ସଡକ ସୁରକ୍ଷା ଉପରେ ଗୁରୁତ୍ୱାରୋପ କଲେ ଜିଲ୍ଲାପାଳ
ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁରସ୍ଥିତ ନୂଆବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଅଣ୍ଡରପାସ ନିର୍ମାଣ ପାଇଁ ଜିଲ୍ଲାପାଳ ପୁର୍ବରୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏହି ବିଷୟରେ କୌଣସି ପଦକ୍ଷେପ ନିଆଯାଇନଥିବା ବୈଠକରେ ଆଲୋଚନା କରାଯାଇ ପୁଣିଥରେ ଏନଏଚଏଆଇର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିବାକୁ ଜିଲ୍ଲାପାଳ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ହଳଦିଆପଦର ନିକଟରେ ଫ୍ଲାଇ ଓଭର ନିର୍ମାଣ କରାଯିବା ପ୍ରସଙ୍ଗ , ହୁମ୍ମା ଶୁଖୁଆ ହାଟ ସମ୍ମୁଖ ଜାତୀୟ ରାଜପଥରେ ଅଣ୍ଡରପାସ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ଏନଏଚରେ ସିସି ଟିଭି ଲଗାଇବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବାରୁ ଗଞ୍ଜାମ ଏସିପି ବ୍ରିଜେସ ରଏ ଉଦବେଗ ପ୍ରକାଶ କରିବା ସହ ଏହା ଯଥାଶିଘ୍କଗ କାର୍ଯ୍ୟକାରୀ କରିବାକୁ ଏନଏଚଏଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଭଞ୍ଜନଗର ଉପଜିଲ୍ଲାପାଳ, ଆରଟିଓ ସଞ୍ଜୟ ବିଶ୍ୱାଳ, କମିଟି ସଦସ୍ୟ ଅନୀଲ ପାଢୀ, ବସନ୍ତ ମହାରଣା ପ୍ରମୁଖ ଯୋଗଦେଇଥିଲେ ।


