ରାଜ୍ୟ ସରକାରଙ୍କ ନୂଆ କରୋନା କଟକଣା: ବିବାହ କାର୍ଯ୍ୟରେ ୨୦୦, ଶୁଦ୍ଧିକ୍ରୟାରେ ୫୦ ଙ୍କୁ ଅନୁମତି
ଭୁବନେଶ୍ୱର, (ୱାଇଏନ୍ଏସ୍): କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କର ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ ପୂର୍ବରୁ ବାହାଘରରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି ମିଳୁଥିବା ବେଳେ ଏବେ ଏହି ସଂଖ୍ୟା ୨୦୦ କରି ଦିଆଯାଇଛି । ସେହିପରି ଅନ୍ତିମ ସଂସ୍କାର ଓ ଶୁଦ୍ଧିକ୍ରିୟା ସମୟରେ ୫୦୦ ଲୋକଙ୍କ ବଦଳରେ ୫୦ ଜଣ ଯୋଗଦେଇପାରିବେ । ବାହାଘର ଓ ଶୁଦ୍ଧିକ୍ରିୟା କାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ । ଅତିଥିମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ, ସେଥିପାଇଁ ଆୟୋଜକଙ୍କୁ ନଜର ରଖିବାକୁ ପଡ଼ିବ । ଅତିଥିମାନେ ଯଦି ମାସ୍କ ପିନ୍ଧି ନଥାନ୍ତି, ତା’ହେଲେ ପ୍ରବେଶ ପଥରେ ସେହିମାନଙ୍କୁ ମାସ୍କ ଯୋଗାଇ ଦେବାକୁ ପଡ଼ିବ । ନୂଆ କଟକଣା ମାର୍ଚ୍ଚ ମାସ ୨୬ ତାରିଖ ଠାରୁ ଲାଗୁ ହେବ ବୋଲି କୁହାଯାଇଛି । ନୂଆଁ ମାର୍ଗଦର୍ଶିକାରେ କୁହାଯାଇଛି ଯେ, କାର୍ଯ୍ୟକ୍ରମ ସ୍ଥଳରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ସେହିପରି ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯିବ । ହାତଧୋଇବା ପାଇଁ ସାବୁନ ଓ ପାଣି ଏବଂ ସାନିଟାଇଜର ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତିର ସମୀକ୍ଷା କରିଥିଲେ । କରୋନା ସ୍ଥିତିକୁ ନେଇ ନିୟମିତ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ କୋଭିଡ୍ ଗାଇଡଲାଇନକୁ କଡାକଡି ଭାବେ ଲାଗୁ କରିବା ଉପରେ ଗୁରୁତ୍ୱ ଦେବା ସହ କଂଟାକ୍ଟ ଟ୍ରେସିଂ ଏବଂ ଟେଷ୍ଟିଂ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପ୍ରଶସନକୁ ନିର୍ଦ୍ଦେଶ ଦେଇଥିଲେ ।


