ତ୍ରିବେଣୀ କାଶତଣ୍ଡି ବଣରେ “କବିତାରେ କାଶତଣ୍ଡି” ଆସର
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ): ଶରତକୁ ସ୍ୱାଗତ କରି କାଶତଣ୍ଡି ହସିଉଠେ ନଦୀ ପଠାର ଧାରେ ଧାରେ, ଆଉ କାଶତଣ୍ଡି ହସିଲେ କବିମାନେ ମନମୁଗ୍ଧ ହୋଇଯାଆନ୍ତି । ବିଶେଷକରି କବିମାନେ ନିଜର କଲମକୁ ଅଟକାଇ ପାରନ୍ତି ନାହିଁ । କାଶତଣ୍ଡି ଓ କବିର ସମ୍ପର୍କ ଅତି ନିବିଡ । ତେଣୁ ପବିତ୍ର ମହାଳୟାରେ ପୂଣ୍ୟ ଓ ଗୁପ୍ତତୀର୍ଥ ତ୍ରିବେଣୀର କାଶତଣ୍ଡି ବନରେ ବାଲେଶ୍ୱରର କବିମାନେ “କବିତାରେ କାଶତଣ୍ଡି” ଆସର ଆୟୋଜନ କରିଥିଲେ । ଏହି ଆସରକୁ ତ୍ରିବେଣୀ ଭାଗବତ ପୀଠର ମଠାଧିଶ ଦୟାନନ୍ଦ ଦାସ ପୋରହିତ୍ୟ କରିଥିବା ବେଳେ କବି ଗଗନ ସେଠୀ ଓ ମଧୁସୁଦନ ମିଶ୍ର କବିତା ପାଠ ସଂଯୋଜନା କରିଥିଲେ । କବି ପ୍ରବୀର କମିଳା, ରତ୍ନାକର ସିଂ, ଇନାୟତ ଅଲ୍ଲୀ ଖାଁ, ସୁଧାକର ସେଠୀ, ସୁବାଶ ସ୍ୱାଇଁ, ଅଜିମ ବାଲେଶ୍ୱରୀ, ଦେବାଶିଷ ସିଂ, କରୁଣାକର ଖଟୁଆ, ଜୁମରନାଥ ପାତ୍ର, ରଣଜିତ୍ ପୃଷ୍ଠୀ, ନିରଞ୍ଜନ ଖଟୁଆ ପ୍ରମୁଖ କବିମାନେ କାଶତଣ୍ଡି ଆଧାରିତ ସୁନ୍ଦର କବିତାମାନ ପାଠ କରିଥିଲେ । ମଧ୍ୟାହ୍ନ ଭୋଜନରେ ବାଲେଶ୍ୱର ବାଲେଶ୍ୱର ବାସନ ବ୍ୟାଙ୍କର ମୁଖ୍ୟ ଗୋବିନ୍ଦ ଦଳେଇ ଯୋଗଦେଇ ବ୍ୟାଙ୍କର ଉଦ୍ଦେଶ୍ୟ ସମ୍ପର୍କରେ କହିଥିବା ବେଳେ ବାସନ ବ୍ୟାଙ୍କର ବାସନରେ ଭୋଜନ କରି କବିମାନେ ପରିବେଶ ସଚେତନତାର ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶିବ ପ୍ରସାଦ ଜେନା, ମଧୁ ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ ଶିଳ୍ପୀ କେଶୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


