ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ପ୍ରଶାସନ ତଥା ଶ୍ରମ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ସୋମବାର ପାଳିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଜୟ କୁମାର ପ୍ରଧାନ, ଶ୍ରମିକ ସଂଗଠନ ‘ସିଟୁ’ର ରାଜ୍ୟ ଉପ-ସଭାପତି ବିଜୟ କୁମାର ପାତ୍ର ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ଦିବସ ପାଳନର ଆଭିମୁଖ୍ୟ, ଶ୍ରମ ଆନ୍ଦୋଳନର ଇତିହାସ, ଶ୍ରମିକମାନଙ୍କ ସମସ୍ୟା, ଅଧିକାର, କର୍ତ୍ତବ୍ୟ, ସେମାନଙ୍କ ପାଇଁ କାର୍ଯ୍ୟକାରୀ ବିଭିନ୍ନ ଯୋଜନା, ଉଦ୍ଦିଷ୍ଟ ବିଭିନ୍ନ ସହାୟତା ତଥା ରାଷ୍ଟ୍ର ନିର୍ମାଣରେ ଶ୍ରମିକ ସମାଜର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜିଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ଏଥିରେ ପୌରୋହିତ୍ୱ କରିଥିଲେ । ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଅବସରରେ ବିଭିନ୍ନ ଯୋଜନାରେ ଜିଲାର ୧,୩୪୧ ଜଣ ହିତାଧିକାରୀଙ୍କୁ ମୋଟ ୧ କୋଟି ୮୬ଲକ୍ଷ ୫୭ହଜାର ୪ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏଥିମଧ୍ୟରେ ୧,୧୪୮ଜଣ ହିତାଧିକାରୀଙ୍କୁ ୬୦ଲକ୍ଷ ୩୨ହଜାର ୪ଶହ ଟଙ୍କାର ଶିକ୍ଷା ସହାୟତା, ୨୮ଜଣ ହିତାଧିକାରୀ ପରିବାରଙ୍କୁ ମୋଟ ୫ଲକ୍ଷ ୬୦ହଜାର ଟଙ୍କାର ମୃତ୍ୟୁକାଳୀନ ସହାୟତା, ୨୦ପରିବାରଙ୍କୁ ୧ ଲକ୍ଷ ଟଙ୍କାର ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ୫ଜଣ ହିତାଧିକାରୀଙ୍କୁ ୫୦ହଜାର ଟଙ୍କାର ପ୍ରସୂତୀକାଳୀନ ସହାୟତା ଏବଂ ୧୪୦ଜଣ ହିତାଧିକାରୀ ପରିବାରଙ୍କୁ ୬୮ଲକ୍ଷ ୭୫ହଜାର ଟଙ୍କାର କନ୍ୟା ବିବାହ ସହାୟତା ପ୍ରଦାନ କରାଯାଇଛି । ଏଥି ସହିତ ବହୁ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଜିଲା ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ ଦୀପ୍ତିରଞ୍ଜନ ସାହୁ, ଶ୍ରୀହରି ସୟନ ସାମଲ, ଯଶୋବନ୍ତ ଅମାତ ପ୍ରମୁଖଙ୍କ ସମେତ ରାଜେନ୍ଦ୍ର କୁମାର ସାହୁ, ରାଜୀବ ଯାଦବ, ଲଳିତା ବେହେରା, ସୁପ୍ରଭା ଟୁଡୁ, କୃଷ୍ଣଚନ୍ଦ୍ର ସ୍ୱାଇଁ, ଶୁଭମ ଦାସମହାପାତ୍ର, ସରୋଜିନୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


