ଶୋକାକୂଳ ପରିବେଶରେ ଜଗନ୍ନାଥ ଜୀଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲେଶ୍ୱର, (ସରୋଜ ପଣ୍ଡା):୨୯ ତାରିଖରେ ପରଲୋକ ଘଟିଥିବା ବିଶିଷ୍ଟ ରାଜନେତା ଶିକ୍ଷାବିତ ଜଗନ୍ନାଥ ଜୀଙ୍କର ନିଜ ଗ୍ରାମ ରସାଳପୁର ଶ୍ମଶାନରେ ଶୁକ୍ରବାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଯିବା ପରେ ଆଜି ସକାଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଦର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବିଧାୟକ ଗୋବିନ୍ଦ ଦାସ ଓ ବିଧାୟକ ସୁଦର୍ଶନ ଜେନା, ପ୍ରଫେସର ଡ. ବାସନ୍ତୀ ଦେ ଚକ୍ରବର୍ତ୍ତୀ, ବିଜେପି ନେତା ମାନସ ଦତ୍ତ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ସତ୍ୟରଂଜନ ଦାସ, ମନୋଜ ରାଉତ, ସମାଜସେବୀ ଅନିରୁଦ୍ଧ ପ୍ରସାଦ ଦାସ, ପର୍ଶୁରାମ ପରିଡ଼ା, ଅର୍ଜୁନ ଦାସ, ଅରୁଣ ଦେ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ମହାନ୍ତି, ଲକ୍ଷ୍ମୀଧର ସ୍ୱାଇଁ, ବିଜେପି ନେତ୍ରୀ ଶୋଭନା ମହାନ୍ତି ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବାହ୍ଣ ସାଢ଼େ ୧୦ଟାରେ ସ୍ୱର୍ଗତ ଜୀଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ପଟୁଆରରେ ସ୍ଥାନୀୟ ପଞ୍ଚାୟତ ଅଫିସ୍‌, ଡାକ୍ତରଖାନା, ହାଇସ୍କୁଲ୍ ଏବଂ କଲେଜ୍‌କୁ ନିଆଯାଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ସହସ୍ରାଧିକ ଆବାଳବୃଦ୍ଧ ଛିଡ଼ା ହୋଇ ପ୍ରିୟ ମଣିଷଙ୍କୁ ଅଶ୍ରୁପ୍ଳୁତ ନୟନରେ ବିଦାୟ ଦେଇଥିଲେ । ଶବାଧାରରେ ତାଙ୍କର ପୁତ୍ର ଅଶୋକ, ଆଲୋକ, ବିନୋଦ, ସରୋଜ, ମନୋଜ ଏବଂ ଅନ୍ୟାନ୍ୟ ପରିବାରବର୍ଗ ଉପସ୍ଥିତ ଥିବାବେଳେ ତାଙ୍କର ଜ୍ୟେଷ୍ଠପୁତ୍ର ଅଶୋକ ଜୀ ମୁଖାଗ୍ନି ଦେଇଥିଲେ । ୧୯୩୬ ମସିହା ଅକ୍ଟୋବର ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଜନସଂଘରେ ଯୋଗଦେଇ ପ୍ରଥମେ ରସାଳପୁର ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ପରେ ଜନସଂଘରୁ ଦୁଇଥର ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଏହାପରେ ସେ ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଜନତା ଦଳରେ ଯୋଗ ଦେଇଥିଲେ । ସେ ପ୍ରଥମେ ଶିକ୍ଷକତା ଆରମ୍ଭ କରି ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ପ୍ରତିଷ୍ଠା ଅର୍ଜନ କରିଥିଲେ । ତାଙ୍କ ଉଦ୍ୟମରେ ରସାଳପୁର ହାଇସ୍କୁଲ୍ ଏବଂ କଲେଜ୍ ପ୍ରତିଷ୍ଠା ହୋଇଥିଲା । ସମାଜସେବା କ୍ଷେତ୍ରରେ ସେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ