ରକ୍ତ ପରୀକ୍ଷା ପାଇଁ ନାହିଁ ସ୍ଵତନ୍ତ୍ର ବ୍ୟବସ୍ଥା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବର୍ତ୍ତମାନ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟକୁ ଅନ୍ ଲାଇନ୍ ମାଧ୍ୟମରେ ପୂରଣ କରିବା ପାଇଁ ସରକାରରଙ୍କର କଡ଼ା ନିର୍ଦ୍ଦେଶ ରହିଛି I ତେଣୁ ଗତ ମାସରୁ ପ୍ରଧାନ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ୟୁଡାଇସ୍ ଫର୍ମ ପୂରଣ କରିବାରେ ବ୍ୟସ୍ତ ଅଛନ୍ତି I ୟୁଡାଇସ୍ ରେ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ତ ତଥ୍ୟ ସହିତ ଛାତ୍ରଛାତ୍ରୀଙ୍କ ଜନ୍ମ ତାରିଖ, ପିତାମାତା, ଜାତି, ପାଇଥିବା ସୁବିଧା ସୁଯୋଗ, ବିଦ୍ୟାଳୟରେ ଉପସ୍ଥିତି,ପରୀକ୍ଷା ଫଳ, ରକ୍ତ ଗୃପ୍ ଆଦିର ତଥ୍ୟ ପ୍ରଦାନ କରାଯାଉଛି I ଏସବୁ ମଧ୍ୟରୁ ପାଖାପାଖି ସମସ୍ତ ତଥ୍ୟ ବିଦ୍ୟାଳୟ ସ୍ତରରେ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ରକ୍ତ ଗୃପ୍ ତଥ୍ୟ ପାଇଁ ପ୍ରଧାନ ଶିକ୍ଷକ ମାନେ ହରଡ଼ ଘଣାରେ ପଡିଛନ୍ତି I ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ରକ୍ତ ଗୃପ୍ ପରୀକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କିମ୍ବା ମାର୍ଗଦର୍ଶିକା ନଥିବା ବେଳେ ୟୁଡାଇସ୍ କିପରି ଏହି ତଥ୍ୟ ପୂରଣ କରିବେ ତାହା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି I କିଛି ବିଦ୍ୟାଳୟ କର୍ତ୍ତୁପକ୍ଷ ସ୍ଥାନୀୟ କିଛି ବେସରକାରୀ ଫାର୍ମାସିଷ୍ଟ ସହ ଯୋଗାଯୋଗ କରି ବିଦ୍ୟାଳୟରେ ରକ୍ତ ପରୀକ୍ଷା କରାଉଛନ୍ତି I ତେବେ ବିଦ୍ୟାଳୟର କେଉଁ ଅନୁଦାନରୁ ଏହି ରକ୍ତ ପରୀକ୍ଷା ଖର୍ଚ୍ଚ ଭରଣା କରାଯିବ ସେ ନେଇ କୌଣସି ବିଭାଗୀୟ ନିର୍ଦ୍ଦେଶ ନଥିବାରୁ ବିଦ୍ୟାଳୟ କର୍ତୃପକ୍ଷ ରକ୍ତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଠାରୁ ୩୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଆଦାୟ କରୁଛନ୍ତି I ତେବେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଚାନ୍ଦା ଆଦାୟ ବେଆଇନ୍ ହୋଇଥିବା ବେଳେ କିଛି ପ୍ରଧାନ ଶିକ୍ଷକ ଦ୍ୱନ୍ଦରେ ରହି ପିଲାଙ୍କ ରକ୍ତ ପରୀକ୍ଷା ରିପୋର୍ଟ୍ ଶୀଘ୍ର ଦେବା ପାଇଁ ଅଭିଭାବକମାନଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି I ତେଣୁ ବହୁ ଅଭିଭାବକ ନିଜର ପୁଅ ଝିଅକୁ ଧରି ବିଭିନ୍ନ ଘରୋଇ ରକ୍ତ ପରୀକ୍ଷା କେନ୍ଦ୍ରକୁ ଦୌଡ଼ୁଥିବା ଦେଖିବାକୁ ମିଳିଛି I ତେବେ ସରକାର ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁ୍ଥିବା ବେଳେ ଛାତ୍ରଛାତ୍ରୀଙ୍କ ସାମାନ୍ୟ ରକ୍ତ ଗୃପ୍ ପରୀକ୍ଷା ପାଇଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା କରିନଥିବା ଯୋଗୁଁ ଏହାର ଲାଭ ରକ୍ତ ପରୀକ୍ଷା ନାମରେ ବହୁ ଅନଭିଜ୍ଞ ଘରୋଇ ଫାର୍ମାସିଷ୍ଟ ଉଠାଉଥିବା ଦେଖିବାକୁ ମିଳିଛି, ଯାହା ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି I କିଛି ବିଦ୍ୟାଳୟରେ ରକ୍ତ ପରୀକ୍ଷା ରିପୋର୍ଟ ନପାଇ ତଥ୍ୟ ପୂରଣ ବେଳେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ବିକଳ୍ପ ତଥ୍ୟ ଦେଉଥିବା ଦେଖିବାକୁ ମିଳିଛି I ତେଣୁ ଉଭୟ ଶିକ୍ଷା ବିଭାଗ ଏବଂ ସ୍ଵାସ୍ଥ୍ୟ ବିଭାଗ ବିଦ୍ୟାଳୟ ସ୍ତରରେ ସାମୂହିକ ଭାବେ ଛାତ୍ରଛାତ୍ରୀଙ୍କ ମାଗଣା ରକ୍ତ ପରୀକ୍ଷା ପାଇଁ ଅଭିଭାବକ ମହଲରେ ଦାବି ହୋଇଛି I


