ରାଇଘାଟିରେ କର୍ମଚାରୀ ଅଭାବରୁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ରାଇଘାଟି ଠାରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କର୍ମଚାରୀ ନିଯୁକ୍ତି ହେଉନଥିବାରୁ ଏ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି । ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଦ୍ୱାରା କେ ବାଲିପାଳ ଭଳି ଏକ ଅପହଞ୍ଚ ଇଲାକାର ୬ହଜାରରୁ ଉର୍ଦ୍ଧ ଲୋକ ଚିକିତ୍ସା ସୁବିଧା ପାଇଥାନ୍ତି । ଏମାନେ ବଣପାହାଡ ଘେରା ଅଞ୍ଚଳରେ ତôବାରୁ ଓ ଡାକ୍ତରଖାନା ଯିବା ଏମାନଙ୍କ ପକ୍ଷେ ଅସମ୍ଭବ ହୋଇଥିବାରୁ ଅଧିକାଶଂ ରୋଗୀମାନେ ପ୍ରାଥମିକ ସୁବିଧା ପାଇ ପାରିଥାନ୍ତି । ଏଠାରେ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଜଣେ ମହିଳା ଓ ଜଣେ ପୁରୁଷ ସ୍ୱାସ୍ତ୍ୟକର୍ମୀ ନିଯୁକ୍ତି ହେବାକଥା । କିନ୍ତୁ ଦୀର୍ଘ ଦୁଇବର୍ଷ ହେଲା କେବଳ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଉପକେନ୍ଦ୍ରଟି ଚାଲିଛି । ଏହି ଉପକେନ୍ଦ୍ର ଅଧିନରେ ଥିବା ୯ଗୋଟି ଗ୍ରାମରେ ୪ଟି ଟୀକାକରଣ କେନ୍ଦ୍ର ରହିଛି । ପ୍ରତ୍ୟେକ ମାସର ବୁଧବାରରେ ଟୀକାକରଣ, ମଙ୍ଗଳବାର ଓ ଶୁକ୍ରବାରରେ ମମତା ଦିବସ ପାଳନ କରାଯିବାର ନିୟମ ରହିଛି । ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଏତେସବୁ କାର୍ଯ୍ୟକମ କରାଯିବା ସମ୍ଭବପର ହୋଇପାରୁନି । ଆଖପାଖ ଉପକେନ୍ଦ୍ରରୁ କର୍ମଚାରୀ ମାନଙ୍କୁ ଅଣାଯାଇ କିଛି କିଛି କାର୍ଯ୍ୟକ୍ରମ କରାଯାଉଥିଲେବି ତାହାର ସଫଳ ରୁପାୟନ ଠିକ ଭାବରେ ହୋଇପାରୁନି । ଏହି ପଞ୍ଚାୟତର ଦୁଇଟି ଗ୍ରାମ ଯଥା ମଲ୍ଲିପସି ଓ ସରମୁଣ୍ଡି ଗ୍ରାମ ଦୁଇଟି ହଦଗଡ ଜଳଭଣ୍ଡାରର ଅପରପାଶ୍ୱର୍ରେ ଥିବାରୁ ଠାକୁରମୁଣ୍ଡା ନଚେତ କପ୍ତିପଦା ଦେଇ ୧୨୦କିଲୋମିଟର ଦୁର ବୁଲି ବୁଲି ଯିବାକୁ ପଡୁଛି । ଯାହାଦ୍ୱାରା ଏହି ଗ୍ରାମର ଲୋକମାନେ କିପରି ସ୍ୱାସ୍ଥ୍ୟସେବା ପାଉଥିବେ ତାହା ସହଜରେ ଅନୁମେୟ । ହାଟଡିହି ବ୍ଲକର ସର୍ବାଧିକ ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଚିତ ଏହି ପଞ୍ଚାୟତର ଲୋକମାନଙ୍କ ସ୍ୱାସ୍ତ୍ୟସେବା ପାଇବାପାଇଁ ଜିଲ୍ଲା ସ୍ୱାସ୍ତ୍ୟ ବିଭାଗ ପକ୍ଷରୁ ଏଠାରେ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।


