ରାସ୍ତା କାମ ନହେବାରୁ ବୃଦ୍ଧି ପାଉଛି ଜନ ଅସନ୍ତୋଷ
ନାଉଗାଁ-: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତ ତୁମ୍ବେଶ୍ୱର ଠାରେ ପ୍ରବାହିତ ଦେବୀ ନଦୀରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୪୨ କୋଟି ୮୮ ଲକ୍ଷ ୮୦ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଦେବୀ ନଦୀରୁ ମଧୁର ଜଳ ସଂଗ୍ରହ କରାଯାଇ ବାଲିକୁଦା ଓ ଏରସମା ବ୍ଳକର ଲୁଣି ପାଣି ଥିବା ବିଭିନ୍ନ ପଂଚାୟତକୁ ମଧୁର ବିଶୁଦ୍ଧ ପାଣି ଯୋଗାଇବା ସହିତ ପ୍ରକଳ୍ପ ନିକଟରେ ଥିବା ୪ ପଂଚାୟତ ତଥା ଗଜରାଜପୁର, ଅଲଣା,ନୁଆଗାଁ ଓ ରୋହିଆ ଆଦି ପଂଚାୟତକୁ ପାଣି ଯୋଗାଇ ପାଇଁ ନିୟମ ରହିଛି । କିନ୍ତୁ ଏହି କାର୍ଯ୍ୟ କରିବା ପାଇଁ ଏଲ ଆଣ୍ଡ ଟି ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଉକ୍ତ ବ୍ଳକର ବିଭିନ୍ନ ରାସ୍ତା,ଚାଷ ଜମି ଆଦି ଖୋଳାଯାଇ ମାଟି ତଳେ ପାଇପ ବିଛା ଯାଇ ଜଳ ଯୋଗାଣ କରାଯିବାର ବ୍ୟବସ୍ଥା କରାଯାଉଛି । ପାଇପ ବିଛାଇଲା ସମୟରେ ସଂପୃକ୍ତ ଠିକା ସଂସ୍ଥା ପୂର୍ତ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଂଚାୟତରେ ଯାଇଥିବା ଗ୍ରାମ୍ୟ ରାସ୍ତା ଆଦିକୁ ଖୋଳି ତଳେ ପାଇପ ବିଛାଉଛି । ଫଳରେ ପଂଚାୟତର ଗ୍ରାମ୍ୟ କଂକ୍ରିଟ ରାସ୍ତା ଗୁଡିକ ଭାଙ୍ଗି ଯାଇ ଖଣ୍ଡ ବିଖଣ୍ଡିତ ହୋଇଯାଉଛି । ଯାହାଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଉକ୍ତ ପ୍ରକଳ୍ପରୁ ବ୍ଲକର ଅଲଣା ପଂଚାୟତରେ ମଧୁର ଜଳ ଯୋଗାଣ ପାଇଁ ଅଲଣା ପଂଚାୟତର ମଧୁପୁର ଠାରେ ଏକ ଓଭର ହେଡ ପାଣି ଟାଙ୍କି ନିର୍ମାଣ କରାଯାଇଛି । ଦେବୀନଦୀରୁ ଆସୁଥିବା ଜଳ ଏହି ଟାଙ୍କିରେ ସରଂକ୍ଷଣ କରାଯାଇ ଗ୍ରାମକୁ ଯୋଗାଣ କରାଯିବାର ବ୍ୟବସ୍ଥା ରହିଛି । ଏହାଫଳରେ ସଂପୃକ୍ତ ଠିକାସଂସ୍ଥା ପକ୍ଷରୁ ପାଇପି ବିଛାଇବା ପାଇଁ ଗ୍ରାମ ଦେଇ ଯାଇଥିବା ପଂଚାୟତର କଂକ୍ରିଟ ରାସ୍ତାକୁ ଫଟା ଯାଇ ପାଇପ ବିଛା କାର୍ଯ୍ୟ କରାଯାଉଛି । ଉକ୍ତ ରାସ୍ତା ଦୀର୍ଘଦିନ ଧରି ଭଙ୍ଗା ଯାଇଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ କରାଯାଉନାହିଁ । ଯାହାଫଳରେ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାସ୍ତା ଭଙ୍ଗା ହେବା ଯୋଗୁଁ ଗାଁ ମଧ୍ୟକୁ ଯାନବାହନ ଯାତାୟତ କରିବାରେ ଅସୁବିଧା ହେଉଛି । ଏପରିକି ଗାଁରେ କାହାର ଦେହ ଅସୁସ୍ଥ ହେଲେ ୧୦୮ ଆମ୍ବୁଲାନସ ଗାଁ ମଧ୍ୟ ଯାଇପାରୁ ନାହିଁ । ଯାହାଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏ ବିଷୟରେ ଅଲଣା ସରପଂଚ ନଳିନୀପ୍ରଭା ସାହୁଙ୍କୁ ପଚାରିବାରୁ ଏହି ରାସ୍ତା ଗୁଡିକ ପଂଚାୟତ ତରଫରୁ କଂକ୍ରିଟ କରାଯାଇଥିଲା । କିନ୍ତୁ ଉକ୍ତ କମ୍ପାନୀ ଏହି ରାସ୍ତାକୁ ଖୋଳି ତଳେ ପାଇପ ବିଛାଇବା କାର୍ଯ୍ୟ କରୁଛି । ପାଇପ ବିଛାଇବା ପରେ ମଧ୍ୟ ରାସ୍ତା କାର୍ଯ୍ୟ କରୁ ନଥିବାରୁ ଆମେ ଆରଡବ୍ଳୁ ଏସଏସ ର ଏସଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ସେ ଆସି ତଦନ୍ତ କରି ଯାଇଥିବା ପ୍ରକାଶ କରିଥିଲେ । ଏବିଷୟରେ ସଂପୃକ୍ତ ବିଭାଗର ଏସଡିଓ ଇଂ ତପନ କୁମାର ରାଉତଙ୍କୁ ପଚାରିବାରୁ ଭଙ୍ଗା ଯାଇଥିବା ରାସ୍ତାକୁ ଦେଖିବା ସହିତ ରାସ୍ତା ମରାମତି ପାଇଁ ଠିକା ସଂସ୍ଥା ସହିତ ଆଲୋଚନା କରିଛନ୍ତି । ଆଉ କିଛି ପାଇପ ବିଛାଯିବା ପରେ ରାସ୍ତା ମରାମତି କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଛନ୍ତି ।


