ରଥଯାତ୍ରାର ଆଠଗୋଟି ଅଙ୍ଗ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଲୀଳାମୟ ଶ୍ରୀପୁରୁଷୋତ୍ତମ, ଭକ୍ତବତ୍ସଳ ଭାବଗ୍ରାହୀ ଶ୍ରୀଜଗନ୍ନାଥ, ଜ୍ୟେଷ୍ଠ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ତଥା ଶ୍ରୀସୁଦର୍ଶନଙ୍କୁ ନେଇ ପୁଣ୍ୟ ନୀଳାଚଳ ଧାମରେ ମାନବୀୟ ଲୀଳା କରି ଆସୁଛନ୍ତି। ମହାପ୍ରଭୁ ନୀଳାଦ୍ରି ଠାକୁର ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଭାଇ, ଭଉଣୀ ଓ ଶ୍ରୀସୁଦର୍ଶନଙ୍କ ସହ ନବଦିନାତ୍ମିକ ଯାତ୍ରା କରିଥାନ୍ତି । ଏହି ଯାତ୍ରାକୁ ରଥଯାତ୍ରା, ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରାଦି ନାମରେ ନାମିତ କରାଯାଇଛି। ବିଭିନ୍ନ ମତରେ ଏହି ଯାତ୍ରାର ଆଠଗୋଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ଏହାର ପ୍ରଥମ ବିଧି ହେଉଛି ସ୍ନାନ ଉତ୍ସବ, ଦ୍ୱିତୀୟଟି ଅନବସର, ତୃତୀୟ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ, ଚତୁର୍ଥ ଶ୍ରୀଗୁଣ୍ଡିଚା, ପଞ୍ଚମ ହେରାପଞ୍ଚମୀ, ଷଷ୍ଠ ଆଡ଼ପ ପର୍ବ, ସପ୍ତମ ବାହୁଡ଼ା ଯାତ୍ରା ଏବଂ ଅଷ୍ଟମଟି ନୀଳାଦ୍ରି ବିଜେ । ପୁନରାୟ ଏହି ରଥଯାତ୍ରାକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି। ଯଥା: ଏକ ଅନ୍ତର୍ବେଦୀ, ଦୁଇ ମହାବେଦୀ ମହୋତ୍ସବ, ତିନି ଆଡ଼ପ ଉତ୍ସବ, ଚାରି ଦକ୍ଷିଣାମୁଖୀ ଉତ୍ସବ ଓ ପାଞ୍ଚ ନୀଳାଦ୍ରି ବିଜେ । ଏହାକୁ ଗୁଣ୍ଡିଚା ପଞ୍ଚକ କୁହଯାଏ ।

ଉପରୋକ୍ତ ଅଷ୍ଟ ଅଙ୍ଗ ମଧ୍ୟରୁ ଚତୁର୍ଥ ଅଙ୍ଗ ବା ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତି ତିନି ଗୋଟି ସୁସଜ୍ଜିତ ରଥରେ ନିଜର ଜନ୍ମ ସ୍ଥାନକୁ ନବଦିନ ପାଇଁ ଯାତ୍ରା ଆରମ୍ଭ କରିଥାନ୍ତି। ଉକ୍ତ ନଅ ଦିନ ମଧ୍ୟରୁ ସାଧାରଣତଃ ଘୋଷଯାତ୍ରା ଓ ବାହୁଡା଼ ଯାତ୍ରାକୁ ବାଦଦେଲେ ସାତ ଦିନ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁମାନେ ଅବସ୍ଥାନ କରିଥାନ୍ତି। ଏହି ମନ୍ଦିରକୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପାଟରାଣୀ ତଥା ଶ୍ରୀଜଗନ୍ନାଥଙ୍କ ମା’ ଗୁଣ୍ଡିଚା ଦେବୀଙ୍କ ନାମ ଅନୁସାରେ ନାମିତ ହୋଇଛି। କିନ୍ତୁ ଦାରୁବ୍ରହ୍ମଙ୍କ ବିଗ୍ରହ ନିର୍ମାଣ ପୂର୍ବରୁ ଏହା ଏକ ମଣ୍ଡପ ଥିଲା ବୋଲି କଥିତ ରହିଛି। କିନ୍ତୁ ପୁରାଣମାନଙ୍କରେ ଏହି ମଣ୍ଡପକୁ ଆଡ଼ପ ମଣ୍ଡପ ବୋଲି ବର୍ଣ୍ଣନା କରାନଯାଇ ଯଜ୍ଞବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ କରାଯାଇଛି ଏଵଂ ଶ୍ରୀଚୈତନ୍ୟ ଚରିତାମୃତରେ ଏହି ସ୍ଥାନକୁ ନିତ୍ୟ ବୃନ୍ଦାବନ ବୋଲି ମଧ୍ଯ କୁହାଯାଇଛି।

ଶ୍ରୀଜଗନ୍ନାଥଙ୍କ ପାବନ ରଥଯାତ୍ରା ମଧ୍ୟ ଜ୍ୟୋତିଷିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବହନ କରେ। ପବିତ୍ର ଘୋଷଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଅବଧିକୁ ବୈଦିକ ଜ୍ୟୋତିର୍ବିଦମାନେ ଅନ୍ୟ ଏକ ମତ ପ୍ରଦାନ କରିଛନ୍ତି। ସେହିମାନଙ୍କ ମତ ଅନୁସାରେ ଜ୍ୟୋତିଷିକ ତତ୍ତ୍ୱରେ ଗ୍ରହଜଗତ ନଅଗୋଟି ଗ୍ରହଙ୍କୁ ନେଇ ଗଠିତ ହୋଇଛି । ଯଥା- ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ । ଯେତେବେଳେ ଚତୁର୍ଦ୍ଧାମୂର୍ତ୍ତି ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଛାଡ଼ି ଘୋଷଯାତ୍ରାରେ ନବଦିନ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ; ଏହି ଯାତ୍ରା ମଧ୍ୟରେ ଶ୍ରୀଜଗନ୍ନାଥ ସପ୍ତାହର ପ୍ରତ୍ୟେକ ବାରମାନଙ୍କୁ ଆବୃତ୍ତ କରିଥାନ୍ତି। ସେହିଦିନ ଗୁଡିକ ଗ୍ରହମଣ୍ଡଳର ଗ୍ରହମାନଙ୍କ ନାମରେ ନାମିତ। ଯେପରି ରବିଙ୍କ ଉଦ୍ଦେଶ୍ୟରେ ରବିବାର, ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୋମବାର, ମଙ୍ଗଳଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର, ବୁଧଙ୍କ ଉଦ୍ଦେଶ୍ୟରେ ବୁଧବାର, ଦେବଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଗୁରୁବାର, ଶୁକ୍ରଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଓ ଶନିଙ୍କ ଉଦ୍ଦେଶ୍ୟରେ ଶନିବାର। ଏ ମାସର ଶୁକ୍ଳ ତୃତୀୟା ତିଥିରେ ଯେଉଁ ବାର ପଡ଼େ , ସେହିଦିନ ଶ୍ରୀଜଗନ୍ନାଥ ସେହିବାରର ପ୍ରତୀକ ଗ୍ରହଙ୍କ ରୂପେ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି । ଯେପରି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଘୋଷଯାତ୍ରା ଦିନ ରବିବାର ହେଲେ ତୃତୀୟା ଦିନଟି ସୋମବାର ହୋଇଥାଏ । ଉକ୍ତ ତୃତୀୟାଠାରୁ ଶ୍ରୀଜଗନ୍ନାଥ ଆଗାମୀ ରବିବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପ୍ରତ୍ୟେକ ଗ୍ରହଙ୍କ ନିର୍ଦ୍ଦିଷ୍ଟ ଗ୍ରହ ସ୍ୱରୂପରେ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି । ଯେପରି ସୋମବାର ଦିନ ଚନ୍ଦ୍ରଙ୍କ ସ୍ୱରୂପରେ, ମଙ୍ଗଳବାର ଦିନ ମଙ୍ଗଳଙ୍କ ସ୍ୱରୂପରେ, ବୁଧବାର ଦିନ ବୁଧଙ୍କ ସ୍ୱରୂପରେ, ଗୁରୁବାର ଦିନ ବୃହସ୍ପତିଙ୍କ ସ୍ୱରୂପରେ, ଶୁକ୍ରବାର ଦିନ ଶୁକ୍ରଙ୍କ ସ୍ୱରୂପରେ, ଶନିବାର ଦିନ ଶନିଙ୍କ ସ୍ୱରୂପରେ ଓ ରବିବାର ଦିନ ରବିଙ୍କ ସ୍ୱରୂପରେ। କିନ୍ତୁ ରାହୁ ଏବଂ କେତୁ ଉଭୟ ଛାୟାଗ୍ରହ ହେତୁ ଏମାନଙ୍କ ସ୍ୱତନ୍ତ୍ର ବାର ନଥାଏ । ତେଣୁ ପ୍ରଥମ ଘୋଷଯାତ୍ରା ଓ ଶେଷ ବାହୁଡ଼ା ଏ ଦୁଇ ଦିବସକୁ ରାହୁ ଓ କେତୁଙ୍କ ପାଇଁ ନିର୍ଦ୍ଦିଷ୍ଟ ନିର୍ଣ୍ଣୟ କରି ଗ୍ରବରାଜ ରୂପେ ପୂଜା ମଧ୍ୟ କରାଯାଏ ।

ଶ୍ରୀବିଗ୍ରହମାନେ ଯେତେ ବେଳେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିଥାନ୍ତି। ସେ’ ସମୟରେ ଦର୍ଶନାର୍ଥୀ ତଥା ଭକ୍ତମାନେ ସେଠାରେ ସମବେତ ହେବା ପୂର୍ବକ ବ୍ରତ ପାଳନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ତ୍ରିକାଳ ଦର୍ଶନ କରିବାର ପ୍ରଶସ୍ତି ରହିଛି। ସେଭଳି ମଧ୍ୟ ସନ୍ଧ୍ୟା ବା ରାତ୍ରିକାଳୀନ ଦର୍ଶନରେ ମହାପୂଣ୍ୟ ହୋଇଥାଏ ବୋଲି ପୁରାଣ ଓ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ରହିଛି। ଯଥା :
ଦିବତଦ୍ ଦର୍ଶନଂ ପୁଣ୍ୟଂ ରାତ୍ରୌ ଦଶଗୁଣଂ ଭବେତ୍
ସପ୍ତାହଂ ଯୋ ନରୋନାରୀ ନ ସା ପ୍ରାକୃତ ମାନୁଷୀ । (ସ୍କନ୍ଧ/୩୪ ଅଧ୍ୟାୟ)
ଅତ୍ର ସ୍ଥଳେ ନକ୍ତକାଳେ ଯେ ପଶ୍ୟନ୍ତି ସୁପ୍ପୂଜିତାନ୍
ବୈକୁଣ୍ଠ ଭ୍ୱନେ ନିତ୍ୟ୍ଂ ତେ ବସନ୍ତି ନ ସଂଶୟଃ । (ବାମଦେବ ସଂହିତା, ୧୭ ଅଧ୍ୟାୟ)

ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ କଲେ ଅତ୍ୟନ୍ତ ପୁଣ୍ୟ ମିଳିଥାଏ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଶ୍ରୀବିଗ୍ରହମାନଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ ପୂଜା ବା ଦର୍ଶନ କଲେ ଯେଉଁ ଫଳ ମିଳିଥାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ପ୍ରାପ୍ତ ହୁଏ। ବିଶେଷତଃ ରାତ୍ରିକାଳୀନ ଏକ ଦିନର ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ। ଏଣୁ କୁହାଯାଇଛି: ” ନୀଳାଦ୍ରୌ ଶତବର୍ଷାଣି ଆଡ଼ପେ ମଣ୍ଡପେ ଦିନେ “। ଏହି ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ , ଦୀପ ପ୍ରଜ୍ଜ୍ୱଳନ , ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରିଥିବା ଜଣାଯାଏ। ଏହି ପ୍ରଥା ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଅଛି। ବିଶ୍ୱାସ ରହିଛି ଯେ ଉକ୍ତ ନବମୀ ତିଥିରେ ଭକ୍ତରାଜ ଶ୍ରୀହନୁମାନ ଏଵଂ ଶ୍ରୀରାମଙ୍କ ପରମ ମିତ୍ର ଶ୍ରୀବିଭୀଷଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସନ୍ଧ୍ୟା ସମୟରେ ଆସିଥାନ୍ତି। ଉକ୍ତଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ବଢିବାପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହାପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି।

ଦର୍ଶନ ଅଧ୍ୟାପକ
ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ
କବିସୂର୍ଯ୍ୟ ନଗର, ଗଞ୍ଜାମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ