୨୭ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ସ୍ଥିତ ଡାକ୍ତରଖାନା ପଡିଆ ଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ୨୭ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଜେସିସି ଭଦ୍ରକ ସହିତ କଟକର ନିମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜେସିସି ଭଦ୍ରକକୁ ହରାଇ ନିମପୁର କଟକ ସେମିରେ ପ୍ରବେଶ କରିଛି । ନିମପୁର କଟକ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୫ଓଭରରେ ୯ ଉଇକେଟ ହରାଇ ୧୮୬ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ବିକ୍ରମ ସାମଲ ବ୍ୟକ୍ତିଗତ ୩୫ଟିବଲରୁ ୪୪ରନ ଓ ଗିରିଜା ରାଉତ ୪୮ଟି ବଲରୁ ୩୨ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ଅଭିଜିତ ଗାହାଣ ୫ଓଭର ବୋଲିଂ କରି ୧୦ରନ ଦେଇ ୩ଟି ଉଇକେଟ ପାଇଥିଲେ । ଜବାବରେ ଜେସିସି ଭଦ୍ରକ ୨୪.୪ଓଭରରେ ସମସ୍ତ ଉଇକେଟ ହରାଇ ୧୮୨ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଦଳପକ୍ଷରୁ କ୍ଷମାସାଗର ବଳ ୨୧ଟି ବଲରୁ ୫୦ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ମିହିର ଦାସ ୫ଓଭର ବୋଲିଂ କରି ୨୮ରନ ଦେଇ ୪ଟି ଉଇକେଟ ପାଇଥିଲେ । ମ୍ୟାନ ଅଫଦି ମ୍ୟାଚ ଭାବେ ମିହିର ଦାସଙ୍କୁ ପୁରସ୍କୃତ କରାଯାଇଥିଲା । ଶରତ ଚନ୍ଦ୍ର ଜେନା ଓ ସଂଜୟ ଶତପଥି ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଅଜୟ ରାଉତ, ତନୁଜ କୁମାର ସାହୁ ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ, ଯଶୋବନ୍ତ ସାମଲ ଧାରାବିବରଣୀ ପ୍ରଦାନ କରିଥିଲେ । ରବିବାର ପ୍ରଥମ ସେମି ଫାଇନାଲ ମ୍ୟାଚ ନିମପୁର କଟକ ସହିତ ୟୁନିକ ଏକାଡେମୀ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।


