ଶ୍ରମବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଚୁକ୍ତି ପରେବି ସିକ୍ୟୁରିଟି ସଂସ୍ଥା ଦ୍ୱାରା ସିକ୍ୟୁରିଟି ଗାର୍ଡ ନିର୍ଯ୍ୟାତିତ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ଶ୍ରମ କାର୍ଯ୍ୟାଳୟର ଗ୍ରାମୀଣ ଶ୍ରମ ନିରୀକ୍ଷକଙ୍କ ଉପସ୍ଥିତିରେ ସିକ୍ୟୁରିଟି ସଂସ୍ଥାର ପରିଚାଳକ ସମାସ୍ୟାର ସମାଧାନ କରିବାକୁ ଚୁକ୍ତି କରିବା ପରେ ପୁନର୍ବାର ସିକ୍ୟୁରିଟି ଗାର୍ଡଙ୍କୁ ନିର୍ଯ୍ୟାତନା ଦେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିଥିବା କଟକର କଳିଙ୍ଗ ୱାରିଅରସ ସିକ୍ୟୁରିଟି ସର୍ଭିସେସ ନିଯୁକ୍ତି ପ୍ରଦାନ କରିଥିବା ସିକ୍ୟୁରିଟି ଗାର୍ଡମାନଙ୍କୁ ଇ.ଏସ.ଆଇ. ଯୋଜନାରେ ଅନ୍ତର୍ଭୁକ୍ତ ନକରିବା, ୯ହଜାର ୬ଶହ ଟଙ୍କା ମାସିକ ଦରମା ବଦଳରେ ୭ହଜାର ୫ଶହ ଟଙ୍କା ପ୍ରଦାନ କରାଯାଉଥିବା, ସରକାରଙ୍କ ଠାରୁ କରୋନା ଇନସିଏଟିଭ ବାବଦ ପ୍ରତି ସିକ୍ୟୁରିଟି ଗାର୍ଡଙ୍କ ପାଇଁ ମିଳିଥିବା ୯ହଜାର ୬ଶହ ଟଙ୍କା ବଦଳରେ ୭ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଥିବା ଓ ସେମାନଙ୍କ ମାସିକ ଦରମାରୁ ଇ.ପି.ଏଫ. ବାବଦ ଅର୍ଥ କଟାନଯିବା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ ନୋଟିସ କରାଯିବା ପରେ ଗତ ୨୦୨୦ମସିହା ନଭେମ୍ବରମାସ ୧୨ତାରିଖରେ ଅଭିଯୋଗକାରୀ ସିକ୍ୟୁରିଟି ଗାର୍ଡ ଓ କଳିଙ୍ଗ ୱାରିଅରସ ସିକ୍ୟୁରିଟି ସର୍ଭିସେସର ପରିଚାଳକ ରଜନୀକାନ୍ତ ସାହୁଙ୍କ ମଧ୍ୟରେ ଗ୍ରାମୀଣ ଶ୍ରମ ନିରୀକ୍ଷକ ଦେବାଶିଷ ଜେନାଙ୍କ ଉପସ୍ଥିତିରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେହି ଚୁକ୍ତିନାମା ଅନୁଯାଇ ସଂପୃକ୍ତ ସିକ୍ୟୁରିଟି ସଂସ୍ଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେହି ଡାକ୍ତରଖାନା ଅଧିନରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପ୍ରଦାନ କରିଥିବା ସିକ୍ୟୁରିଟି ଗାର୍ଡମାନଙ୍କ ସମସ୍ତ ଦାବି ପୁରଣ କରିବା ସହ ସେମାନଙ୍କ କଲ୍ୟାଣ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ଏବଂ ଭବିଷ୍ୟତରେ ଏସମ୍ପର୍କରେ କୈାଣସି ଅଭିଯୋଗ ଆସିବନାହିଁ ବୋଲି ଲିଖିତ ଭାବେ ଚୁକ୍ତି କରିଥିଲେ । ଗାର୍ଡମାନଙ୍କ ପକ୍ଷରୁ ସେହିଚୁକ୍ତିନାମାରେ ଅଲେଖ ସେନାପତି, କୃପାସିନ୍ଧୁ ବେହେରା, ଗୈାରାଙ୍ଗ ଧଳ, ଗୋପିନାଥ ବାରିକ, ଜଗବନ୍ଧୁ ବାରିକ, ଦୀପକ କୁମାର ମଲ୍ଲିକ, ଅଜୟ କୁମାର ଜେନା ପ୍ରମୁଖ ସ୍ୱାକ୍ଷର କରିଥିଲେ । କିନ୍ତୁ ଏବେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ଯେ ନିକିରାଇ ଥାନା ଅନ୍ତର୍ଗତ କୁତୁରଙ୍ଗ ଗ୍ରାମର ହରିଶ୍ଚନ୍ଦ୍ର ମଲ୍ଲିକଙ୍କ ପୁଅ ଦୀପକ ମଲ୍ଲିକ ଏହି ସଂସ୍ଥା ପକ୍ଷରୁ କୋଭିଡ ସେଂଟରରେ ୬ମାସରୁ ଉର୍ଦ୍ଧ୍ୱ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରିଥିବା ବେଳେ ତାଙ୍କୁ ଦରମା ପ୍ରଦାନ କରାନଯାଇ ଚାକିରୀରୁ ବିଦା କରିଦେଇଛନ୍ତି । ଏଥିସହିତ ଦୀପକଙ୍କର ଇ.ଏସ.ଆଇ. ଓ ଇ.ପି.ଏଫ. ବାବଦ ଅର୍ଥ ମଧ୍ୟ ଠିକ ଭାବେ କଟାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଶ୍ରମ ନିରୀକ୍ଷକଙ୍କ ଉପସ୍ଥିତିରେ ଚୁକ୍ତିକରି ତାହାର ଖିଲାପ କରିଥିବା ଏହି ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦୀପକ ନିବେଦନ କରିଛନ୍ତି । ଏସମ୍ପର୍କରେ ଦୀପକ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ