ଶୃଙ୍ଖଳା ଜ୍ଞାନ ବଳରେ ଛାତ୍ରଛାତ୍ରୀ ସୁନାଗରିକ ହୋଇପାରିବେ : ବାଚସ୍ପତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଝାଡ଼ବାଇସ୍ଥିତ ଗୌରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ଅଭିଭାବକମାନଙ୍କର ଗୁରୁଦାୟିତ୍ୱ ରହିଛି । ସେହିଭଳି ବିଦ୍ୟାଳୟର ଉନ୍ନତିରେ ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣଙ୍କ ସହଯୋଗ ରହିବା ଆବଶ୍ୟକ । ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ । ଶିକ୍ଷାନିକେତନ ହେଉଛି ଏକ ମଣିଷଗଢ଼ା କାରଖାନା । ତେଣୁ ସେମାନଙ୍କୁ ସତ୍ଶିକ୍ଷା ଦେଲେ ଏବଂ ଶୃଙ୍ଖଳା ଜ୍ଞାନ ଦେଲେ ସେମାନେ ସୁନାଗରିକ ହୋଇ ଦେଶର ସୁନାମ ରଖିପାରିବେ । ସରକାରଙ୍କ ସାହାଯ୍ୟ ବିନା ମଧ୍ୟ ଶିକ୍ଷାନୁଷ୍ଠାନ ଚାଲିପାରିବ ଓ ଉତ୍ତମ ଫଳ ପ୍ରଦର୍ଶନ କରିପାରିବ । ଏକ ବେସରକାରୀ ଶିକ୍ଷା ସଂଗଠନର ଉଦାହରଣ ଦେଇ ସେ ଏହା କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ ଶିକ୍ଷା ହେଉଛି ସମାଜର ଦର୍ପଣ । ପରାଧୀନ ଭାରତରେ ଶାସନ କରୁଥିବା ଇଂରେଜମାନେ ମଧ୍ୟ ଅନୁଭବ କରିଥିଲେ ଯେ ଶିକ୍ଷାର ଉନ୍ନତି ବିନା ଭାରତକୁ ଶାସନ କରିବା ଅସମ୍ଭବ । ଶିକ୍ଷାର ଉନ୍ନତି ନଘଟିଲେ ଦେଶର ପ୍ରଗତି ହୋଇପାରିବ ନାହିଁ । ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି ଦିଗରେ ସମସ୍ତଙ୍କର ଭୂମିକା ରହିଛି । ଏହା ଛଡ଼ା ଶ୍ରୀ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ୟ୍ୟାବଳୀ ଓ ପ୍ରଚଳିତ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । କବିସୂର୍ୟ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ସାହୁ, ଖଲିକୋଟ ବିଧାୟିକା ଶ୍ରୀମତୀ ସୂର୍ୟ୍ୟମଣି ବୈଦ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡା ଆଦି ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ । ଏହା ଛଡ଼ା ବାଚସ୍ପତି ଡ. ପାତ୍ର ପୁରୁଷୋତ୍ତମପୁର ବ୍ଲକ୍ ପାଣ୍ଡିଆଠାରେ ଏକ କଲ୍ୟାଣମଣ୍ଡପ, ଅଙ୍ଗନବାଡ଼ି କେନ୍ଦ୍ର ଓ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ କାର୍ୟ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଦାଶ, ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ବିଧାୟିକା ଶ୍ରୀମତୀ ପ୍ରଧାନ, ଶ୍ରୀମତୀ ବୈଦ୍ୟ, ବିଧାୟକ ଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


