଭିପୁଲ ବାରୋଟ, କମ୍ପାନୀର ମାନବ ସମ୍ବଳ ଅଧିକାରୀ ଭାଗିରଥୀ ପଣ୍ଡା ଭୂମିପୂଜନ ଓ ଫ୍ଲାଏଓଭର କାର୍ଯ୍ୟ ଆରମ୍ଭରେ ଉପସ୍ଥିତ ଥିଲେ । ଫ୍ଲାଏଓଭର ନିର୍ମାଣ ସମ୍ପର୍କରେ ଓବିସିସିଏଲ୍ର ନିର୍ବାହୀ ଯନ୍ତ୍ରୀ ସାହୁ ସୂଚନା ଦେଇ କହିଥିଲେ ଯେ, ନିର୍ମାଣର ସମ୍ପୁର୍ଣ୍ଣ କାର୍ଯ୍ୟ ଅବଧି ୩୦ ମାସ ଧାର୍ଯ୍ୟ କରାଯାଇଛି । ୨.୮୭୫ କି.ମି ଲମ୍ବ ଏହି ଫ୍ଲାଏଓଭର ୩ ଲେନ୍ ବିଶିଷ୍ଟ ହେବ । ଏହାର ଖର୍ଚ୍ଚ ଡିଏମ୍ଏଫ୍(ଡ୍ରିଷ୍ଟିକ୍ଟ ମିନେରାଲ ଫାଉଣ୍ଡେସନ) ପକ୍ଷରୁ କରାଯିବ । ସାହୁ କହିଥିଲେ ଯେ, ଶିଳ୍ପ ସଂସ୍ଥା ବିଆରପିଏଲ ର ଖଣିଜ ସ୍ଲୋରି ପାଇପଲାଇନ, ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ପାଇପଲାଇନ, ଟେଲିଫୋନ ଲାଇନ, ବିଦ୍ୟୁତ ଖୁନ୍ଟ ଏବଂ ବନବିଭାଗର ଗଛ ଏହି ଫ୍ଲାଏଓଭରକୁ ଆରମ୍ଭ କରିବାରେ ମୁଖ୍ୟ ବାଧକ ସାଜିଛି । କେବଳ ବିଆରପିଏଲ୍ ର ମୋଟା ସ୍ଲୋରି ପାଇପଲାଇନ ୨ କି.ମି ଏହି ନିର୍ମାଣଧୀନ ପ୍ରକଳ୍ପ ରାସ୍ତାର ପାଶ୍ୱର୍ରେ ରହିଛି । ଯଦିଓ ପୌରପାଳିକା ପକ୍ଷରୁ ଜବରଦଖଲ ଜମି ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଫ୍ଲାଏଓଭର ନିର୍ମାଣ କାର୍ଯ୍ୟକୁ ଠିକାରେ ପାଇଥିବା ଗୁଜୁରାଟର ଚେଭ୍ରକ୍ସ କମ୍ପାନୀର ମାନବ ସମ୍ବଳ ଅଧିକାରୀ ପଣ୍ଡା ସୂଚନାଦେଇ କହିଥିଲେ ଯେ, ଫ୍ଲାଏଓଭର ନିର୍ମାଣରେ ପ୍ରଶାସନିକ ସହଯୋଗ ଓ ଅଂଚଳବାସୀଙ୍କ ସହଯୋଗ ମିଳିଲେ ୧୮ ମାସ ମଧ୍ୟରେ ଏହି ଫ୍ଲାଏଓଭରକୁ ସମ୍ପୁର୍ଣ୍ଣ କରିବାପାଇଁ ଠିକା କମ୍ପାନୀ ଚେଷ୍ଟା କରିବ । ଏହି ଫ୍ଲାଏଓଭର ପାଇଁ ଉଚ୍ଛେଦ ହେଉଥିବା ଜନସାଧାରଣଙ୍କ ପାଇଁ ଥଇଥାନ ବ୍ୟବସ୍ଥା ସମ୍ପର୍କରେ ବିଧାୟୀକା ମହାନ୍ତଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପ୍ରଶାସନିକ ସ୍ତରରେ ଆଲୋଚନା କରାଯିବ । ଅଂଚଳବାସୀଙ୍କ ପାଇଁ ଏହା ଏକ ଡ୍ରିମ ପ୍ରଜେକ୍ଟ ହୋଇଥିବାରୁ ଫ୍ଲାଏଓଭର ନିର୍ମାଣକୁ ଜନସାଧରଣ ସମ୍ପୁର୍ଣ୍ଣ ସହଯୋଗ ଦେବା ଉଚିତ । ସୂଚନାଯୋଗ୍ୟ ଯେ, ଏହି ଫ୍ଲାଏଓଭର ନିର୍ମାଣ ସମୟରେ, ଡାଏଭର୍ସନ ରୋଡ ତିଆରି ନହେଲେ ଗମନାଗମନ କ୍ଷେତ୍ରରେ ଜନସାଧାରଣ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେବେ । ଯୋଡା ଠାରୁ ବାମେବାରୀ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଉପୁଜିବ । ଯୋଡା ପୌରପାଳିକାର ୮ ଗୋଟି ୱାର୍ଡ ଦେଇ ଏହି ଫ୍ଲାଏଓଭର ନିର୍ମାଣ ହେବ ବୋଲି ନିର୍ବାହୀ ଅଧିକାରୀ ପାଟ୍ଟଯୋଶୀ କହିଛନ୍ତି ।


