ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇ ବିଶ୍ୱଭୂଷଣ କୋଟିଆ ଆନ୍ଦୋଳନରେ ସାମିଲ ହୁଅନ୍ତୁ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):କୋଟିଆ ପ୍ରସଙ୍ଗରେ ବିଜେପି ପର୍ଯ୍ୟଟନ ରାଜନୀତି ବନ୍ଦ କରୁ ଏବଂ ଆନ୍ଧ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ବିଶ୍ୱଭୂଷଣ ହରିଚନ୍ଦନ କୋଟିଆ ଆନ୍ଦୋଳନରେ ସାମିଲ ହୁଅନ୍ତୁ ବୋଲି ‘ଆମ ଅଧିକାର’ ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ରାଜ୍ୟ ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନା ଓ ସଞ୍ଜୟ ପରିଡ଼ା ପ୍ରମୁଖ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଦୋମୁହାଁ ରାଜନୀତିର ପର୍ଦ୍ଦାଫାଶ କରିଛନ୍ତି । ବିଜେଡ଼ି ସହ ଦୁଇ ଦୁଇଥର ସରକାରରେ ଥିବାବେଳେ ରାଜସ୍ୱ ବିଭାଗ ଦାୟିତ୍ୱରେ ବିଜେପିର ମନ୍ତ୍ରୀମାନେ ଥିଲେ ମଧ୍ୟ ସେମାନେ କେତେଥର କୋଟିଆ ଅଞ୍ଚଳ ଗ୍ରସ୍ତ କରିଛନ୍ତି, ସେଠାକାର ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଓ ସମାଧାନ ଦିଗରେ କି କି ଠୋସ ପରାମର୍ଶ, ପ୍ରସ୍ତାବ ବା ଯୋଜନା ପ୍ରଣୟନ କରିଛନ୍ତି, ତାର ହିସାବ ରାଜ୍ୟଶାଖା ବିଜେପି ପ୍ରଦାନ କରୁ ବୋଲି ସେମାନେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୬ ମସିହାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ସରକାରରେ ଅଂଶୀଦାର ଥିବା ବିଜେପି ଏଥିନେଇ କୌଣସି ପଦକ୍ଷେ ଗ୍ରହଣ କରିନଥିଲା ବେଳେ ଏବେ ଯେଉଁ ଅଭିଯୋଗ ବାଢୁଛି ତଦ୍ଦ୍ୱାରା ବିଜେପି ଦୋଷମୁକ୍ତ ହୋଇପାରିବ ନାହିଁ । ସେହିପରି ବିଜେଡ଼ି ବିଧାୟକଙ୍କ ସମର୍ଥନରେ ରାଜ୍ୟସଭା ସାଂସଦ ହୋଇଥିବା ବିଜେପିର ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ନୀରବ ଏବଂ ନିରୁର୍ଦ୍ଦିଷ୍ଟ କାହିଁକି ତାହାର ଜବାବ ବିଜେପି ଦେବାର ସତସାହସ ଅଛି କି? ସେହିପରି କୋଟିଆ ପ୍ରସଙ୍ଗରେ ରାଜ୍ୟ ବିଜେପି ପକ୍ଷରୁ ନାନାଦି ନାଟକବାଜୀ ଚାଲିଛି । ବିଜେପିର ନେତୃବୃନ୍ଦ ରାଜନୈତିକ ଫାଇଦା ଲୁଟିବା ଲକ୍ଷ୍ୟରେ ଦଳବଳ ନେଇ ସେଠାକୁ ପିକ୍ନିକ୍ କରିବାକୁ ଯିବା ହାସ୍ୟାସ୍ପଦ । ଓଡ଼ିଶା ବିଜେପିର ଯଦି ସତରେ ଆନ୍ତରିକତା ଅଛି ଓ ଓଡ଼ିଶାର ଅଖଣ୍ଡତା ତଥା ଅସ୍ମିତା ପ୍ରତି ଅଙ୍ଗିକାରବଦ୍ଧତା ଅଛି, ତେବେ ଦଳ ତାଙ୍କ ନେତାଙ୍କୁ ଏହି ପ୍ରସଙ୍ଗରେ ରାଜ୍ୟପାଳ ପଦବୀରୁ ଓହରାଇ ଆଣିବାକୁ ପ୍ରସ୍ତାବ ଦେବ କିମ୍ବା ଅନୁରୋଧ କରିପାରିବ କି? ଆମେ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସିଧାସଳଖ ପ୍ରଶ୍ନ କରିବାକୁ ଚାହୁଁ ଯେ, ସେ ନିଜକୁ ଜଣେ ଓଡ଼ିଶାପ୍ରେମୀ ଓ ପାଇକଯୋଦ୍ଧା ବୋଲି ଦାବି କରନ୍ତି, ଓଡ଼ିଶା ପ୍ରସଙ୍ଗରେ ଆନ୍ଧ୍ରର ଆଚରଣ ଏକ ଆକ୍ରମଣ ନୁହେଁ କି? ଏଭଳି ଆକ୍ରମଣର ସେ ଅଂଶିଦାର ହେଲେ ଇତିହାସ ତାଙ୍କୁ କେବେ ବି କ୍ଷମା କରିବ ନାହିଁ । ତେଣୁ ଏପରି ଓଡ଼ିଶାର ଅସ୍ମିତା ଉପରେ ହେଉଥିବା ଆକ୍ରମଣରେ ନୀରବଦ୍ରଷ୍ଟା ସାଜିବା ମୌନମ୍ ସମ୍ମତି ଲକ୍ଷଣମ୍ ବୋଲି ଧରିନିଆଯିବ କି? ଯଦି ସତସାହସ ଓ ବିବେକ ବୋଲି କିଛି ଅଛି ପରିଣତ ବୟସରେ ରାଜ୍ୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଚୌକି ଲୋଭ ପରିତ୍ୟାଗ କରି ଏହି ପ୍ରସଙ୍ଗରେ ପ୍ରତିବାଦ ସୂଚକ ରାଜ୍ୟପାଳ ପଦରୁ ଇସ୍ତଫା ଦିଅନ୍ତୁ ଓ ଓଡ଼ିଆଙ୍କ ଯୁଦ୍ଧରେ ସାମିଲ ହୁଅନ୍ତୁ । ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗକୁ ବଳପୂର୍ବକ ଛଡ଼ାଇ ନେବାର ଘୃଣ୍ୟ ଉଦ୍ୟମ କରୁଥିବା ଆନ୍ଧ୍ର ସରକାରର ମୁଖିଆ ରହି ଯଦି ସେ ଅନ୍ତରାତ୍ମାର ଆବାଜ ଶୁଣିପାରୁ ନାହାଁନ୍ତି, ତେବେ ସ୍ୱାଭିମାନୀ ଓଡ଼ିଆ ଯୁବସମାଜ ତାଙ୍କୁ ମଧ୍ୟ ଧିକ୍କାର କରିବା ସହ ଓଡ଼ିଶା ଆସିଲେ ବିରୋଧ କରିବାକୁ ଘୋଷଣା କରୁଛି । ଓଡ଼ିଶା ଉପରେ ଆନ୍ଧ୍ରର ଏହି ଅବୈଧ ଦାଦାଗିରିକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ । ଏଥିପାଇଁ ଆମ ଅଧିକାର ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ ପ୍ରତିନିଧି ମଣ୍ଡଳୀ ଆଗାମୀ ସପ୍ତାହରେ କୋଟିଆ ଅଞ୍ଚଳ ଗ୍ରସ୍ତ କରିବା ସହ ଏହାକୁ ରାଜ୍ୟସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ଏବଂ ଏ ପ୍ରସଙ୍ଗରେ ରାଜ୍ୟ ତମାମ ଜନମତ ସୃଷ୍ଟି କରାଯିବା ସହ ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେମାନେ ଘୋଷଣା କରିଛନ୍ତି ।


