ଶେଷ ପର୍ଯ୍ୟାୟରେ ପୌର ନିର୍ବାଚନର ପ୍ରଚାର :ବାଲେଶ୍ୱର ପୌରାଞ୍ଚଳରେ ବିଜେଡିର ବାଇକ ଶୋଭାଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) :ପୌର ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳଙ୍କ ପ୍ରଚାର ଅଭିଯାନ ବେଶ ଜୋରଦାର ହୋଇଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ସହରରେ ଏକ ବିଶାଳ ବାଇକ ରାଲି ଅନଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟ ଦଳୀୟ ଜିଲା କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ବିଭିନ୍ନ ୱାର୍ଡ଼ ପରିକ୍ରମା କରିଥିଲା । ବିଜେଡି ଜିଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗ ଦେବା ସହ ଏକ ବାଇକରେ ବସି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନାର ସୁଫଳ ବାଲେଶ୍ୱର ସହରର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପାରିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନ ଭଳି ଚଳିତ ପୌର ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳକୁ ଆଶାତୀତ ସଫଳତା ମିଳିବ ବୋଲି ଶ୍ରୀ ଜେନା ଦୃଢ଼ ଆଶା ପ୍ରକାଶ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା ଏଥିରେ ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଉପ-ନିର୍ବାଚନ ବେଳେ ଯେଉଁ ଭଳି ବିପୁଳ ସମର୍ଥନ ଦେଇ ବାଲେଶ୍ୱରର ଜନସାଧାରଣ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲେ ପୌର ନିର୍ବାଚନରେ ବି ଅନୁରୂପ ସମର୍ଥନ ସହ ପୌରାଧ୍ୟକ୍ଷା ପ୍ରାର୍ଥିନୀ ସବିତା ସାହୁ ଓ ସମସ୍ତ କାଉସିଲର ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାକୁ ସେମାନେ ନିବେଦନ କରିଥିଲେ । ଏହି ବାଇଲ ର‌୍ୟାଲିରେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ତାରକାମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବାକୁ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ସହରବାସୀଙ୍କୁ ନିବେଦନ କରିଥିଲେ । ପୌରାଧ୍ୟକ୍ଷା ପ୍ରାର୍ଥିନୀ ସବିତା ସାହୁଙ୍କ ସମେତ ବିଜେଡିର ସମସ୍ତ କାଉନସିଲର ପ୍ରାର୍ଥୀ ଓ ବହୁ ସଂଖ୍ୟାରେ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ । ବିଭିନ୍ନ ସ୍ଥାନରେ ଏହି ରାଲିକୁ ଉଚ୍ଛାସ୍ୱିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ