ଶାନ୍ତି ଓ ସଦ୍ଭାବନା ସମାରୋହରେ ପ୍ରକାଶ ଆମ୍ବେଦକର ଏବଂ ଆରଫା ଖାନୁମ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସିଟିଜେନ୍ସ ଫର୍ କମୁନାଲ ହାରମନି, ପିସ୍ ଆଣ୍ଡ ଜଷ୍ଟିସ୍, ଓଡ଼ିଶା ପକ୍ଷରୁ ଦିବା ୧୧ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ (ଜୟଦେବ ଭବନ ପଛ) ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଶାନ୍ତି ଓ ସଦ୍ଭାବନା ସମାରୋହ ପାଳିତ ହେବ । ଏହି ସମାରୋହରେ ବକ୍ତା ଭାବେ ମହାରାଷ୍ଟ୍ରର ପୂର୍ବତନ ସାଂସଦ, ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଅଧିବକ୍ତା ପ୍ରକାଶ ଆମ୍ବେଦକର ଏବଂ ନିର୍ଭିକ ସାମ୍ବାଦିକତାର ଚର୍ଚ୍ଚିତ ଚେହେରା ତଥା ଦି ‘ୱୟାର’ର ସମ୍ପାଦିକା ଆରଫା ଖାନୁମ ଶେରୱାନୀ ଅତିଥି ଭାବେ ଯୋଗ ଦେଉଛନ୍ତି । ସମ୍ବିଧାନ ଓ ଧର୍ମନିରପେକ୍ଷତାରେ ବିଶ୍ୱାସ ରଖୁଥିବା ଏକାଧିକ ସଂଗଠନ ମିଳିତ ହୋଇ ଏହାକୁ ସଫଳ କରିବାକୁ ନିବେଦନ କରିଛନ୍ତି । ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇ ନିଜର ମତ ଓ ଆଭିମୁଖ୍ୟ ଉପସ୍ଥାପନ କରିବେ ଏବଂ ଦ୍ୱିତୀୟ ଅଧିବେଶନରେ ପ୍ରକାଶ ଆମ୍ବେଦକର ଓ ଆରଫା ଖାନୁମ୍ ନିଜର ବକ୍ତବ୍ୟ ପ୍ରଦାନ କରିବେ । ରାଜ୍ୟର ପ୍ରଗତିଶୀଳ ଓ ସମତାକାମୀ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।


