ଶାମ୍ବ ଦଶମୀ

ଧର୍ମ ନୈତିକ କିମ୍ବା ବୈଜ୍ଞାନିକ ଦୃଷ୍ଟି କୋଣରୁ ବିଚାର କଲେ ଏହା ସତ୍ୟ ଯେ ସୂର୍ଯ୍ୟ ସକଳ ଶକ୍ତିର ଆଧାର । ତାଙ୍କ କାରଣରୁ ଋତୁ ପରିବର୍ତ୍ତନ, ଦିନରାତି ଏବଂ ଜୀବଜଗତ ସୃଷ୍ଟି ସମ୍ଭବ ହୋଇଛି । ସେ ଶକ୍ତି ଆକାରରେ ଜଳ, ସ୍ଥଳ ଏବଂ ଆକାଶ ଅର୍ଥାତ୍ ଜଡ଼ ଓ ଜୀବନ୍ତ ଭିତରେ ବିଦ୍ୟମାନ ଥାଇ ଏ ବିଶ୍ୱ ବ୍ରହ୍ମାଣ୍ଡକୁ ଚଳଚଞ୍ଚଳ କରିଆସୁଛନ୍ତି । ଏଣୁ ସେ ପୂଜ୍ୟ ।
ବ୍ରହ୍ମ ବୈବର୍ତ୍ତ ପୁରାଣ ମତେ ସେ ଏ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା । ସେ ନିଜେ ପରମବ୍ରହ୍ମ; ଜଗତପିତା, ଧର୍ମ ଦେବତା । ସେ ତ୍ରିକାଳ ସଂଧ୍ୟାରେ ପ୍ରଣମ୍ୟ । ଏଥିପାଇଁ ହିନ୍ଦୁମାନେ ସ୍ନାନସାରି ସୂର୍ଯ୍ୟଙ୍କୁ ଜଳଦାନ ପୂର୍ବକ ପ୍ରଣାମ ଜଣାଇଥାନ୍ତି ।
ସୂର୍ଯ୍ୟଙ୍କ ପୂଜା ଶାକ (ପାରସ୍ୟ) ଭୂଖଣ୍ଡରୁ ଆମ ଦେଶକୁ ଆସିଛି ବୋଲି ବିଶ୍ୱାସ କରାଯାଏ । ଏହା ରାଜା ପରିକ୍ଷୀତ ଏବଂ ଶାମ୍ବ, କୃଷ୍ଣଙ୍କ ପୁତ୍ର ଯୁଗର କାହାଣୀ ଅର୍ଥାତ୍ ଆଜକୁ ୪୦୦୦ବର୍ଷ ତଳର କାହାଣୀ । ଓଡ଼ିଶା ତଥା ଭାରତ ଭୂଖଣ୍ଡରେ ପ୍ରଥମେ ଶାମ୍ବ ସୂର୍ଯ୍ୟପୂଜା ପ୍ରଚଳନ କରାଇ ମନ୍ଦିରମାନ ନିର୍ମାଣ କରିଥିଲେ ।
ସୂର୍ଯ୍ୟଙ୍କର ମାହାତ୍ମ୍ୟ ଅବର୍ଣ୍ଣନୀୟ । ଏଠାରେ ଆମେ କେବଳ ଶାମ୍ବଙ୍କ କାହାଣୀ ବର୍ଣ୍ଣନା କରୁଛୁ । ଶ୍ରୀ କୃଷ୍ଣଙ୍କ ଅଷ୍ଟ ପଟ୍ଟମହିଷୀ ମଧ୍ୟରୁ ଜାମୂବତୀ ଅନ୍ୟତମ । ତାଙ୍କ ଗର୍ଭର ଶାମ୍ବଙ୍କର ଜନ୍ମ । ସେ ଅତ୍ୟନ୍ତ ସୁନ୍ଦର ଥିଲେ । ନିଜର ରୂପ ବିଭବର ଗର୍ବ ପାଇଁ ସେ କାହାକୁ ଭୃକ୍ଷେପ କରୁନଥିଲେ । ଏମିତିକି ଦେବତା, ଋଷି ଏବଂ ଖୋଦ୍ ନାରଦ ତାଙ୍କଦ୍ୱାରା ଆଘାତପ୍ରାପ୍ତ ଥିଲେ । ଏଥିପାଇଁ ଶ୍ରୀକୃଷ୍ଣ ତାଙ୍କ ପ୍ରତି ବିରାଗ ଓ କ୍ଷୁବ୍ଧ ଥିଲେ । ଏକଦା ଶାମ୍ବଙ୍କର ଗୋପାବାଳାମାନଙ୍କ ସହିତ ଆପତ୍ତିଜନକ ପ୍ରେମ କାହାଣୀକୁ ନେଇ କୃଷ୍ଣ ତାଙ୍କ ପ୍ରତି କ୍ଷୁବ୍ଧ ହୋଇ ଅଭିଷାପ ଦେଇ କହିଥିଲେ ଯେ ତାଙ୍କର ରୂପବୈଭବ ନଷ୍ଟ ହେଉ ଏବଂ ସେ କୁଷ୍ଠରୋଗରେ ଆକ୍ରାନ୍ତ ହୁଅନ୍ତୁ । ତାହାହିଁ ହେଲା ଶାମ୍ବଙ୍କର । ଏବେ ଶାମ୍ବ ନାରଦଙ୍କ ଶରଣ ଗଲେ, ନାରଦ ତାଙ୍କୁ ପରାମର୍ଶ ଦେଇ କହିଲେ ଯେ ସେ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଚନ୍ଦ୍ର ଭାଗା ନଦୀକୂଳରେ ମୈତ୍ରେୟ ବନରେ ଶାନ୍ତ, ନିରାହାର ଏବଂ ଜିତେନ୍ଦ୍ରିୟ ହୋଇ ତପସ୍ୟା କରି ସୂର୍ଯ୍ୟ ନାରାୟଣଙ୍କ ଉପାସନା କରନ୍ତୁ । ତା’ ହେଲେ ସେ ଶାପ ମୁକ୍ତ ହେବେ ଏବଂ ନିଜର ପୂର୍ବ ସୌନ୍ଦର୍ଯ୍ୟ ଲାଭ କରିବେ । ଶାମ୍ବ ୧୨ବର୍ଷ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟା କଲେ ଏବଂ ସୂର୍ଯ୍ୟନାରାୟଣଙ୍କ ଦର୍ଶନ କଲେ ତଥା ତାଙ୍କ କରୁଣାରୁ ନିଜର ପୂର୍ବ ସୌନ୍ଦର୍ଯ୍ୟ ଲାଭ କଲେ । ସେ ଦିନ ଥିଲା ପୌଷମାସ ଶୁକ୍ଲ ଦଶମୀ ତିଥି । ଶାମ୍ବଙ୍କ ନାମାନୁସାରେ ସେ ଦିବସଟିକୁ ଶାମ୍ବ ଦଶମୀ କୁହାଯାଏ । ଏହି ଦିବସଟି ରବି ନାରାୟଣଙ୍କର ଉପାସନା ପାଇଁ ଏକ ପବିତ୍ର ଦିବସ ବୋଲି ଗ୍ରହଣ କରାଯାଇଛି ।
ଏକଦା ଶାମ୍ବ ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ବେଳେ ସୂର୍ଯ୍ୟଙ୍କର ଏକ ମଣି ବିଗ୍ରହ ପାଇଲେ । ସେ ଚନ୍ଦ୍ରଭାଗା କୂଳରେ ଏକ ମନ୍ଦିର ନିର୍ମାଣ କରି ସେ ତା’ ମଧ୍ୟରେ ମଣି ବିଗ୍ରହକୁ ସ୍ଥାପନ କରି ପୂଜା କଲେ । ସୂର୍ଯ୍ୟଙ୍କ ପୂଜାପାଇଁ ଶାମ୍ବ ଶାକଦ୍ୱୀପରୁ ମଗନାମଧ୍ୟେୟ ବ୍ରାହ୍ମଣମାନଙ୍କୁ ଆଣିଥିଲେ । ଏହାପୁଣି ସୂର୍ଯ୍ୟଙ୍କ ନିର୍ଦ୍ଦେଶରେ । ଶାକଦ୍ୱୀପରେ ବହୁ ଯୁଗରୁ ସୂର୍ଯ୍ୟ ଉପାସନା ହେଉଥିବାର ଏøତିହାସିକ ପ୍ରମାଣମାନ ଅଛି । ଏହା ମଧ୍ୟ ଆମଦେଶର ପୁରାଣମାନଙ୍କ ଦ୍ୱାରା ସମର୍ôଥତ ।
କୋଣାର୍କ ସୂର୍ଯ୍ୟ ଦେବଙ୍କର ପ୍ରଧାନ ଅଧିଷ୍ଠାନ କ୍ଷେତ୍ର । କୁହାଯାଏ ଯେ ସୂର୍ଯ୍ୟଙ୍କର ଜନ୍ମପୀଠ କଳିଙ୍ଗ ଦେଶ ।
ମାଘ ସପ୍ତମୀ ସୂର୍ଯ୍ୟଙ୍କର ଜନ୍ମତିଥି । ଶାମ୍ବଦଶମୀ ସୂର୍ଯ୍ୟପୂଜାର ଏକ ବଡ଼ପର୍ବ । ଉଭୟ ଦିବସ ହିନ୍ଦୁମାନଙ୍କର ଧର୍ମ, ଧାରଣା ଓ ବିଶ୍ୱାସରେ ଗୁରୁତ୍ୱପୂର୍ଣ୍ଣ ଦିବସ ।

ବିପିନ ବିହାରୀ ମହାନ୍ତି

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ