ରାଧାନାଥ ରାୟଙ୍କ ୧୭୨ତମ ଜୟନ୍ତୀ ପାଳିତ
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ ): କବିବର ରାଧାନାଥ ରାୟଙ୍କ ୧୭୨ତମ ଜୟନ୍ତୀ ଏକଦା ତାଙ୍କ ବାସସ୍ଥଳ ଥିବା ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ,ବଟେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ୬ଷ୍ଠ ବାର୍ଷିକ ଉତ୍ସବରେ ଡ.ପ୍ରହ୍ଲାଦ ଚରଣ ମହାନ୍ତି ସଭାପତିତ୍ୱ କରି ବକ୍ତବ୍ୟରେ ରାଧାନାଥଙ୍କୁ ଭାଷା,ସାହିତ୍ୟ ଓ ବର୍ଣ୍ଣନା ବିଭାରେ ଜଣେ ଅପ୍ରତିଦ୍ୱନ୍ଦୀ ସ୍ରଷ୍ଟାଭାବେ ଅଭିହିତ କରିଥିଲେ । ମୁଖ୍ୟଅତିଥି ଗାଳ୍ପିକ ରବି ପଣ୍ଡା ଯୋଗଦେଇ ବାଲେଶ୍ୱର ମାଟିର ସାହିତ୍ୟପ୍ରୀତି ଓଡ଼ିଶାର ଅସ୍ମିତାର ପ୍ରତୀକ ବୋଲି ବର୍ଣ୍ଣନା କରି ରାଧାନାଥ ଓ ଫକୀରମୋହନଙ୍କ ଚିନ୍ତା ଓ ଚେତନାକୁ ସ୍କୁଲ ଓ କଲେଜ ସ୍ତରରେ ପ୍ରଚାର କରି ଆଗାମୀ ଯୁବପିଢ଼ି ସୃଷ୍ଟି କରି ଭାଷାର ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ ବିଷାଦଭରା ରାଧାନାଥଙ୍କ ଜୀବନରେ ସୃଷ୍ଟ ବହୁ କାବ୍ୟର ଆଲୋଚନା କରି ଜାତୀୟ ଚେତନାଭରା ‘ମହାଯାତ୍ରା’ମହାକାବ୍ୟ ପରୋକ୍ଷରେ ଇଂରେଜମାନଙ୍କ ବିରୁଦ୍ଧରେ ଲେଖିଥିବାରୁ ତାଙ୍କୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ଅଭିହିତ କରିଥିଲେ । ପରିଷଦର ସଭାପତି ସୁବାସିନୀ ଜେନା ପରିଷଦର ଉନ୍ନତି ଓ ରାଧାନାଥଙ୍କ ସୃଷ୍ଟି ସମ୍ଭାରର ପ୍ରଚାର ପାଇଁ ଉଦ୍ୟମ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ପରିଷଦର ମୁଖପତ୍ର ‘ସାହିତ୍ୟଭାରତୀ-୨୦୧୯’ ଓ ଶୁଭେନ୍ଦୁ ରାୟଙ୍କ ‘ପ୍ରକୃତି ପୂଜାରୀ କବିବର ରାଧାନାଥ’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପରିଷଦର ସଂପାଦକ ଅଧ୍ୟାପକ କମଳାକାନ୍ତ ଦାଶ ସରକାର କବିବରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବାରୁ ସରକାରଙ୍କୁ କୃତଜ୍ଞତା ଅର୍ପଣ କରି କବିବରଙ୍କ ଏକଦା ବାସସ୍ଥଳ ଥିବା ଏହି ପବିତ୍ର ସ୍ଥାନକୁ ଏକ ସ୍ମାରକୀପୀଠ ଭାବେ ସରକାର ଘୋଷଣା କରି ଏହାର ଉନ୍ନତି କରିବାକୁ ଦାବି କରିଥିଲେ । ଡ.ଲକ୍ଷ୍ମଣ ଚରଣ ବିଶ୍ୱାଳଙ୍କ ମଂଚ ଆହ୍ୱାନ ପରେ କଲ୍ୟାଣୀ ନନ୍ଦଙ୍କ ସହ ସୁବ୍ରତା ମହାନ୍ତି ଓ ବାସନ୍ତୀଦେ କବିବରଙ୍କ ‘ଭାରତ ଗୀତିକା’ ସ୍ୱାଗତ ସଂଗୀତ ଗାନ କରିଥିଲେ । ଯୁଗ୍ମ-ସଂପାଦକ ପଣ୍ଡିତ ସଂଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପ-ସଭାପତି ମନସ୍ୱିନୀ ଦେବୀ ରାଧାନାଥଙ୍କ ଅମ୍ଳାନ ସ୍ମୃତିଚାରଣକୁ କର୍ତ୍ତବ୍ୟଭାବେ ସବୁ ଓଡ଼ିଆ ଗ୍ରହଣ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଉପସଭାପତି ଇଂ. ହୃଷିକେଶ ସାହୁ ପରିଷଦର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ପରିଷଦର କୋଷାଧ୍ୟକ୍ଷ ଡ. ଦେବେନ୍ଦ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।


