ସନ୍ତୁଳିତ ସମାଜ ହିଁ ସୁସ୍ଥ ସମାଜ ସଂକ୍ରାନ୍ତ ଆଲୋଚନା
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଗାନ୍ଧୀ ସ୍ମୃତି ଭବନଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ନାରୀମାନଙ୍କ ପ୍ରଗତି ପାଇଁ ନାରୀମାନଙ୍କୁ ଆଗକୁ ଆସିବାକୁ ହେବ ବୋଲି ବକ୍ତାମାନେ ମତ ରଖିଛନ୍ତି । ଏ ଦିବସରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ଭ୍ରୁଣ ହତ୍ୟା, ଘରୋଇ ହିଂସା ପ୍ରଭୃତିକୁ ଦୃଢ ଭାବେ ବନ୍ଦ କରିବା ଦିଗରେ ସଚେତନତା ସୃଷ୍ଟି ସହ ପଦକ୍ଷେପ ଗ୍ରହଣ ଉପରେ ଜୋର ଦେଇଥିଲେ । ସେ ରାଜ୍ୟ ସରକାର ମହିଳାମାନଙ୍କ ବିକାଶ ଦିଗରେ ଅନେକ ପଦକ୍ଷେପ ନେଇଥିବା କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ନାରୀମାନେ ସ୍ନେହ, କରୁଣା ଓ ଦୟା ତଥା କ୍ଷମାର ପ୍ରତୀକ । ଏମାନଙ୍କ ବିକାଶ ବିନା ସମାଜ କେବେ ବି ପ୍ରଗତି ପଥରେ ଅଗ୍ରସର ହୋଇପାରିବ ନାହିଁ ବୋଲି କହିଥିଲେ । ସେ ବାଲେଶ୍ୱର ଜିଲ୍ଲା ଆଇସିଡିଏସ୍ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ଘୋଷଣା କରି ଡିଏସଡବ୍ଲ୍ୟୁଓ ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିବାର ଅଛି ବୋଲି କହିଥିଲେ । ସଭାରେ ଅତିଥି ଭାବେ ଯୋଗ ଦେଇଥିବା ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ମମତା ମହାପାତ୍ର ଆନ୍ତର୍ଜାତିକ ମହିଳା ଦିବସର ପରିକଳ୍ପନା ଓ ଆଜିର ଅବସ୍ଥାର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ନାରୀମାନଙ୍କୁ ନିଜ ପ୍ରଗତି ପାଇଁ ଦାୟିତ୍ୱ ନେବା ଉପରେ ଜୋର ଦେଇଥିଲେ । ସେହିପରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ନିଆଲ ଆମ ସମାଜରେ ‘ଝିଅ ଜନମ ପର ଘରକୁ’ ଭଳି ରହିଥିବା ଭାବଧାରାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କହିବା ସହ ନାରୀମାନେ ଆଧୁନିକତାକୁ ଆପଣେଇ ପାରିଲେ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି ଭଳି ପ୍ରତିଟି କ୍ଷେତ୍ରରେ ସେମାନେ ପ୍ରଗତି କରିପାରିବେ ବୋଲି କହିଥିଲେ । ଅଧିବକ୍ତା ପ୍ରଭାକର ସାହୁ କେତେକ ଆଇନଗତ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରି ଏଣିକି ପିତାଙ୍କ ସମ୍ପତିରେ ମଧ୍ୟ କନ୍ୟାର ଅଧିକାରକୁ ଆମ ଆଇନ ବ୍ୟବସ୍ଥା ମାନ୍ୟତା ଦେଇଥିବା ସେ ବର୍ଣ୍ଣନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ସବିତା ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ କାର୍ଯ୍ୟରତ ବିଭିନ୍ନ ବ୍ଲକର ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରୁ ବହୁ ସଂଖ୍ୟାରେ ଅଙ୍ଗନୱାଡି କର୍ମୀମାନେ ଯୋଗ ଦେଇଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।