ଶ୍ରମିକ ଟ୍ରେନରେ ଖର୍ଚ୍ଚ ୨୪ କୋଟି
ନୂଆଦିଲ୍ଲୀ: କୋଭିଡ ଲକଡାଉନ ଯୋଗୁଁ ଫସି ରହିଥିବା ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଶ୍ରମିକ ଏକ୍ସପ୍ରେସ ବ୍ୟବସ୍ଥା କରିଥିଲେ । ମେ ୩ ତାରିଖ ପର୍ଯ୍ୟନ୍ତ ରେଳବାଇ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ଛାଡ଼ିବା ପାଇଁ ୩୪ ‘ଶ୍ରମିକ ଏକ୍ସପ୍ରେସ’ ଟ୍ରେନ ଚଳାଚଳ କରିଥିଲା । ଏହି ଟ୍ରେନଗୁଡ଼ିକର ଚଳାଚଳ ପାଇଁ ମୋଟ ୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ରେଳବାଇ ତନ୍ମଧ୍ୟରୁ ୮୫% ବା ପାଖାପାଖି ୨୦ କୋଟି ଟଙ୍କା ବହନ କରିଥିବା ବେଳେ ବଳକା ୧୫% ରାଜ୍ୟ ସରକାରମାନେ ଦେଇଛନ୍ତି । ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆଗାମୀ ଦିନରେ ଆହୁରି ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିବ । ଟ୍ରେନ ସଂଖ୍ୟା ଆହୁରି ବଢ଼ିବାକୁ ଥିବାରୁ ରେଳ ମନ୍ତ୍ରାଳୟକୁ ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡ଼ିବ ।
ଉଲ୍ଲେଖଯୋଗ୍ୟ, ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ଛାଡ଼ିବା ପାଇଁ କେନ୍ଦ୍ର ସରକାର ସେମାନଙ୍କ ଠାରୁ ଭଡ଼ା ଆଦାୟ କରୁଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ । ଏହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଶ୍ରମିକଙ୍କ ଟ୍ରେନ ଭଡ଼ା କଂଗ୍ରେସ ବହନ କରିବ ବୋଲି କହିଥିଲେ । କିନ୍ତୁ ସୋନିଆଙ୍କ ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏମିତି କି ତାଙ୍କର ଏହି ବୟାନକୁ ଇଟାଲୀ ସହ ଯୋଡାଯାଇଥିଲା । ଭାରତକୁ ଇଟାଲୀରେ ପରିଣତ କରାଯିବ ନାହିଁ ବୋଲି କୁହାଯାଇଥିଲା । ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଥିଲା । ଶ୍ରମିକ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ରେଳବାଇ ୮୫% ଖର୍ଚ୍ଚ ବହନ କରିବ ବୋଲି କୁହାଯାଇଥିଲା । ଏହା ପରେ ଏହାକୁ ନେଇ ରାଜନୀତି ଥମିଥିଲା ।


