ଶିକ୍ଷାଜଗତର ଅମ୍ଳାନ ବ୍ୟକ୍ତିତ୍ୱ ପ୍ରଫେସର ଡକ୍ଟର ଲକ୍ଷ୍ମଣ ମହାପାତ୍ର
ହଳଧର ଧୀର
ଗୋଟିଏ ଜୀବନ ଓହ୍ଲାଇ ଆସେ ମାଟିକୁ ସମୟର ଘାତ ପ୍ରତିଘାତ ପରେ ପୁଣି ଦିନେ ଶୂନ୍ୟ ହୋଇଯାଏ ସେହି ମହାସତ୍ୟର ନିଷ୍ଠୁର କାଳ ଦେହେରେ ପାଣି ଫୋଟକା ପରି ମହାକାଳର ମହାସ୍ରୋତରେ ।ଏମିତି ବି ଜୀବନ ବଂଚି ରହେ ଯାହା ଉଭେଇଯାଏ ନାହିଁ ମଣିଷର ସ୍ମୃତିପଟ୍ଟରୁ ଯାହା ସରିଯାଏ ନାହିଁ ଆଖି ପଳକରେ । ଜୀବନର ସ୍ୱପ୍ନ ସାକାର ହୁଏ କର୍ମ ଓ ନିଷ୍ଠାରେ ଉତ୍ସର୍ଗୀକୃତ ଜୀବନ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଅମର କରେ । ମମତାର ସେତୁବନ୍ଧରେ ସମସ୍ତଙ୍କୁ ଚଲାଇପାରୁଥିବା, ସମସ୍ତଙ୍କ ମୁହଁରେ ହସ ଫୁଟାଇ ପାରୁଥବା, ନିଷ୍ଠା, ସଂକଳ୍ପ, ସାଧନା, ଦାମ୍ଭିକତା ଓ ଅହଂକାର ହୀନତା । ସମସ୍ତଙ୍କ ସ୍ନେହର ଡୋରୀରେ ବାନ୍ଧି ପାରୁଥିବା, ସେହି ଅମୃତ ମୟ ପୁରୁଷ ଯାହାଙ୍କ ଆଖିରେ ଥିଲା ଅନେକ ସ୍ୱପ୍ନ ନିଜ ପାଇଁ ନୁହେଁ । ଏକ ସୁନ୍ଦର ସୁସ୍ଥ ସମାଜ ପାଇଁ ସେ ଥିଲେ ଶ୍ରଦ୍ଧା ଓ ସମ୍ମାନର ବ୍ୟକ୍ତିତ୍ୱଟିଏ । ଶିକ୍ଷା ଜଗତର ଜଣେ ସିଦ୍ଧହସ୍ତ ସ୍ରଷ୍ଟା । ପ୍ରାଣ ପୂର୍ଣ୍ଣତା କର ସେବା, ତାଙ୍କ ଭାଷାର ଯାଦୁକାରୀ ମନ୍ତ୍ର ସମସ୍ତଙ୍କର ପ୍ରାଣକୁ ଛୁଇଁ ପାରୁଥିଲା । ସାଧନାର ସିଦ୍ଧି ପାଇଁ ପାଦ ଥାପିଥିଲେ ଶିକ୍ଷା ଜଗତରେ । ତାଙ୍କର ଭଲ ପାଇବାର ରଙ୍ଗରେ ଅନ୍ୟକୁ ରଙ୍ଗେଇ ପାରୁଥିବା ତାଙ୍କର ଚମତ୍କାରୀତା ତାଙ୍କୁ କାଳଜୟୀ କରିପାରିଛି । ସେ ହେଉଛନ୍ତି ଶିକ୍ଷା ଜଗତର ଜଣେ ପ୍ରଫେସର (ଶିକ୍ଷକ) ପୂଜା ଫୁଲରେ ମହକି ଉଠୁଥିବା ପ୍ରଫେସର ଡକ୍ଟର ଲକ୍ଷ୍ମଣ କୁମାର ମହାପାତ୍ର ପ୍ରତିଟି ବେଦନା ସିକ୍ତ ହୃଦୟର ପ୍ରତିକାର ଛାୟୀରେ ଅନ୍ତରଙ୍ଗ ଅଧ୍ୟୟନ, ବାସ୍ତବ ଅନୁଭବ ମାନବିକତାର ମହାମନ୍ତ୍ରରେ ମନ୍ତ୍ରାୟୀତ ସମବେଦନାର ସ୍ୱରକୁ ଅତି ମାର୍ମିକ ପଣରେ, ତୋଳି ଧରିଥିଲେ ଶିକ୍ଷା ଜଗତର ବକ୍ଷରେ । ଯନ୍ତ୍ରଣା ଜର୍ଜରିତ ମଣିଷ ଆତ୍ମାର ପ୍ରତୀକ ଭାବରେ ଭୀତତ୍ରସ୍ତ ଆର୍ଥିକ ଦୁର୍ବଳ ଛାତ୍ର ଶିକ୍ଷା କ୍ଷେତ୍ରରେ ଦୁର୍ବଳ ଛାତ୍ରର ମନରେ ଆଶାରକିରଣ ସୃଷ୍ଟି କରୁଥିଲେ ପ୍ରଫେସର ଡକ୍ଟର ମହାପାତ୍ର । ଅନୁଭବି ଛାତ୍ର ଓ ବଂଧୁମାନଙ୍କ ମତରେ ଏହି ନେତୃତ୍ୱ ବିଶାରଦଙ୍କର ଶ୍ରଦ୍ଧା ଓ ସ୍ନେହ ସେମାନଙ୍କ ଜୀବନର ଚଲାପଥ କୁ କୁସୁମିତ କରିଛି ।୧୯୨୯ ମସିହା ଅକ୍ଟୋବର ୨୯ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରୀରେ ଠାରେ ଜନ୍ମଲାଭ କରିଥିବା ଏହ ମହାନ ବ୍ୟକ୍ତିଙ୍କର ନିଜାଗଁ ଜନ୍ମମାଟି ନୀଳଗିରର ମୋହ ଓ ମାୟାକୁ ତୁଟାଇ ପାରିନଥିଲେ । ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ ଶିକ୍ଷା ସୁବିଧା ଓ ପରାମର୍ଶ ଯୋଗାଇ ଛାତ୍ର ଓ ସାଧାରଣ ଲୋକଙ୍କ ଜନଜୀବନରେ ବେଶ ଆଦର ଲାଭ କରିଥିଲେ । ସେହିପରି ପ୍ରତିଟି, ଆଦିବାସୀ, ଗରୀବ, ଅସହାୟ ମଣିଷକୁ ସହାୟତା ପ୍ରଦାନ କରି ସୁନାମ ଅର୍ଜନ କରିଥିଲେ । ସେ ଖାଲି ଜଣେ ସଫଳ ଶିକ୍ଷାବିତ ପ୍ରଫେସର ଭାବେ ସୁନାମ ଅର୍ଜନ କରି ନଥିଲେ । ଏଥି ସହ ଜନସାଧାରଣଙ୍କ ସୁଖ, ଦୁଃଖର ସାଥି ହେବା ପାଇଁ ନିଜର ଉତ୍ସର୍ଗୀକୃତ ଜୀବନ ବିତାଇବାରେ ସେ ପାଉଥିଲେ ଅପାର ଆନନ୍ଦ ।
ଏହି ମହାନ ବ୍ୟକ୍ତିତ୍ୱ ଜଣକ ବାରିପଦା ଏମ୍.କେ.ସି ହାଇସ୍କୁଲର ମାଟ୍ରିକ ପାସ କରିବା ପରେ ତାଙ୍କର ପରବର୍ତ୍ତୀ ଶିକ୍ଷା କଲିକତା ବିଶ୍ୱବିଦ୍ୟାଳୟ ରୁ ନୃତତ୍ତ୍ୱ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ୧୯୬୦ ଦଶକରେ ସେ ଜର୍ମାନ ର ହାମ୍ ବର୍ଗ ବିଶ୍ୱବିଦ୍ୟାଳୟରେ ପି.ଏଚ୍.ଡି. ଲାଭ କରି ଓଡ଼ିଶାର ଗୌରବ ବୃଦ୍ଧି କରିଥିଲେ । ତାଙ୍କ ସାଧନାର ସିଦ୍ଧି ସ୍ୱରୂପ ଜଣେ ବିଶିଷ୍ଟ ବିଦ୍ୱାନ ଭାବେ ତାଙ୍କ ଜୀବନ କାଳ ଭିତରେ ସେ ପାଇଥିଲେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ଓ ପୁରସ୍କାର । ଏହାଥିଲା ତାଙ୍କ ଜୀବନ ସଂଗ୍ରାମ ର ଏକ ଅଂଶମାତ୍ର ।ଆମେରିକାର ୱିଲିୟମ ଆଣ୍ଡମେରୀ କଲେଜରେ ସମ୍ମାନସୂଚକ ଗାନ୍ଧୀ ମେମୋରିଆଲ ବକ୍ତବ୍ୟ ବା ଭାଷଣ ପ୍ରଦାନ କରି ଗୌରବ ଅର୍ଜନ କରିଥିଲେ । ଶିକ୍ଷାବିତ୍ ଡକ୍ଟର ଚିନ୍ମୟୀ ଶତପଥୀଙ୍କ ମତରେ ନମ୍ର ଓ ହୃଦୟବାନ ବ୍ୟକ୍ତିତ୍ୱ ଭାବରେ ସମସ୍ତଙ୍କ ପାଇଁ ସେ ଥିଲେ ଜଣେ ପ୍ରେରଣା ଦାୟୀ ବ୍ୟକ୍ତିତ୍ୱ । ନିଜର ଇଚ୍ଛାକୁ କେବେହେଲେ କାହା ଉପରେଲଦି ଦେଉନଥିଲେ । ଅନ୍ୟର ସଫଳତାରେ ସେ ଆନନ୍ଦିତ ହେଉଥିଲେ । ସେଥିଲେ ଜଣେ ପିତୃପ୍ରୀତମ ମଣିଷ ।
୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ୧୯୮୯-୯୦ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳପତି ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ଫଳରେ ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗରେ ବହୁବିଧି ଉନ୍ନତି ହୋଇ ପାରିଥିଲା । ସେ ୟୁଜିସି ଦ୍ୱାରା ସମାଜ ବିଜ୍ଞାନରେ ପ୍ରଦତ୍ତ ସର୍ବୋଚ୍ଚ ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ଓଡ଼ିଆ ।
ଏତିକିରେ ତାଙ୍କର ଯାତ୍ରାପଥ ଅଟକି ନଥିଲା । ଉଚ୍ଚ ଶିକ୍ଷା କ୍ଷେତ୍ରରେ ତାଙ୍କର ଦୀର୍ଘ କାର୍ଯ୍ୟକାଳ ସମୟ ଅବଧି ମଧ୍ୟରେ ସେ ବିଭିନ୍ନ ଭାରତୀୟ ବିଶ୍ୱବିଦ୍ୟାଳୟରେ ଗବେଷଣା ଓ ଅଧ୍ୟାପନା ମଧ୍ୟ କରିଥିଲେ । ୧୯୯୦ ମସିହାରେ ସେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ସମୟରେ ସେହି ପ୍ରାଜ୍ଞ ବ୍ୟକ୍ତିଙ୍କର ବିଭିନ୍ନ ଗବେଷଣା ନିବନ୍ଧମାନ ୟୁନିସ୍କୋ, ୱାର୍ଲଡବ୍ୟାଙ୍କ ପ୍ରମୁଖ ଆନ୍ତର୍ଜାତୀୟ ସଂସ୍ଥା ମାନଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ସେହି ମହାନ ଶିକ୍ଷାଯୋଗୀ ସମାଜ ବିଜ୍ଞାନ ଓ ନୃତତ୍ତ୍ୱ ବିଜ୍ଞାନ ଉପରେ ତାଙ୍କ ଅନେକ ସୃଷ୍ଟି (ରଚିତ ପୁସ୍ତକ) ଆଜି ଦେଶ ବିଦେଶରେ ବେଶ ଆଦୃତ ହୋଇ ପାରିଛି । ଜଣେ ପ୍ରଫେସର ଭାବେ ସେ ଦେଶ ଓ ବିଦେଶରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ।୧୯୫୩ ମସିହାରୁ ଆରମ୍ଭ ହୋଇଥିଲା ତାଙ୍କର ଶ୍ରେଷ୍ଠ କର୍ମମୟ ଜୀବନ । କିଛି ସମୟ ପାଇ ସେ ଓଡ଼ିଶା ଆଦିବାସୀ ଗବେଷଣା ସଂସ୍ଥାରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟାପକ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ।
ଓଡିଶାର ଜାତି ପ୍ରଥାରେ ହିନ୍ଦୁରାଜା ମାନଙ୍କର ଭୂମିକା, ଅନୁସୂଚିତ ଜାତି, ଜନଜାତି ବା ଆଦିବାସୀ, ଝୁମଚାଷ ଓ ସାମାଜିକ ଆନ୍ଦୋଳନ ଉପରେ ତାଙ୍କର କାର୍ଯ୍ୟଶୈଳୀ ଅବିସ୍ମରଣୀୟ । ତାଙ୍କର ଡକ୍ଟରେଟ ନିବନ୍ଧ ପାହାଡି ବା ପାଉଡି ଭୂୟାଁଙ୍କ ଉପରେଲେଖା ହୋଇଥିବାରୁ ତାହା ସାମାଜିକ ନୃତତ୍ୱ ଗବେଷଣାରେ ଏକ ମାଇଲଖୁଣ୍ଟ ହୋଇ ରହିଯାଇଛି ।
ଶ୍ରଦ୍ଧା, ସେବା ଓ ସୃଜନ ଯଜ୍ଞର ଯଶ୍ୱସୀ ମଣିଷ ପ୍ରଫେସର ଡକ୍ଟର ଲକ୍ଷ୍ମଣ କୁମାର ମହାପାତ୍ର ଆଜି ଅନ୍ୟ ବଗିଚାର ଫୁଲ । ଆମ ପରି ସମସ୍ତଙ୍କ ହୃଦୟରେ ସେ ହସି ଖେଳି ବୁଲୁଛନ୍ତି । ତାଙ୍କର ଯାତ୍ରାପଥ ଅସଂଖ୍ୟ ଫୁଲର ମହୋତ୍ସବରେ ଭରା । ସେହି ସେବା ଯଜ୍ଞର ପୁରୋଧା, ଶିକ୍ଷା ଜଗତର ଅପ୍ରତିଦ୍ୱନ୍ଦୀ ପ୍ରଫେସର ଙ୍କ ଅବର୍ତ୍ତମାନରେ ଦିବଙ୍ଗତ ଆତ୍ମାକୁ ପ୍ରଣାମ ଜଣାଇବା ଆମ୍ଭ ମାନଙ୍କର ପରମ କର୍ତ୍ତବ୍ୟ ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
mail- haladhar.dhir@gmail.com


