ରାହୁଲ୍ଙ୍କଠୁ କ୍ଷମା ଚାହିଁଲେ ମ୍ୟାକ୍ସୱେଲ୍ ଓ ନୀସାମ
ନୂଆଦିଲ୍ଲୀ: ୟୁଏଇରେ ଆୟୋଜିତ ହୋଇସାରିଥିବା ଆଇପିଏଲ୍-୧୩ରେ ଅଧିକାଂଶ ଅଷ୍ଟ୍ରେଲୀୟ ଖେଳାଳି ନିଜ ନିଜ ଫ୍ରାଞ୍ଚାଇଜ୍ ପକ୍ଷରୁ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରେ ଶୁକ୍ରବାର ଏଠାରେ ଭାରତ ବିପକ୍ଷ ପ୍ରଥମ ଦିନିକିଆ ବିଜୟର ନାୟକ ସାଜିଥିବା ଆରୋନ୍ ଫିଞ୍ଚ୍, ଷ୍ଟିଭ୍ ସ୍ମିଥ୍ଙ୍କ ସାଙ୍ଗକୁ ଗ୍ଲେନ୍ ମ୍ୟାକ୍ସୱେଲ ଅନ୍ତର୍ଭୁକ୍ତ ଥିଲେ। ଫିଞ୍ଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସ୍ମିଥ୍ ରାଜସ୍ଥାନ ରୟାଲ୍ସ ଏବଂ ମ୍ୟାକ୍ସୱେଲ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳିଥିଲେ। ବିଶେଷକରି କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ପଞ୍ଜାବ ପକ୍ଷରୁ ଖେଳିଥିବା ମ୍ୟାକ୍ସୱେଲ ଛକାଟିଏ ମାରିବା ପାଇଁ ସଂଘର୍ଷ କରିଥିଲେ। ତଥାପି ଦଳ ତାଙ୍କ ଉପରେ ପୂରା ଆସ୍ଥା ରଖି ପ୍ଲେ-ଅଫ୍ ପହଞ୍ଚିବା ପୂର୍ବରୁ ୧୩ ମ୍ୟାଚ୍ ଖେଳାଇଥିଲା। ହେଲେ ସେ ମାତ୍ର ୧୦୮ ରନ୍ କରିବାକୁ ସମର୍ଥ ହୋଇଥିଲେ। ଅତ୍ୟନ୍ତ ବେପରୁଆ ଭାବେ ଖେଳି ସବୁଥର ସେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ୧୦.୭୫ କୋଟି ଟଙ୍କାରେ ଫ୍ରାଞ୍ଚାଇଜ୍ ତାଙ୍କୁ କିଣିଥିଲେ ମଧ୍ୟ ସେ ସଂପୂର୍ଣ୍ଣ ନିରାଶ କରିଥିଲେ। କିନ୍ତୁ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ଆରମ୍ଭରୁ ସେ ନିଜ ଦେଶ ପାଇଁ ପ୍ରମୁଖ ଅବଦାନ ଛାଡ଼ିଥିଲେ। ମାତ୍ର ୧୯ ବଲ୍ରେ ୩ ଛକା ଓ ୫ ଚୌକା ବଳରେ ୪୫ ରନ୍ କରିଥିଲେ। ତାଙ୍କ ବିସ୍ଫୋରକ ପାଳି ବଳରେ ଅଷ୍ଟ୍ରେଲିଆ ୩୭୪ ରନ୍ର ବଡ଼ ସ୍କୋର୍ ଛିଡ଼ା କରିଥିଲା। ସେହିପରି ଉଭୟ ଫିଞ୍ଚ୍ ଓ ସ୍ମିଥ୍ ମଧ୍ୟ ଶତକୀୟ ପାଳି ଖେଳିଥିଲେ। ଆଇପିଏଲ୍ରୁ ପ୍ରଚୁର ଅର୍ଥ ଉପାର୍ଜନ କରି ନିଜ ଦେଶ ପକ୍ଷରୁ ବାଘ ଭଳି ପ୍ରଦର୍ଶନ କରୁଥିବା ଏହି ତିନି ଖେଳାଳିଙ୍କୁ ପ୍ରଂଶଂସକମାନେ କିନ୍ତୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଭାରତ ବିପକ୍ଷ ପ୍ରଥମ ଦିନିକିଆ ପ୍ରଦର୍ଶନ ପାଇଁ ସେମାନଙ୍କୁ ସମାଲୋଚନା କରିଛନ୍ତି। ଜାଣିଶୁଣି ସେମାନେ ଆଇପିଏଲ୍ରେ ନିଜ ନିଜ ଫ୍ରାଞ୍ଚାଇଜ୍କୁ କ୍ଷତିରେ ପକାଇଥିବା ଚର୍ଚ୍ଚା ଜୋର୍ ଧରିଛି। ଏଭଳି ସ୍ଥିତିରେ ସେ ଆଦୗ ଜାଣିଶୁଣି ଆଇପିଏଲ୍ରେ ଖରାପ ଖେଳିନଥିଲେ ବୋଲି ବିଶ୍ବାସ ଜନ୍ମାଇବାକୁ ପଞ୍ଜାବ ଅଧିନାୟକ ତଥା ପ୍ରଥମ ଦିନିକିଆରେ ୱିକେଟ୍ ପଛରେ ଥିବା ତାଙ୍କ ଆଇପିଏଲ୍ ଅଧିନାୟକ କେଏଲ୍ ରାହୁଲଙ୍କଠାରୁ କ୍ଷମା ଚାହିଁଛନ୍ତି। ମୋର ଖରାପ ପ୍ରଦର୍ଶନ ପାଇଁ ମୁଁ ରାହୁଲଙ୍କୁ କ୍ଷମା ମାଗୁଛି ବୋଲି ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ମ୍ୟାକ୍ସୱେଲ୍। ଅନ୍ୟପକ୍ଷରେ ରାହୁଲଙ୍କ ନେତୃତ୍ବରେ ପଞ୍ଜାବ ପାଇଁ ଆଇପିଏଲ୍ ଖେଳିଥିବା ନ୍ୟୁଜିଲାଣ୍ଡ ତାରକା ଜେମ୍ସ ନୀସାମ ମଧ୍ୟ ଦୟନୀୟ ପ୍ରଦର୍ଶନ କରିଥିଲେ। କିନ୍ତୁ ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟିରେ ନୀସାମ ୨୪ ବଲ୍ରୁ ଅପରାଜିତ ୪୮ ରନ୍ର ପାଳି ଖେଳି ନ୍ୟୁଜିଲାଣ୍ଡର ୫ ୱିକେଟ୍ ବିଜୟରେ ପ୍ରମୁଖ ଭୁମିକା ତୁଲାଇଥିଲେ। ନିଜ ଦେଶ ପାଇଁ ତାଙ୍କର ଏଭଳି ମୂଲ୍ୟବାନ ପାଳିକୁ ମଧ୍ୟ ଆଇପିଏଲ୍ ପ୍ରଶଂସକ ସମାଲୋଚନା କରିଛନ୍ତି। ଫଳରେ ନୀସାମ ମଧ୍ୟ ରାହୁଲ୍ଙ୍କୁ କ୍ଷମା ମାଗିଛନ୍ତି। ତେବେ ଏହିସବୁ ଖେଳାଳିଙ୍କୁ ଚିହ୍ନି ରଖ ଏବଂ ପରବର୍ତୀ ଆଇପିଏଲ୍ରେ ଖେଳାଇବାରୁ ଦୂରରେ ରଖିବାକୁ ପ୍ରଶଂସକମାନେ ପ୍ରସ୍ତାବ ବାଢ଼ିଛନ୍ତି।


