ଶାନ୍ତି ଓ ବିକାଶ ପାଇଁ ବିଜେପିକୁ ଭୋଟ ଦିଅ‌ନ୍ତୁ : ଧର୍ମେନ୍ଦ୍ର ପ୍ରଧାନ

ପିପିଲିରେ କେନ୍ଦ୍ରମନ୍ତ୍ରୀଙ୍କ ବିଶାଳ ନିର୍ବାଚନୀ ରୋଡ୍ ଶୋ’

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମର୍ଥନରେ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି । ଏହି ଅବସରରେ ପିପିଲିରେ ଶାନ୍ତି ଓ ବିକାଶ ପାଇଁ ଜନସାଧାରଣଙ୍କୁ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ତଥା ବିଜେପିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ସେହିପରି ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ଓ ପୋଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ । ପିପିଲି ଏବଂ ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ବିଶାଳ ନିର୍ବାଚନୀ ରୋଡ ଶୋ’ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପିପିଲି ହେଉଛି ଆମ ସଭ୍ୟତା, ମହାପ୍ରଭୁ ଜଗନ୍ନାଥ ତଥା ଓଡ଼ିଆ ସଂସ୍କୃତିର ମୁଖଶାଳା । ଆମେ ଯେତେବେଳେ ମହାତ୍ମା ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତି ପାଳନ କରୁଛେ ସେହି ସମୟରେ ପୁରୀ ଜିଲ୍ଲା ପିପିଲିରେ ଉପନିର୍ବାଚନ ହେଉଛି । ୧୯୩୮ ମସିହାରେ ମହାତ୍ମା ଗାନ୍ଧି କସ୍ତୁରବାଙ୍କ ସହିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମହାଦେବ ଦେଶାଇ ପୁରୀ ଜିଲ୍ଲାର ପିପିଲି- ଡ଼େଲାଙ୍ଗ ତଥା ବେରବୋଇ ଅଂଚଳରେ ୮ ଦିନ ରହିଥିଲେ । ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ ଡା. ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମା ଦେବୀ, ମାଳତୀ ଦେବୀ, ଆଚାର୍ଯ୍ୟ ହରିହରଙ୍କ ଭଳି ଓଡ଼ିଶାର ତୁଙ୍ଗ ନେତୃତ୍ୱ । ସେ ସମୟରେ ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ପାଇଁ ଅର୍ଥନୀତି, ସ୍ୱଦେଶୀ ନୀତି, ଖଦି, ଜାତିପ୍ରଥା, ସେବା ତଥା ବିଭିନ୍ନ ସମାଜ ସଂସ୍କାରର ଆଲୋଚନା ଏ ପବିତ୍ର ମାଟିରେ ହୋଇଥିଲା । ସ୍ୱାଧୀନତାର ସବୁଠୁ ବଡ଼ ଉପଲବ୍ଧି ଗଣତନ୍ତ୍ର । ଶାନ୍ତି ଓ ଭାଇଚାରା ସବୁଠୁ ବଡ଼ ଉପଲବ୍ଧି । ମାତ୍ର ବିଗତ ୪୦ ବର୍ଷ ଧରି ପିପିଲିରେ ଶାନ୍ତି ନାହିଁ । ଏଠାରେ ଶାନ୍ତି ହଜି ଯାଇଛି । ପିପିଲିରେ ଶାନ୍ତି ଆସିଲେ ଅଂଚଳର ବିକାଶ ହେବ ଓ ପ୍ରଗତି ହେବ । ଏଠାରେ ରୋଜଗାର ବଢ଼ିବ, ଦାରିଦ୍ର‌୍ୟ ମୁକ୍ତ ହେବ, ପିପିଲି ଚାନ୍ଦୁଆ ବିକ୍ରି ହେବ, କୃଷି ଉତ୍ପାଦିତ ସାମଗ୍ରୀ ବିକ୍ରି ହେବ ଏବଂ ଲୋକଙ୍କ ଭିତରେ ସମ୍ପନ୍ନତା ଆସିବ । ତେଣୁ ପିପିଲିର ସବୁ ଭୋଟର ଭାଇ ଭଉଣୀ, ରାଜନୈତିକ ଦଳ ଓ ରାଜନୈତିକ ନେତୃତ୍ୱଙ୍କୁ ପିପିଲିରେ ଶାନ୍ତି ଆପଣାଇବା ପାଇଁ ବିନମ୍ର ଅନୁରୋଧ କରିଛନ୍ତି । ପିପିଲିରେ ଶାନ୍ତି ପ୍ରତିଷ୍ଠା ହେଲେ ମୋଦିଙ୍କ ସବକା ସାଥ୍ ସବକା ବିକାଶ ମନ୍ତ୍ର ପୂରଣ ହୋଇପାରିବ । ଶ୍ରୀ ପ୍ରଧାନ ପୋଲିସ ଡ଼ିଜିଙ୍କ ସହ କଥା ହୋଇ ପିପିଲିରେ ନିରପେକ୍ଷ ନିର୍ବାଚନ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବା ନେଇ ନିବେଦନ କରିଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ମଧ୍ୟ ପିପିଲିରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରପେକ୍ଷ ନିର୍ବାଚନ ହେବା ନେଇ ଅପେକ୍ଷା ରଖିଥିବା ସେ କହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ପିପିଲି ବ୍ଲକର ଉତରା ଛକ ଠାରୁ ଗୁଡିଆ ପୋଖରୀ, ଜଇସନ ପାଟଣା, ପିପିଲି ଏନଏସି, ଜଟଣୀ ଛକ, ଜଟଣୀ ରୋଡ, ଡଙ୍ଗୋହିରି, ହାଟସାହୀ, ବାଜପେୟୀ, ଦାଣ୍ଡ ମୁକୁନ୍ଦପୁରୁ, ମଙ୍ଗଳପୁରୁ, ତେଇସିପୁରୁ ଦେଇ ସାତଶଙ୍ଖ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିଥିଲେ । ଏହାସହ ପରେ ସାତଶଙ୍ଖ ଠାରୁ ପଟ୍ଟନାୟିକା, ମୋହିନୀମଠ, ପିଢାପାଟଣା, ଷ୍ଟେସନ ବଜାର ପର୍ଯ୍ୟନ୍ତ ନିର୍ବାଚନ ଶୋଭାଯାତ୍ରା କରି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ