ସଫେଇ କର୍ମଚାରୀଙ୍କ ଦାବି ପୂରଣ ନେଇ ଜିଲାପାଳଙ୍କ ପ୍ରତିଶ୍ରୁତି

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ଗତ ୧୨ ତାରିଖରୁ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଅଫିସ, ପୌରାଧ୍ୟକ୍ଷା, ପୌର ଉପାଧ୍ୟକ୍ଷ ଏବଂ ବିଧାୟକଙ୍କ ଘର ଆଗରେ ଧାରଣା ଦେବା ପରେ ସଫେଇ କର୍ମଚାରୀମାନେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ କରିଛନ୍ତି । ସେମାନଙ୍କ ସମସ୍ୟା ସମାଧାନ ସହ ସରକାରୀ ନିୟମ ଭିତ୍ତିରେ କାର୍ଯ୍ୟ କରିବା ଦାବିରେ ସେମାନେ ପୂର୍ବରୁ ଜିଲାପାଳଙ୍କୁ ଗୁହାରୀ କରିବାକୁ ଯାଇଥିଲେ । ମାତ୍ର ଦୁଇଘଣ୍ଟା ଧାରଣାରେ ବସିବା ପରେ ଜିଲାପାଳଙ୍କ ସାକ୍ଷାତ ନ ପାଇ ସେମାନେ ପଳାଇ ଯାଇଥିଲେ । ପୌର କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖୁଥିବା ସଫେଇ କର୍ମଚାରୀଙ୍କୁ ଏବେ ବାରଦ୍ୱାର ହେବାକୁ ପଡ଼ୁଛି ବୋଲି ସେମାନେ ଆରୋପ ଉଠାଇଛନ୍ତି । ସହରର ବର୍ଜ୍ୟବସ୍ତୁ ପରିଚାଳନାରେ ସରକାରୀ ନିୟମ ପାଳନ କରିବା ପରିବର୍ତ୍ତେ ପୌର କର୍ତ୍ତୃପକ୍ଷ ସେମାନଙ୍କୁ ଠକି ଚାଲିଥିବା ସଫେଇ କର୍ମଚାରୀ ନେତା ଲକ୍ଷ୍ମଣ ବେହେରା ଅଭିଯୋଗ ଉଠାଇଛନ୍ତି । ଜିଲାପାଳ ଯଦି ଉଚିତ ପଦକ୍ଷେପ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ବାଲେଶ୍ୱର ସହରରେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ସହ ଅହୋରାତ୍ର ଧାରଣା ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ଜିଲାପାଳ ସଂଧ୍ୟାରେ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ଏକାଧିକ ଦାବି ମଧ୍ୟରୁ ଜିଲାପାଳ କିଛି ପୂରଣ କରିଥିବା ସଫେଇ କର୍ମଚାରୀ ନେତା ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସଫେଇ କର୍ମଚାରୀମାନେ ଉଭୟ ଦିନ ଓ ରାତିରେ କାମ କରିବା ପରିବର୍ତ୍ତେ କେବଳ ଦିନରେ ୭ ଘଣ୍ଟା କାର୍ଯ୍ୟ ସାଙ୍ଗକୁ ୧ ଘଣ୍ଟା ବିଶ୍ରାମ ନେବେ, ୩୧ ଦିନିଆ ମାସରେ ଠିକାଦାର ୨୬ ଦିନ ବଦଳରେ ୨୭ ଦିନର ମଜୁରି ପ୍ରଦାନ କରିବ, ସରକାରୀ ଛୁଟିରେ କାର୍ଯ୍ୟ କଲେ ଦୁଇଗୁଣ ମଜୁରି ପ୍ରଦାନ ପାଇଁ ଜିଲାପାଳ ସମ୍ମତ୍ତି ଜଣାଇଛନ୍ତି । ତେବେ କଠିନ ବର୍ଜବସ୍ତୁ ପରିଚାଳନା ନିୟମ ଅନୁସାରେ ୭୫୦ ଜଣ ଜନସଂଖ୍ୟା ପାଇଁ ଜଣେ ସଫେଇ କର୍ମଚାରୀ ନିଯୁକ୍ତି ଦାବିକୁ ଜିଲାପାଳ ବର୍ତ୍ତମାନ ସ୍ଥଗିତ ରଖିଛନ୍ତି । ବାଲେଶ୍ୱର ଯେତେବେଳେ ପୌରପାଳିକାରୁ ମହାନଗର ନିଗମକୁ ପରିବର୍ତ୍ତନ ହେବ ସେତେବେଳ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସରକାରୀ ଅନୁମୋଦନ ପରେ ମଜୁରୀ ବୃଦ୍ଧି ବାବଦରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ସଫେଇ କର୍ମଚାରୀମାନେ ସୂଚନା ଦେଇଛନ୍ତି । ସେହିଭଳି ସମ୍ପ୍ରତି ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଅଣସଫେଇ କର୍ମଚାରୀଙ୍କ ବଦଳରେ ବୃତ୍ତିଗତ ସଫେଇ କର୍ମଚାରୀ ନିଯୁକ୍ତି ନେଇ ଜିଲାପାଳ ଠିକାଦାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ବିଭିନ୍ନ ଦାବି ପୂରଣ ବାବଦରେ ଜିଲାପାଳଙ୍କ ସହ ଆଲୋଚନା ଓ ପ୍ରତିଶ୍ରୁତି ପରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟରେ ଯୋଗଦାନ ପାଇଁ ଉପ-ଜିଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ଠିକାଦାରଙ୍କ ସହ ଆଲୋଚନାନ୍ତେ ଉପ-ଜିଲାପାଳ ସୂଚିତ କଲେ ମଙ୍ଗଳବାରରୁ ସେମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ସଫେଇ କର୍ମଚାରୀ ନେତା ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ