ରାଜ୍ୟ ସ୍କାଉଟସ୍ ଓ ଗାଇଡସ୍ ସଂସ୍ଥାରେ ‘ବସନ୍ତ ଦିବସ ପାଳନ’
ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ପୂର୍ବତନ ସଭାପତି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସକୁ ‘ବସନ୍ତ ଦିବସ’ ରୂପେ ରାଜ୍ୟ କାର୍ଯ୍ୟାଳୟ ତରଫରୁ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଶ୍ରୀ କାଳିପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଶାନ୍ତି ବାର୍ତା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇ ସେହି ମହାନ ବ୍ୟକ୍ତିତ୍ୱର ସ୍ମୃତ୍ୟାର୍ଥେ ବିଭିନ୍ନ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩୦ ଜଣଙ୍କୁ ଜିଲ୍ଲା ଏବଂ ରାଜ୍ୟସ୍ତରରେ ସ୍କାଉଟିଂର ଉନ୍ନତି ଲାଗି ‘ବସନ୍ତ ବିଶ୍ୱାଳ ସମ୍ମାନ’ ଓଡିଶା ବିଧାନସଭା ସଚିବ ଶ୍ରୀଯୁକ୍ତ ଦାଶରଥୀ ଶତପଥୀ, ଆଇଏଏସ୍ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଉପସ୍ଥିତ ସଭ୍ୟ ସଭ୍ୟାମାନେ ସ୍ୱର୍ଗତ ବିଶ୍ୱାଳଙ୍କର ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ । ରାଜ୍ୟ ଗାଇଡ଼୍ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ସଭା ପରିଚାଳନା କରିଥିବା ବେଳେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ କୁମାର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ବର୍ଷ “ବସନ୍ତ ବିଶ୍ୱାଳ ସମ୍ମାନ” ପାଇଥିବା ସମସ୍ତଙ୍କୁ ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଶୁଭେଚ୍ଛା ଜ୍ଞାପନ କରିଥିଲେ ।


