ଶତ୍ରୁ ବିନାଶ ପାଇଁ ଚାଣକ୍ୟଙ୍କ ‘ବିଷ କନ୍ୟା’ ଥିଓରି
ଚାଣକ୍ୟ ଏକାଧାରାରେ ଜଣେ ପ୍ରବୀଣ ଦାର୍ଶନିକ, ଅର୍ଥଶାସ୍ତ୍ରୀ ଏବଂ ରାଜନୀତି ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଭାରତର ପୁରାତନ ବିଶ୍ୱ ବିଦ୍ୟାଳୟ ତକ୍ଷଶିଳାରେ ସେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଜଣେ କିଙ୍ଗ ମେକର ଭାବେ ସେ ବେଶ୍ ଜଣାଶୁଣା । ସେହିପରି ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ । ଚାଣକ୍ୟ ମଧ୍ୟ କୌଟଲ୍ୟ ଓ ବିଷ୍ଣୁଗୁପ୍ତ ନାମରେ ପରିଚିତ । ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଆଜିର ସମାଜ ଗଠନ ପାଇଁ ବି ଚାଣକ୍ୟଙ୍କ ନୀତି, ଆଦର୍ଶ ଖୁବ ମହତ୍ୱ ରଖେ । ତେବେ ସେହି ମହାନାୟକଙ୍କ ବିଷୟରେ ଆସନ୍ତୁ କିଛି ଅକୁହା କଥା ଜାଣିବା ।ଚାଣକ୍ୟ ମୂଳତଃ ଦ୍ରାବିଡ଼ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମ ବେଳେ ଚାଣକ୍ୟଙ୍କ ଗୋଟିଏ ଦାନ୍ତ ଅସ୍ୱାଭାବିକ ଥିଲା । ଥରେ ଜଣେ ସାଧୁ ତାଙ୍କ ନଜର ପଡିବା ପରେ ସାଧୁ ଜଣକ ଭବିଷ୍ୟବାଣୀ କରିଥିଲେ । କହିଥିଲେ ଦିନେ ନା ଦିନେ ଏହି ପୁତ୍ର ରାଜା ହେବ । ଚାଣକ୍ୟଙ୍କ ବାପା ଜଣେ ଶିକ୍ଷକ ଥିଲେ । ତେବେ ସାଧୁଙ୍କ କଥାରେ ବିଚଳିତ ହୋଇ ତାଙ୍କ ବାପା କାଳେ ପୁଅ ବଡ଼ ହେଲେ ରାଜା ହୋଇ ବାପାମା’ଙ୍କୁ ମାନିବନି ସେହି ଭୟରେ ଚାଣକ୍ୟଙ୍କ ସେହି ଦାନ୍ତକୁ ଉପାଡି ଦେଇଥିଲେ । ତଥାପି ସମ୍ପୃକ୍ତ ସାଧୁଙ୍କ ବାଣୀ ସତ ହୋଇଥିଲା । ଚାଣକ୍ୟ ରାଜା ହୋଇ ନଥିଲେ ମଧ୍ୟ କିଙ୍ଗ ମେକର ହୋଇଥିଲେ । ତକ୍ଷଶିଳା ବିଶ୍ୱ ବିଦ୍ୟାଳୟ (ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ) ଚାଣକ୍ୟ ଅଧ୍ୟୟନ କରିଥିଲେ । ଏକଦା ଏହି ଶିକ୍ଷାନୁଷ୍ଠାନ ବିଶ୍ୱର ସବୁଠୁ ଶ୍ରେଷ୍ଠ ଥିଲା । ସେ ଏମିତି ଜଣେ ନାୟକ ଥିଲେ ଯିଏ ବିଶ୍ୱ ବିଜେତା ଆଲେକଜାଣ୍ଡାର ଦି ଗ୍ରେଟଙ୍କ ଭାରତ ଆକ୍ରମଣ ବିରୋଧରେ ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ଏକାଠି କରିପାରିଥିଲେ । ଭାରତର ସବୁଠୁ ବିଶାଳ ରାଜ୍ୟ ସାମ୍ରାଜ୍ୟ ଗଠନ କରିବାରେ ସେ ହେଉଛନ୍ତି ପ୍ରଥମ । ଏଥିପାଇଁ ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହାୟତା ନେଇଥିଲେ । ଆଉ ୧୯ ବର୍ଷରେ ସେହି ସାମ୍ରାଜ୍ୟରେ ଚନ୍ଦ୍ରଗୁପ୍ତ ରାଜା ହୋଇପାରିଥିଲେ । କୁହାଯାଏ ଶତ୍ରୁଙ୍କୁ ବିନାଶ କରିବା ପାଇଁ ଚାଣକ୍ୟ ଯେଉଁ କୁଟନୀତି ଉପଯୋଗ କରିଥିଲେ ତାହା ଅତି ଭୟଙ୍କର ଥିଲା । ଶତ୍ରୁଙ୍କୁ ମାରିବା ପାଇଁ ଚାଣକ୍ୟ ବିଷ କନ୍ୟା ଥିଓରି ଉପଯୋଗ କରିଥିଲେ । ଏହି ଥିଓରି ଅନୁଯାୟୀ କେତେ ଯୁବତୀମାନଙ୍କୁ ପିଲାଦିନରୁ ପ୍ରତି ଦିନ ସ୍ୱଳ୍ପ ପରିମାଣରେ ଟିକେ ଟିକେ ବିଷ ଦିଆଯାଉଥିଲା । ଆଉ ବଡ଼ ହେଲା ପରେ ଏମାନେ ବିଷ ଜର୍ଜରିତ ହୋଇଯାଉଥିଲେ । ଯେହେତୁ ବିଷ ସହିତ ଏମାନେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ହୋଇଯାଉଥିଲେ ସେମାନଙ୍କ ଶରୀର କିଛି ହେଉନଥିଲା । ଖୁବ ବିଷାକ୍ତ ଥିଲେ ଏମାନେ । ଶତ୍ରୁଙ୍କୁ ପ୍ରେମ ଜାଲରେ ଛନ୍ଦିବା ପାଇଁ ଏହି ବିଷ କନ୍ୟାକୁ ଜାଲ କରାଯାଉଥିଲା । ଯେଉଁମାନେ ଏହି ଯୁବତୀଙ୍କ ଜାଲରେ ଫସୁଥିଲେ ସେମାନଙ୍କ ଜୀବନ ଯାଉଥିଲା । ବିଷ ପିଇ ବିଷାକ୍ତ ହୋଇଯାଉଥିବାରୁ ଏମାନେ ଯେଉଁମାନଙ୍କୁ ଚୁମା ଦେଉଥିଲେ ସେମାନଙ୍କର ଅଳ୍ପଦିନ ଭିତରେ ବିଷକ୍ରିୟାରେ ଆସି ମୃତ୍ୟୁ ହେଉଥିଲା । ଜଣେ ଦକ୍ଷ ପରିଚାଳକ ଛଡା ମେଡିସିନରେ ମଧ୍ୟ ଚାଣକ୍ୟଙ୍କର ଜ୍ଞାନ ଥିଲା । ଗୋଟିଏ କିମ୍ବଦନ୍ତୀ ଅନୁଯାୟୀ ଚାଣକ୍ୟ ଯୁବାବୟସରେ ସମସ୍ତ ଦାୟିତ୍ୱ ସମ୍ପାଦନ କରି ବନବାସ ଗମନ କରିଥିଲେ । ଆଉ ନିଜେ ନିଜର ମୃତ୍ୟୁର କାରଣ ହୋଇଥିଲେ । ସେହିପରି ଅନ୍ୟ କିମ୍ବଦନ୍ତୀ ଅନୁଯାୟୀ ଚାଣକ୍ୟଙ୍କ ମୃତ୍ୟୁ ଷଡ଼ଯନ୍ତ୍ରଜନିତ ହୋଇଥିଲା । ତାଙ୍କ ମତରେ ନାରୀ ହେଉଛନ୍ତି ସ୍ୱଭାବ ଜନିତ କୁଟୀଳ ପ୍ରକୃତିର ।


