ଶ୍ରମିକ ଦିବସରେ ‘ଓଡ଼ିଶା ସାମ୍ବାଦିକ ୟୁନିୟନ’ର ପ୍ରତିବାଦ
ବାଲେଶ୍ୱର, (ସରୋଜ ପଣ୍ଡା):ଆନ୍ତର୍ଜାତିକ ଶ୍ରମ ଦିବସ ଅବସରରେ ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ) ବାଲେଶ୍ୱର ଶାଖା ପକ୍ଷରୁ ପ୍ରତିବାଦ ଦିବସ ପାଳନ କରାଯାଇଛି । ସ୍ଥାନୀୟ ଷ୍ଟେସନ କ୍ଲବ ଠାରେ ୟୁନିୟନର ଜିଲା ସଭାପତି ଗଙ୍ଗାଧର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଷ୍ଟେସନ କ୍ଲବ ସଭାପତି ଗିରିଜା ଶଙ୍କର ଦାସ ଯୋଗଦେଇ ସାମ୍ବାଦିକଙ୍କ ନ୍ୟାୟ ସଙ୍ଗତ ଦାବିକୁ ସମର୍ଥନ ଜଣାଇଥିଲେ । ୟୁନିୟନର ସମ୍ପାଦକ ବିବେକାନନ୍ଦ ଦାସ, ସାମ୍ବାଦିକ ଅଜିତ କୁମାର ମହାନ୍ତି, ଅଧୀପ କୁମାର ଜେନା, ପ୍ରସନ୍ନଜିତ ଆଶ୍, ସମରେଶ ମଣ୍ଡଳ, କହ୍ନେଇ ଚରଣ ପ୍ରଧାନ, ବିନାୟକ ମହାପାତ୍ର, ସୋମନାଥ ସାହୁ,ଲୋକନାଥ ପିରି ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କ ପ୍ରତି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାର ସାମ୍ବାଦିକଙ୍କୁ ମିଳୁଥିବା ସୁବିଧା ସୁଯୋଗ ଅତ୍ୟନ୍ତ ନଗଣ୍ୟ ବୋଲି ସେମାନେ କହିଥିଲେ । ସାମ୍ବାଦିକଙ୍କ ନ୍ୟାଯ୍ୟ ଦାବି ପ୍ରତି ସରକାରଙ୍କ ଅବହେଳାର ଏହା ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଅଟେ । ଓୟୁଜେ ପକ୍ଷରୁ ଶ୍ରମିକ ଦିବସକୁ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ଭାବେ ପାଳିତ ହେଉଥିବା ସେମାନେ କହିଥିଲେ । ଏହି ଅବସରରେ ସାମ୍ବାଦିକଙ୍କ ପାଇଁ ପ୍ରଚଳିତ ବୀମା ରାଶିର ପରିମାଣକୁ ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ତୁରନ୍ତ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ପେନସନ ପ୍ରଦାନ, ଦୀର୍ଘ ଦିନ ଧରି ଅଚଳ ଥିବା ସାମ୍ବାଦିକ ଅଧିସ୍ୱୀକୃତି କମିଟିର ପୁନର୍ଗଠନ, ମହାରାଷ୍ଟ୍ର ଓ ଛତିଶଗଡ଼ ଢାଞ୍ଚାରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ପ୍ରଭୃତି ଦାବି ଉପସ୍ଥାପନ କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।


