ବିଜେପି ପକ୍ଷରୁ ନିର୍ବାଚନୀ ପଦଯାତ୍ରା ପୌରାଧ୍ୟକ୍ଷ ପ୍ରାର୍ଥିନୀ ରଶ୍ମିରେଖା ଦେବଙ୍କ ଭୋଟଭିକ୍ଷା

ବାଲେଶ୍ୱର, (ସରୋଜ ପଣ୍ଡା) :ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ବିଜେପି ପକ୍ଷରୁ ବିଭିନ୍ନ ୱାର୍ଡ଼ରେ ଗଣ ପଦଯାତ୍ରା ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ବୈରାମନଗର, ନଲମଗଞ୍ଜ, ମାକଲପୁର ପ୍ରଭୃତି ଅଞ୍ଚଳକୁ ନେଇ ଗଠିତ ୧୩ ନମ୍ବର ୱାର୍ଡ଼ରେ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି ପୌରାଧ୍ୟକ୍ଷା ପ୍ରାର୍ଥିନୀ ରଶ୍ମିରେଖା ଦେବ ଯୋଗଦେଇ ନିଜ ସହ ସମସ୍ତ ଦଳୀୟ କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ରାଜ୍ୟ ସରକାରଙ୍କ ତଥାକଥିତ ବିକାଶ ଧାରା ବାଲେଶ୍ୱର ସହରରେ ବାଟବଣା ହୋଇଥିବା ନେଇ ଶ୍ରୀମତୀ ଦେବ ଆରୋପ କରିଥିଲେ । ୱାର୍ଡମାନଙ୍କରେ ରହିଥିବା ମୌଳିକ ସମସ୍ୟା ସମାଧାନ ପାଇଁ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ ହୋଇଥିବା ବେଳେ ଏକମାତ୍ର ବିକଳ୍ପ ବିଜେପିର ସମସ୍ତ କାଉନସିଲର ଓ ପୌରାଧ୍ୟକ୍ଷା ଭାବେ ତାଙ୍କୁ ବିପୁଳ ଜନସମର୍ଥନ ଦେବାକୁ ସେ ୱାର୍ଡ଼ବାସୀଙ୍କୁ ନିବେଦନ କରିଥିଲେ । ୧୩ନଂ ୱାର୍ଡର କାଉନସିଲର ପ୍ରାର୍ଥିନୀ ପ୍ରତିମା ବେହେରା ଏଥିରେ ଉପସ୍ଥିତ ରହି ନିଜ ପାଇଁ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ଏଥିରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଥିଲେ ।ଦୀର୍ଘ ଦିନରୁ ବାଲେଶ୍ୱର ପୌରାଞ୍ଚଳ ଲୋକେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଚାଲିଥିବା ବେଳେ ଶାସକ ଦଳ ବିଜେଡିର ଭୁଆଁବୁଲା କଥାରୁ ଲୋକେ ମୁହଁ ମୋଡିଲେଣି ବୋଲି ସେ କହିଥିଲେ । ସହରର ଦ୍ରୁତ ବିକାଶ ପାଇଁ ବିଜେପିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ରଶ୍ମିରେଖା ଦେବଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବକୁ ଶ୍ରୀ ଦତ୍ତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଅରୂପ କୁମାର ଜେନା ଓ ବିକାଶ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପଦଯାତ୍ରାରେ ବହୁ ଯୁବ, ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ