ସକାରାତ୍ମକ ସୁଖୀ ଜୀବନର ମୂଳଦୁଆ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ସାଧରଣ ମନୁଷ୍ୟଙ୍କ କ୍ଷେତ୍ରରେ ଶରୀର ଓ ମନ ଉଭୟ ଉଭୟଙ୍କର ପରିପୂରକ। ଯଦି ଶରୀର ସୁସ୍ଥ ନ ରୁହେ ତେବେ ମନରେ ଉତ୍ତମ ବିଚାର ଆସିବ ନାହିଁ ଏବଂ ଯଦି ମନ ଠିକ୍ ନ ରୁହେ ତେବେ ଶରୀରରେ ମାନସିକ ବ୍ୟାଧି ସୃଷ୍ଟି ହେବ। ସାମ୍ପ୍ରତିକ ସମୟରେ ବାହ୍ୟଶକ୍ତି ଦ୍ଵାରା ଏ ଦେହରେ ଯେତେ ଵ୍ୟାଧିଉତ୍ପନ୍ନ ହୁଏ ନାହିଁ ତାଠାରୁ ଅଧିକ ମାନସିକ ଅବସାଦ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ଉପୁଜିଥାଏ। ତେଣୁ ମନକୁ ଶୋଧନ କରାଗଲେ ହିଁ ଆମେ ଅନେକ ରୋଗରୁ ମୁକ୍ତ ହୋଇପାରିବା। ଏହି ମନ କେବଳ ରୋଗ ଓ ନୀରୋଗର ସହାୟକ ହୋଇନଥାଏ! ଅପିତୁ ଏହା ବନ୍ଧନ ଏବଂ ମୋକ୍ଷର କାରଣ ବୋଲି ମଧ୍ୟ ବ୍ରହ୍ମବିନ୍ଦୁ ଉପନିଷଦରେ କୁହାଯାଇଛି:
” ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧମୋକ୍ଷୟୋଃ ।
ବନ୍ଧାୟ ବିଷୟାସକ୍ତଂ ମୁକ୍ତୈ ନିର୍ବିଷୟଂ ସ୍ମୃତମ୍।। ”
ଅର୍ଥାତ୍ ବିଷୟାସକ୍ତ ମନ ମନୁଷ୍ୟକୁ ବନ୍ଧନ ଦେଇଥାଏ ଏବଂ କାମନା, ବାସନା ଓ ସଂକଳ୍ପ ରହିତ ମନ ମନୁଷ୍ୟକୁ ମୁକ୍ତି ପ୍ରଦାନରେ ସହାୟକ ହୋଇଥାଏ। ସାଧାରଣତଃ ଏହି ମନର ଦୁଇଗୋଟି ସ୍ଵରୂପ ରହିଛି ଯଥା: ଶୁଦ୍ଧ ଓ ଅଶୁଦ୍ଧ ମନ। ଯେତେବେଳେ ମନ ତାମସିକ ଓ ରାଜସିକ ଗୁଣକୁ ଆଶ୍ରୟ କରିନିଏ ସେତେବେଳେ ଅଶୁଦ୍ଧ ହୋଇ ବିଭିନ୍ନ ପ୍ରକାରର କୁକର୍ମ ଆଚରଣ କରିଥାଏ, ଯା’ଫଳରେ ନକାରାତ୍ମକ ଭାବନାମାନ ସୃଷ୍ଚି ହୁଏ। ସେଭଳି ଯେତେବେଳେ ମନ ସାତ୍ତ୍ୱିକ ଗୁଣକୁ ଆଶ୍ରୟ କରିନିଏ ସେତେବେଳେ ଶୁଦ୍ଧ କର୍ମମାନ କରିବା ସକାଶେ ପ୍ରେରଣା ପାଇଥାଏ ଏବଂ ଶରୀରରେ ସକାରାତ୍ମକ ଉର୍ଜା ଜନ୍ମନିଏ। ଏଣୁ କୁହାଯାଇଛି:
ମନୋ ହି ଦ୍ଵିବିଧଂ ପ୍ରୋକ୍ତଂ ଶୁଦ୍ଧଂ ଚାଶୁଦ୍ଧମେବ ଚ।
ଅଶୁଦ୍ଧଂ କାମସଙ୍କଳ୍ପ° ଶୁଦ୍ଧଂ କାମ୍ବିବର୍ଜିତମ୍।।
ସାଧାରଣ ମନୁଷ୍ୟର ଜୀବନ ଯାତ୍ରା ଅତିବ ସଂଘର୍ଷମୟ। ଏହି ଯାତ୍ରାରେ ସୁଖ-ଦୁଃଖ, ଉତ୍ଥାନ-ପତନ ଏବଂ ସଫଳତା-ବିଫଳତା ଆଦି ଲାଗିରହିଛି। ତଥାପି ଏ ସବୁ ପରିସ୍ଥିତିରେ ଆମେ କିପରି ଏକ ସୁନ୍ଦର ଜୀବନ ଅତିବାହିତ କରିବା, ତାହା ଆମ “ମନୋଭାବ” ଉପରେ ନିର୍ଭର କରେ। କାରଣ ଉତ୍ତମ ମନୋଭାବର ପରିପ୍ରକାଶ ହିଁ ଏକ ସଫଳ ମାନବୀୟ ଜୀବନର ଲକ୍ଷ୍ୟ। ଏଥି ପାଇଁ ଆବଶ୍ୟକ ସକାରାତ୍ମକ ଚିନ୍ତନ। ଯାହା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ଵରେ ରୂପାନ୍ତରିତ କରିପାରେ। ଏହାଫଳରେ ମଣିଷ ଅସମ୍ଭାବନା ଭିତରେ ବି ସମ୍ଭାବନା ଦେଖିପାରେ। ସେ ସୁଖ ଓ ଦୁଃଖ ଉଭୟ ପରିସ୍ଥିତିରେ ବି ସ୍ଥିତପ୍ରଜ୍ଞର କାର୍ଯ୍ୟ ସମ୍ପାଦନ କରିବା ପାଇଁ ସକ୍ଷମ ହୋଇଥାଏ। ତେଣୁ ଏପରି ମାନସିକ ବ୍ଯକ୍ତିଙ୍କ ନିମନ୍ତେ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି:
ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ ।
ବୀତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ ।।
ଅର୍ଥାତ୍ ଯାହାର ମନ ଦୁଃଖରେ ବିଚଳିତ ହୁଏନାହିଁ କି ସୁଖ ପ୍ରତି ଲାଳାୟିତ ହୁଏ ନାହିଁ ଏବଂ ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ରହେ, ତାଙ୍କୁ ସ୍ଥିତପ୍ରଜ୍ଞ ମୁନୀ (ସକାରାତ୍ମକ ମନୁଷ୍ୟ) ବୋଲି କୁହାଯାଏ ।
ସକାରାତ୍ମକ ମନୋଭାବର ଅର୍ଥ ହେଉଛି ଯେ, ମନରେ ଆତ୍ମବିଶ୍ୱାସ ରଖିବା ଏଵଂ ତାସହ ପ୍ରତ୍ୟେକ ପରିସ୍ଥିତିରେ ସଞ୍ଜମତାର ସହ କାର୍ଯ୍ୟ କରିବା। ସମସ୍ୟା ଥିଲେ ବି ସମସ୍ୟାର ଊର୍ଦ୍ଧ୍ୱକୁ ଯାଇ ତାକୁ ଅତିକ୍ରମ କରିବା ପାଇଁ ସୁଦୃଢ଼ ବିଶ୍ୱାସ ରଖିବା। ଯେଉଁମାନେ ଏ ପ୍ରକାର ଚିନ୍ତନ କରି କାର୍ଯ୍ୟ କରିଥାଆନ୍ତି, ସେମାନେ ନିଜ ଭୁଲରୁ ଶିକ୍ଷା ଲାଭ କରନ୍ତି ଏବଂ ଭବିଷ୍ୟତରେ ଉତ୍ସାହର ସହ କାର୍ଯ୍ୟ କରିବା ପାଇଁ ପ୍ରେରଣା ମଧ୍ଯ ପାଇଥାନ୍ତି। ଏପରି ଭାବଧାରୀ ବ୍ୟକ୍ତିମାନଙ୍କ ମନରେ ଶାନ୍ତି ଓ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିଥାଏ। ପରନ୍ତୁ ଏହାର ବିପରୀତ ଧର୍ମୀ ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତି ବିଶେଷମାନେ ଚିନ୍ତା ଓ ବିଷାଦ ଆଡ଼କୁ ଚାଲି ଯାଇଥାନ୍ତି। ଯଦି ଆମେ ବିଷମ ପରିସ୍ଥିତିରେ ବି ଭଲ ଦିଗଟିକୁ ଦେଖିବାର ପ୍ରୟାସ କରିବା ତେବେ ମାନସିକ ଅବସାଦକୁ ଦୂରେଇ ଦେଇ ପାରିବା । ଯା’ଫଳାରେ ମସ୍ତିଷ୍କରେ ମାନସିକ ଚାପର ହରମୋନ୍ ନିର୍ଗତ ହେବନାହିଁ। ଯାହା ଶରୀର ଓ ସ୍ୱାସ୍ଥ୍ୟ ପାଇଁ ବି ହିତକାରକ। ସଫଳତାର ସୂତ୍ର ନିମନ୍ତେ ଇତିହାସର ଅନେକ ଉଦାହରଣ ମଧ୍ୟ ସାକ୍ଷୀ ରହିଛି। ଯେଉଁମାନଙ୍କର ଆତ୍ମବିଶ୍ୱାସ ରହିଛି ଯେ, ସେମାନେ ନିଶ୍ଚିତଭାବେ ଜୟ କରି ପାରିବେ ବୋଲି ଭାବନ୍ତି; ତେବେ ସେମାନଙ୍କର ହିଁ ବିଜୟ ହୋଇଥାଏ। କାରଣ ଏପରି ମନୋଭାବଧାରୀ ବ୍ୟକ୍ତିକୁ ଆତ୍ମବିଶ୍ୱାସ ବଳ ଯୋଗାଇ ଥାଏ। ସକାରାତ୍ମକ ଚିନ୍ତାଧାରାର ବ୍ୟକ୍ତିମାନେ ସର୍ବଦା ଅନ୍ୟ ଲୋକମାନଙ୍କୁ ଆକର୍ଷିତ କରିବା ସହ, ସେମାନେ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିଥାନ୍ତି । ଏପରି ଗୁଣ କୌଣସି ଜନ୍ମଜାତ ଗୁଣ ନୁହେଁ, ଏହା ଅଭ୍ୟାସ ଦ୍ୱାରା ହିଁ ବିକଶିତ ହୋଇଥାଏ।
ସକାରାତ୍ମକ ସାଧନାର କିଛି ଦିଗ ମଧ୍ୟ ରହିଛି ଯଥା: ନିଜ ବିଷୟରେ ଉତ୍ତମ ଚିନ୍ତନ କରିବା। ଆମେ ନିଜ ସହ କିପରି କଥା ହେଉ, ତାହା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ସର୍ବଦା “ମୋ ଦ୍ୱାରା ହେବନାହିଁ”!, “ମୁଁ ଅଭାଗାଟାଏ” ! ଏଭଳି କଥା କହି ଚାଲିବା, ତେବେ ମନ ସେପରି ହିଁ ବିଶ୍ୱାସ କରିବ। ଏହା ପରିବର୍ତ୍ତେ, “ମୁଁ ଚେଷ୍ଟା କରିବି” ଏବଂ “ମୁଁ ଏଥିରୁ ଶିଖିବି” ତାସହ କୃତକାର୍ଯ୍ୟ ମଧ୍ୟ ହେବି ବୋଲି ଏଭଳି ମନକୁ କଥା କହିବା। ଏହା ଗୋଟିଏ ଦିନର କାମ ନୁହେଁ, ଏହା ଅଭ୍ୟାସର କାମ। ଆମ ପାଖରେ କ’ଣ ଅଭାବ ଅଛି, ତାହା ଦେଖିବା ପରିବର୍ତ୍ତେ ଆମ ପାଖରେ ଯାହା ଅଛି, ସେଥିପାଇଁ ଭଗବାନଙ୍କୁ କୃତଜ୍ଞତା ଜଣାଇବା। ସେ’ପରି ଦୈନିକ କୃତଜ୍ଞତା ଡାଏରୀ ଲେଖିବା ଦ୍ୱାରା ମନରେ ସକରାତ୍ମକତା ଭାବନା ବୃଦ୍ଧି ଘଟିଥାଏ। ଯା’ଫଳରେ ଆମ ପାଖରେ ଥିବା ଲୋକମାନେ ଆମର ଚିନ୍ତାଧାରା ଉପରେ ପ୍ରଭାବିତ ହୋଇଥାନ୍ତି। ଯେଉଁମାନେ ସର୍ବଦା ଅଭିଯୋଗ କରନ୍ତି ବା ନକାରାତ୍ମକ କଥା କହନ୍ତି, ସେମାନଙ୍କଠାରୁ ଦୂରେଇ ରହିବା ସହ ଉତ୍ସାହୀ ଓ ସକାରାତ୍ମକ ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବାକୁ ହେବ ଏଵଂ ବିଫଳତାକୁ ଅନ୍ତ ବୋଲି ନ ଭାବି, ତାକୁ ଏକ ଶିକ୍ଷା ବୋଲି ଧରିନେବାକୁ ପଡିବ। ପ୍ରତ୍ୟହ ନିୟମିତ ଭାବେ ଧ୍ୟାନ ଏବଂ ବ୍ୟାୟାମ କରିବା ଦ୍ୱାରା ମନ ଶାନ୍ତ ରହେ ଓ ନକାରାତ୍ମକତା ଦୂରେଇଯାଏ। ଏପରି ସକାରାତ୍ମକ ବ୍ୟକ୍ତି ସମାଜ ପାଇଁ ଏକ ଆଲୋକବର୍ତ୍ତିକା ସଦୃଶ। ଏମାନଙ୍କ ଜୀବନରେ ସର୍ଵଦା ଆନନ୍ଦ, ସନ୍ତୋଷ ଓ ସାହାସ ଭରି ରହିଥାଏ। ସବୁଠାରୁ ବଡ଼ କଥା ହେଉଛି, ଏମାନେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇଥାନ୍ତି।
ଜୀବନ ସର୍ବଦା ବ୍ଯକ୍ତିକୁ ପରୀକ୍ଷା କରିଥାଏ। କିନ୍ତୁ ନିଜର ସକାରାତ୍ମକ ମନୋଭାବ ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ମଣିଷ ନିଜ ଜୀବନର ଘଟଣାଗୁଡ଼ିକୁ ପରିବର୍ତ୍ତନ କରିପାରିବ ନାହିଁ, କିନ୍ତୁ ତାହା ପ୍ରତି ତା’ର ଦୃଷ୍ଟିକୋଣକୁ ନିଶ୍ଚିତ ଭାବେ, ସେ ବଦଳାଇ ପାରିବ। ଏପରି ମନ ହିଁ ସୁଖୀ ଜୀବନର ମୂଳଦୁଆ। ତେବେ, ଆସନ୍ତୁ ଆଜିଠାରୁ ପ୍ରତି କଷ୍ଟ ଭିତରେ ଆଶାର କିରଣ ଖୋଜିବା ଏବଂ ନିଜ ମନକୁ ସକାରାତ୍ମକତାରେ ଭରିଦେବା। କାରଣ ସକାରାତ୍ମକ ମନୋଭାବ ହେଉଛି, ଏ ଜୀବନ ଯାତ୍ରାରେ ସଫଳତା ଓ ଶାନ୍ତିର ଚାବିକାଠି ।
ଖମ୍ବେଶ୍ୱରୀ ପାଟଣା
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮


