ଶୀଘ୍ର ତରଳୁଛି ପାଣି ତଳେ ଥିବା ଗ୍ଲାସିୟର
ଗ୍ରୀନ୍ଲାଣ୍ଡ, ଆଲାସ୍କା ଓ ଆଣ୍ଟାର୍କଟିକାରେ ଭାସମାନ ବିରାଟକାୟ ଗ୍ଲାସିୟର ଏବେ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଏହା ଫଳରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବ ବୋଲି ୟୁର୍ଟଗର୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ ଆଶଙ୍କା ପ୍ରକଟ କରିଛନ୍ତି । ଏ ସମ୍ପର୍କିତ ତଥ୍ୟ ସାଇନ୍ସ ଜର୍ନାଲରେ ପ୍ରକାଶ ପାଇଛି । ଗବେଷକମାନେ ପାଣି ଭିତରେ ରହିଥିବା ଗ୍ଲାସିୟରର ଅଂଶକୁ ସୋନାର ଟେକ୍ନିକ ମାଧ୍ୟମରେ ସ୍କାନ୍ କରିଥିଲେ । ପାଣି ଉପରେ ରାଡାର ଦ୍ୱାରା ଗ୍ଲାସିୟରର ବେଗକୁ ମଧ୍ୟ ମାପ କରିଥିଲେ । ଏହାବାଦ ଟାଇମ୍ଲାପ୍ସ ଫଟୋଗ୍ରାଫି ମାଧ୍ୟମରେ ପାଣି ତଳେ ଗ୍ଲାସିୟରରୁ ଖଣ୍ଡ ବିଖଣ୍ଡିତ ହେଉଥିବା ବରଫ ଖଣ୍ଡକୁ ଠାବ କରାଯାଇଥିଲା । ୱେଦର ଷ୍ଟେଶନର ତଥ୍ୟକୁ ବି ବିଶ୍ଳେଷଣ କରାଯାଇ ଏହାର ପୃଷ୍ଠଭାଗରେ ଥିବା ବରଫ କେତେ ତରଳୁଛି ତାହାକୁ ୨୦୧୬-୨୦୧୮ ମଧ୍ୟରେ ଅନୁଧ୍ୟାନ କରାଯାଇଥିଲା । ଏହା ପରେ ଦେଖାଯାଇଥିଲା ଯେ ପାଣି ତଳେ ଥିବା ବରଫ ପୂର୍ବାପେକ୍ଷା ଶୀଘ୍ର ତରଳୁଛି ଓ କେତେକ କ୍ଷେତ୍ରରେ ଏହା ୧୦୦ ଗୁଣ ଅଧିକ ବେଗରେ ତରଳୁଛି ।


