ଶରତଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି : ଜିଲ୍ଲା ସଭାପତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ପୌରପାଳିକାର ପୂର୍ବତନ କାଉନସିଲର ଶରତ ବେହୁରାଙ୍କୁ କଂଗ୍ରେସ ଦଳରୁ ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଜଣାଇଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଏକ ପ୍ରେସ ବିବୃତ୍ତି ଜାରିକରି କହିଛନ୍ତି ଯେ ଦଳବିରୋଧୀ ଆଚରଣ ପାଇଁ ଶରତଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଅନୂରୁପ ଭାବେ କେନ୍ଦ୍ରାପଡା ନଗର କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିବୃତ୍ତି ଗଣମାଧ୍ୟମକୁ ପ୍ରଦାନ କରାଯାଇ ସେଥିରେ କୁହାଇଛି ଯେ ଗତ ଜାନୁୟାରୀ ୨୭ ତାରିଖରୁ ଶ୍ରୀ ବେହୁରାଙ୍କୁ ଦଳରୁ ବହିଷ୍କାର କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ନଗର କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କୁ ସୁପାରିସ କରାଯାଇଥିଲା ବୋଲି ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ଏହି ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ସେ କହିଛନ୍ତି ଯେ ଶ୍ରୀ ବେହୁରା କଂଗ୍ରେସ ଦଳରୁ ବହୁ ଫାଇଦା ହାସଲ କରିଛନ୍ତି । ଦଳ ପାଇଁ ତାଙ୍କ ସହଧର୍ମିଣୀ ଓ ପୁଅକୁ ଚାକିରି ମିଳିଛି । ବଡ଼ ଗାଡି କରିବା ପାଇଁ ଋଣ ମଧ୍ୟ ସେ ଦଳ ପାଇଁ ପାଇଛନ୍ତିି । କଂଗ୍ରେସ ଯୋଗୁ ସେ ଅର୍ବାନ ବ୍ୟାଙ୍କରେ ଏକାଧିକଥର ନିର୍ଦେଶକ ପଦରେ ବସିଛନ୍ତି । ଏ ସମସ୍ତ ସୁବିଧା ସୁଯୋଗ ହାତେଇବା ପରେ ବି ସେ ଦଳବିରୋଧୀ କାର୍ଯ୍ୟ କରିଛନ୍ତି । ତାଙ୍କ ଆଚରଣ ଓ ଉଚାରଣର ଲକ୍ଷ୍ମଣରେଖା ସେ ଅତିକ୍ରମ କରିଗଲେ । ତେଣୁ ତାଙ୍କୁ ବହିଷ୍କାର କରାଯିବା ପାଇଁ ଗତ ୨୭ ତାରିଖରେ ସୁପାରିସ କରାଯାଇଥିଲା । ଏ ସଂକ୍ରାନ୍ତରେ ଜିଲ୍ଲା ସଭାପତି ନିଷ୍ପତ୍ତି ଗ୍ରହଣ କରି ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ଶରତ ବେହୁରାଙ୍କୁ ନେଇ ସହରର ପୌର ରାଜନୀତି ଏବେ ସରଗରମ ହୋଇଛି । କାରଣ କେନ୍ଦ୍ରାପଡ଼ା ପୌରପାଳିକାର ନଗରପାଳ ପଦବୀ ପାଇଁ ଶରତ ଆଶୟୀ ଥିଲେ । ବିଜେଡିରୁ ସେ ଟିକେଟ ପାଇବେ ବୋଲି ଆଶାବାଦୀ ହୋଇ କଂଗ୍ରେସରୁ ଇସ୍ତଫା ଦେଇଥିବା ଆଲୋଚନା ହେଉଛି । କିନ୍ତୁ ନଗରପାଳ ଟିକଟ ସାଧାରଣବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ଶରତ ବିଜେଡିରେ ମିଶି ଦଳୀୟ ଟିକେଟ ହାତେଇ ନେଇ ନଗରପାଳ ହେବାକୁ ଥିବା ଆଶା ତାଙ୍କର ଏବେ ମଉଳି ଯାଇଛି । କିନ୍ତୁ ସେ ନିଜ ପତ୍ନୀ ମାନସ ମଞ୍ଜରୀଙ୍କ ପାଇଁ ଟିକଟ ହାତେଇବାକୁ ଜୋରଦାର ଉଦ୍ୟମ କରୁଥିବା ଜଣାପଡିଛି । କିନ୍ତୁ ଏଥିରେ କେତେଦୂର ସେ ସଫଳ ହେଉଛନ୍ତି ତାହା ସମୟ କହିବ !


