ଶ୍ରମିକଙ୍କ ମହାନତା ଯୋଗୁ ପୁରୀ ଭୋଗ ସହିତ ମହିଳା ଫେରି ପାଇଲେ ଟଙ୍କା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଶ୍ରମିକ ହୋଇ ସୁଦ୍ଧା ପରଧନ ପ୍ରତି ଲାଳାୟିତ ନହୋଇ ସ୍ୱାଭିମାନର ସହିତ ବଞ୍ଚିବା ପାଇଁ ଅନେକ ଲୋକ ପସନ୍ଦ କରିଥାଆନ୍ତି । ଯାହାର ଜ୍ଜ୍ୱଳନ୍ତ ଉଦାହରଣ ଆଜି ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଅଞ୍ଚଳରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ମହିଳା ବାସନ୍ତୀଲତା ସାହୁ ଆଜି ସକାଳୁ ଟ୍ରେନ ଯୋଗେ ପୁରୀରୁ ଆସି ଚରମ୍ପା ଠାରେ ଓହ୍ଲାଇଥିଲେ । ସେଠାରୁ ଏକ ଅଟୋରେ ବସି ବାଇପାସ ଆସି ସିଧା ଘରକୁ ଚାଲିଯାଇଥିଲେ । ଯେଉଁ ଅଟୋରେ ମହିଳା ଜଣକ ଆସିଥିଲେ ଉକ୍ତ ଗାଡିରେ ମଧ୍ୟ ବାଇପାସରୁ କିଛି ରାଜମିସ୍ତ୍ରୀ ଓ ଶ୍ରମିକ ମଞ୍ଜୁରୀରୋଡ ଥଇଳା ଗ୍ରାମର ନୃସିଂହ ସାହୁଙ୍କ ଘରକୁ କାମ ପାଇଁ ଆସିଥିଲେ । ଅଟୋରୁ ଶ୍ରମିକମାନେ ଓହ୍ଲାଇବା ପରେ ଗାଡିରେ କେବଳ ଗୋଟିଏ ବ୍ୟାଗ ରହିଯାଇଥିଲା । ଏହାକୁ ଘର ମାଲିକ ଶ୍ରୀ ସାହୁ ଦେଖି ଶ୍ରମିକଙ୍କୁ ତାଙ୍କ ବ୍ୟାଗ ଗାଡିରେ ରହିଯାଇଥିବା କଥା କହିଥିଲେ । କୌଣସି ଶ୍ରମିକଙ୍କର ବ୍ୟାଗଟି ନୁହେଁ ବୋଲି ସେମାନେ କହିବା ପରେ ଗାଡିଟି ଯିବା ପୂର୍ବରୁ ଘରମାଲିକ ବ୍ୟାଗଟିକୁ ନିଜ ଅକ୍ତିଆରକୁ ଆଣିଥିôଲେ । ଏହାପରେ ବ୍ୟାଗଟିକୁ ଖୋଲି ସେଥିରେ ପୁରୀ ଭୋଗ ସହିତ ଲୁଗାପଟା,ଆଧାରକାର୍ଡ, କରୋନା ଟିକା ପ୍ରମାଣପତ୍ର, ୧୯ହଜାର ଟଙ୍କା ଥିôବା ସମସ୍ତେ ଦେଖିବାକୁ ପାଇଥିଲେ । ତତକ୍ଷଣାତ ଘରମାଲିକ ଆଧାରକାର୍ଡ ସୂଚନା ଅନୁଯାୟୀ ବ୍ୟାଗ ଛାଡିଥିବା ଲୋକଙ୍କୁ ଫୋନ କରିଥିଲେ । ପରେପରେ ମଞ୍ଜୁରୀରୋଡ ଠାରେ ପୁରୀରୁ ଫେରିଥିବା ବାସନ୍ତୀଲତା ସାହୁ ପହଞ୍ଚି ସମସ୍ତ ଘଟଣା କହିବା ସହ ଅଟୋରେ ବ୍ୟାଗ ଛାଡି ଚାଲିଯାଇଥିବା କଥା କହିଥିଲେ । ଏହା ପରେ ସମସ୍ତ ପ୍ରମାଣପତ୍ର ସହିତ ଶ୍ରମିକଙ୍କ ଉପସ୍ଥିତିରେ ମହିଳାଙ୍କୁ ଘରମାଲିକ ଟଙ୍କା ଓ ସାମଗ୍ରୀପୂର୍ଣ୍ଣ ବ୍ୟାଗ ପ୍ରଦାନ କରିଥିଲେ । ଶ୍ରମିକ ମାନଙ୍କର ମହାନତାକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।


