ରତ୍ନସିଂହାସନ ପଥର ଗାଏବ ହୋଇନି: ଏଏସଆଇ
ପୁରୀ: ମହାପ୍ରଭୁଙ୍କ ରତ୍ନ ସିଂହାସନ ପଛରୁ ଶାଳଗ୍ରାମ ଗାଏବ ନେଇ ଉଠିଥିବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ।ରତ୍ନ ସିଂହାସନ ପଦ୍ମପାଖୁଡ଼ାରୁ ପଥର ଗାଏବ ହେବା ଘଟଣାକୁ ନେଇ ତୁମ୍ବିତୋଫାନ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଏଏସଆଇ ଅଧିକାରୀମାନେ ଏହି ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ରତ୍ନ ସିଂହାସନର ପୁରୁଣା ଫଟୋ, ବିଗତ ବର୍ଷର ଫଟୋ ଓ ଚଳିତ ବର୍ଷର ଚାରମାଳ ସମୟର ଫଟୋ ମଧ୍ୟ ଦେଖାଇଥିଲେ । ସବୁଗୁଡ଼ିକୁ ମେଳ କରାଯାଇଥିଲା । ତେବେ ଏହାର ତଦନ୍ତ ଚାଲିଛି ଏବଂ ରିପୋର୍ଟ ଆସିବା ପରେ ସବୁ ଜଣାପଡ଼ିବ ବୋଲି କହିଛନ୍ତି କ୍ରିଷନ କୁମାର । ବୈଠକରେ ଶ୍ରୀମନ୍ଦିର ଗର୍ଭଗୃହକୁ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏଣିକି ଗର୍ଭଗୃହକୁ କାହା ଭରସାରେ ଖୋଲା ଛାଡ଼ି ଦିଆଯିବ ନାହିଁ । ଗର୍ଭଗୃହରେ ଲାଗିଥିବା ପ୍ରତିଟି ପଥର ଓ ରତ୍ନ ସିଂହାସନର ଏକ ପ୍ରାମାଣିକ (ଡକ୍ୟୁମେଣ୍ଟସନ) ତଥା ଭିଡିଓଗ୍ରାଫି କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଏହା କେଉଁ ସମୟରେ କରାଯାଇପାରିବ ସେ ନେଇ ସେବକଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ସେହିଭଳି ଏଣିକି ଗର୍ଭଗୃହ ମରାମତି ବେଳେ ଏଏସଆଇ ବୈଷୟିକ ଦଳ ଓ କର୍ମଚାରୀଙ୍କୁ ଏକୁଟିଆ ଛଡ଼ାଯିବ ନାହିଁ । ସେମାନଙ୍କ ସହିତ ସେବକଙ୍କ ଏକ ପ୍ରତିନିଧି ଦଳ ଉପସ୍ଥିତ ରହିବେ ।


