ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତିରେ କେନ୍ଦ୍ରମନ୍ତ୍ରୀଙ୍କ ମାଲ୍ୟାର୍ପଣ
ଭୁବନେଶ୍ୱର, (ଯୁଗାଦ୍ଦ ନ୍ୟୁଜ) – ଡାକ୍ତର ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଜେପିର ବିଚାରଧାରା ଓ ରାଜନୈତିକ
ଆନ୍ଦୋଳନର ପ୍ରଣେତା ଥିଲେ । ତାଙ୍କ ନେତୃତ୍ୱରେ ଭାରତୀୟ ଜନସଂଘର ପ୍ରତିଷ୍ଠା ହୋଇଥିଲା, ଯାହା ପରବର୍ତୀ
ସମୟରେ ଭାରତୀୟ ଜନତା ପାର୍ଟି ଆକାରରେ ବଡ ବଟ ବୃକ୍ଷର ରୂପ ନେଇଛି । ଆଜି ଦେଶ ସେବାର ଦାୟିତ୍ୱ
ସେହି ବିଚାରଧାରାକୁ ମିଳିଛି ବୋଲି ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଡା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟତିଥି
ଅବସରରେ ରବିବାର ଭୁବନେଶ୍ୱର ସ୍ଥିତ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା
ଅବସରରେ ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତା ପରବର୍ତୀ ଅବସ୍ଥାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଶରେ ଏକ ବୈକଳ୍ପିକ ବ୍ୟବସ୍ଥାର ସ୍ୱପ୍ନ ଦେଖିଥିଲେ । କେବଳ ଗୋଟିଏ ଦେଶରେ ଦୁଇଟି ବିଧାନ ଓ ଦୁଇଟି ନିଶାନର କଥା ନଥିଲା, ମୂଳଭୁତ ଭାବେ ଦେଶର ଅର୍ଥନୀତି କେଉଁ ଭଳି ହେବ, ଦେଶର ବିକାଶ, ରାଷ୍ଟ୍ରୀୟ ସୁରକ୍ଷା, ସମାଜ ନୀତି କେଉଁ ଭଳି ହେବ ଓ ଆମୁଳ ଚୂଳ ବିକଳ୍ପ ରଖୁଥିବା ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


