ଶିବମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ ; ଏତଲା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ଗଡଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମ ଶ୍ରୀ ଚନ୍ଦ୍ରକଳ୍ପେଶ୍ଵର ଶିବମନ୍ଦିର ପ୍ରବେଶଦ୍ୱାର ଗ୍ରିଲ ତାଡି ଦୁର୍ବୃତ୍ତ ମାନେ ଭିତରେ ପ୍ରବେଶ କରିବା ସହ ଦାନବାକ୍ସ ଭାଙ୍ଗି ଦୁର୍ବୃତ୍ତ ମାନେ ପ୍ରାୟ ୧୨ ହଜାର ରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।ଶନିବାର ବିଳମ୍ବିତ ରାତିରେ ଏହି ଚୋରି ଘଟଣା ଘଟିଛି। କୋଭିଡ଼ – ୧୯ ଗାଇଡ ଲାଇନ ଅନୁଯାୟୀ ଦୀର୍ଘଦିନ ହେଲା ଶିବମନ୍ଦିର ବନ୍ଦ ରହିଛି। ଏହାରି ସୁଯୋଗ ନେଇ ରାତିରେ ଦୁର୍ବୃତ୍ତ ମାନେ ପୂର୍ବ ଯୋଜନା ପ୍ରକାରେ ମନ୍ଦିର ପ୍ରବେଶ ଦ୍ଵାର ର ତାଲା କୁ ତାଡି ଭିତରେ ପଶିଥିଲେ। ଦାନ ବାକ୍ସ କୁ ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା,ପଇସା ଲୁଟି ନେବା ସହ ଭଣ୍ଡାର ଘର ଓ ଅଫିସ ରୁମ ର ତାଲା ଭାଙ୍ଗି ବିଭିନ୍ନ ଆସବାବ ପତ୍ର ଫିଙ୍ଗା ଫୋପଡ଼ା କରିଥିବା ଜଣାପଡିଛି। ଭଣ୍ଡାର ଘରେ ବହୁସଂଖ୍ୟକ ରସ, ପିତ୍ତଳ ନିର୍ମିତ ହଣ୍ଡା, ହାଣ୍ଡି ଥିଲେ ମଧ୍ୟ ଦୁର୍ବୃତ୍ତ ମାନେ ସେସବୁ ନେଇନାହାନ୍ତି। ରବିବାର ଭୋର ରେ ମନ୍ଦିର ପୂଜାରୀ ପୂଜାକାର୍ୟ୍ୟ ପାଇଁ ମନ୍ଦିର କୁ ଯାଇଥିବା ବେଳେ ଘଟଣା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ବହୁ ସଂଖ୍ୟକ ଗ୍ରାମବାସୀ ମନ୍ଦିରରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଚୋରି ଘଟଣା ସମ୍ପର୍କରେ କେ. ନୂଆଗାଁ ଥାନା ରେ ରିପୋର୍ଟ କରିଥିଲେ। ରିପୋର୍ଟ କୁ ଭିତ୍ତି କରି ନୂଆପଡ଼ା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡିଛି।


