ଲକଡାଉନରେ କ୍ଷତିଗ୍ରସ୍ତ ହେଉଛନ୍ତି ଦୁଗ୍ଧ ଚାଷୀ, ସହାୟତା ପାଇଁ ନିବେଦନ
ହାଟଡ଼ିହି : କରୋନାର ଭୟାବହତାକୁ ରୋକିବା ପାଇଁ ସରକାର ଲକଡାଉନ ଘୋଷଣା କରିବାପରେ ଦୁଗ୍ଧ ଚାଷୀମାନେ ନାନା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସେମାନେ କ୍ଷୀର, ଦହି ଓ ଛେନା କରି ମିଠା ଓ ଜଳଖିଆ ଦୋକାନ ମାନଙ୍କରେ ବିକ୍ରୀ କରୁଥିବାବେଳେ ଏବେ ଦୋକାନ ବଜାର ବନ୍ଦ ହୋଇଯାଇଥିବାରୁ ସେମାନଙ୍କ କ୍ଷୀର ବିକ୍ରୀ ହୋଇ ପାରୁନି । ଅନ୍ୟପକ୍ଷରେ ଓମଫେଡ ଦ୍ୱାରା ପରିଚାଳିତ କ୍ଷୀର ସୋସାଇଟ ଗୁଡିକ ସେମାନଙ୍କ କ୍ଷୀରକୁ ରଖୁ ନଥିବାରୁ ସେମାନେ ହତୋତ୍ସାହିତ ହୋଇ ପଡିଛନ୍ତି । ଫଳରେ ଚାଷୀମାନେ କିପରି ପରିବାର ଚଳାଇବେ ଓ ଗାଈଙ୍କୁ ଦାନା ଗଣ୍ଡେ କିଣିକରି ଦେବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ମରୈଗାଁ ପଞ୍ଚାୟତ ଖପରାଖାଇ ଗ୍ରାମର ଦୋଳଗୋବିନ୍ଦ ନାୟକ ଜଣେ ଦୁଗ୍ଧ ଚାଷୀ । ଘରେ ତାଙ୍କର ପତ୍ନୀ ପଦ୍ମିନୀ, ମା ମନ୍ଦୋଦରୀ ଓ ଦୁଇ ଛୁଆଙ୍କୁ ନେଇ ସଂସାର । ସେ ୫ଟି ଗାଈ ରଖିଥିବାବେଳେ ଦୈନିକ ୩୦ଲିଟରରୁ ଉର୍ଦ୍ଧ କ୍ଷୀର ପାଇଥାନ୍ତି । ଓମଫେଡ ସୋସାଇଟରେ ୧୦ଦିନରେ ଥରେ ପଇସା ମିଳୁଥିବାରୁ ତାଙ୍କ ପରିବାର ପାଇଁ ସମସ୍ୟା ଦେଖାଦେବାରୁ ସେ ଏହି କ୍ଷୀରକୁ ସେ ମରୈଗାଁ ଛକରେ ମିଠା ଦୋକାନରେ ବିକ୍ରୀକରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଲକଡାଉନ ଘୋଷଣା ପରେ ପରେ ଦୋକାନ ଗୁଡିକ ବନ୍ଦ ହୋଇଯିବାରୁ ସେମାନେ କ୍ଷୀର ରଖିଲେ ନାହିଁ । ଫଳରେ ଆଜକୁ ୪ଦିନ ହେଲା ଦୋଳଗୋବିନ୍ଦ କ୍ଷୀରକୁ ଗାଁରେ ଲୋକଙ୍କୁ ବାଣ୍ଟି ଦେଉଛନ୍ତି । ଗାଈ ପାଇଁ ଦାନା ନଥିବା ବେଳେ କିପରି ଗାଈ ଗୁଡିକୁ ବଞ୍ଚାଇବେ ଓ କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଖାଲି ଦୋଳଗୋବିନ୍ଦ ନୁହଁ ସେହି ଗାଁର ୪ଜଣ ଚାଷୀଙ୍କ ସମାନ ଅବସ୍ଥା । ସେହିପରି ଶାସଙ୍ଗ, ଛେନାପଦି, ବଡତୀରା, କପୁଣ୍ଡି, ରମ୍ପାସ, ବଞ୍ଚୋ, ତରଭା ଆଦି ଗ୍ରାମରେ ସମାନ ଅବସ୍ଥା । ଦୁଗ୍ଧ ଚାଷ ଉପରେ ନିର୍ଭର କରୁଥିବା ଚାଷୀମାନେ ଏବେ କ୍ଷୀର ବିକ୍ରୀ ଓ ଦାନା ଯୋଗାଡ କ୍ଷେତ୍ରରେ ସମସ୍ୟାରେ ପଡିଯାଇଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଦୁଗ୍ଧ ଚାଷୀ ମାନଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି ।


