ସଫେଇ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ପୌର ପରିଷଦର ଜରୁରୀ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଗତ ଶୁକ୍ରବାର ଠାରୁ ଚାଲିଥିବା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବାଲେଶ୍ୱର ସହରରେ କୁଢ଼ କୁଢ ମଇଳା ଜମା ହେବାକୁ ଲାଗିଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ପୌର ପରିଷଦର ଏକ ଜରୁରୀ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ସଭାପତିତ୍ୱ କରିବା ସହ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସହରରେ ଦେଖାଦେଇଥିବା ଅଭାବନୀୟ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।ଏହାର ସ୍ଥାୟୀ ସମାଧାନ ନେଇ ସେ କାଉନସିଲରଙ୍କ ମାତମତ ଲୋଡ଼ିଥିଲେ । ସାଂସଦଙ୍କ ପ୍ରତନିଧି ଚିତରଞ୍ଜନ ପଣ୍ଡା, ସଦର ବିଧାୟକଙ୍କ ପ୍ରତିନିଧି ମନୋଜ ରାଉତଙ୍କ ସମେତ ପୌରପାଳିକାର ସମସ୍ତ କାଉନସିଲର, ପୌରପାଳିକା ପରିମଳ ଓ ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇ ସଫେଇ କର୍ମଚାରୀଙ୍କ ଆନ୍ଦୋଳନକୁ ଯୋଗୁଁ ସହରରେ ଉପୁଜିଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲ । ତେବେ ପୂର୍ବରୁ ସମ୍ମତି ଦେଇ ନିର୍ବାହୀ ଅଧିକାରୀ ତଥା ଉପ-ଜିଲ୍ଲାପାଳ ପୌର କାର୍ଯ୍ୟାଳୟକୁ ଆସି ମଧ୍ୟ ବୈଠକରେ ଯୋଗ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ କହିଥିଲେ । ବୈଠକର ଦୀର୍ଘ ସମୟର ଆଲୋଚନା ପରେ ପ୍ରତ୍ୟେକ ୱାର୍ଡ଼ରେ ୨ଜଣ ଲେଖାଏଁ ଅଧିକ ସଫେଇ କର୍ମଚାରୀ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି । ଏଥି ସହିତ ସହରର ସଫେଇ କାର୍ଯ୍ୟ ସମ୍ପାଦନ ପାଇଁ କଳା ତାଲିକାଭୁକ୍ତ ଠିକା ସଂସ୍ଥା ସହ ହୋଇଥିବା ଚୁକ୍ତି ବାତିଲ ନିମନ୍ତେ ବୈଠକରେ ଧାର୍ଯ୍ୟ ହୋଇଛି । ପୂର୍ବଭଳି ସଫେଇ କାର୍ଯ୍ୟ ପୌରପାଳିକା ପରିଚାଳନା କରିବା ପାଇଁ ସର୍ବସମ୍ମତ ନିଷ୍ପତି ନିଆଯାଇଥିବା ଶ୍ରୀମତୀ ସାହୁ କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ଦୁଇ ଦିନ ମଧ୍ୟରେ ସଫେଇ କର୍ମଚାରୀମାନଙ୍କ ସମସ୍ୟା ସମାଧାନ ହୋଇଯିବ ବୋଲି ବିଧାୟକଙ୍କ ପ୍ରତିନିଧି ଶ୍ରୀ ରାଉତ କହିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ବିଧାୟକ ଆଲୋଚନା କରିଥିବା ସେ ସୂଚନା ଦେଇଛନ୍ତି । ତେବେ ଶାସକ ଦଳର ଅନ୍ତଦ୍ୱର୍ନ୍ଦ୍ୱ ଓ ଅଫିସର ରାଜ ଯୋଗୁଁ ସହର ସମେତ ଜିଲାରେ ନାନାଦି ସମସ୍ୟା ଉପୁଜିଥିବା କହିଛନ୍ତି ସାଂସଦଙ୍କ ପ୍ରତିନିଧି ଶ୍ରୀ ପଣ୍ଡା । ପୌରପରିଷଦ ବୈଠକରେ ସିଦ୍ଧାନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ଏ ସମ୍ପର୍କରେ ସାଂସଦଙ୍କୁ ଅବଗତ ସହ ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ସେହିଭଳି ଦୁଇ ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ ନେଇ ଉଚିତ ପଦକ୍ଷେପ ନିଆ ନଗଲେ ବାଲେଶ୍ୱର ସହରରେ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ସହ ଅହୋରାତ୍ର ଧାରଣା ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଫେଇ କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ