ମହିଳା ସଶକ୍ତିକରଣ ନାମରେ ସରକାରୀ ଅର୍ଥ ହରିଲୁଟ ଅଭିଯୋଗ
ବାଲେଶ୍ୱର, (ସରୋଜ ପଣ୍ଡା):ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଓ ଜୀବିକା ମିଶନ ଜରିଆରେ ଚାଲିଥିବା ନାରୀ ସଶକ୍ତିକରଣର ବାସ୍ତବତାକୁ ନେଇ ଏବେ ଉଠିଛି ପ୍ରଶ୍ନବାଚୀ । ପଞ୍ଜୀକୃତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉଦ୍ୟୋଗୀ ଭାବେ ଅବସ୍ଥାପିତ କରିବା ଓ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଦେଉଥିବା ଶହ ଶହ କୋଟି ଟଙ୍କା ସହାୟତା ରାଶିର ସିଂହ ଭାଗ ବିଭାଗୀୟ ଅଧିକାରୀଙ୍କ ପକେଟକୁ ଯାଉଥିବା ନେଇ ଆରୋପ ଉଠାଇଛନ୍ତି ବସ୍ତା ବ୍ଲକର ଏସଏଚଜି ମହିଳାମାନେ । ବାଲେଶ୍ୱରର କିଛି ସମାଜସେବୀ, ଶ୍ରମିକନେତା ଓ ଆଇନଜୀବୀଙ୍କ ସହଯୋଗରେ ଏସଏଚଜି କର୍ମକର୍ତ୍ତାମାନେ ସେମାବାର ଜିଲାପାଳଙ୍କୁ ସାକ୍ଷାତ ସହ ମହିଳା ସଶକ୍ତିକରଣ ପ୍ରକଳ୍ପ କାର୍ଯ୍ୟକାରିତାରେ ସରକାରୀ ବାବୁମାନେ କରୁଥିବା ଶୋଷଣ ସମ୍ପର୍କରେ ଅବଗତ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ବସ୍ତା ବ୍ଲକର ୩୧ ଗୋଟି ପଂଚାୟତରେ ପଞ୍ଜୀକୃତ ୩୨୨୮ ଗୋଟି ଗ୍ରୁପ ଏବେ ସକ୍ରିୟ ଥିବା ବେଳେ ବିଭିନ୍ନ ସାମଗ୍ରୀ ଉତ୍ପାଦନ ଓ ମାର୍କେଟିଂ ଜାରି ରଖିଛନ୍ତି । ମାତ୍ର ପଞ୍ଚାୟତଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ ପରିଚାଳନା କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ ନାମରେ ଅର୍ଥ ଲୁଟି ଚାଲିଛନ୍ତି । ବିଭିନ୍ନ ଯୋଜନାରେ ଆସୁଥିବା ସହାୟତାରୁ ୫୦ ପ୍ରତିଶତ ଅର୍ଥ ସେମାନେ ଦାବି କରୁଛନ୍ତି । ଯେଉଁ ଗୋଷ୍ଠୀର କର୍ମକର୍ତ୍ତାମାନେ ଧାର୍ଯ୍ୟ ଅର୍ଥ ଦେବାକୁ ଅମଙ୍ଗ ହେଉଛନ୍ତି ସେହି ଏସଏଚଜିକୁ ନିଷ୍କ୍ରିୟ କରି ଦିଆଯାଉଛି କିମ୍ବା ଅଭିଯୋଗକାରୀ ସଦସ୍ୟାଙ୍କୁ ଗୋଷ୍ଠୀରୁ ବିଦା କରି ଦିଆଯାଉଛି । ପ୍ରତିଟି ପ୍ରକଳ୍ପ କାର୍ଯ୍ୟରୁ ଅଧିକାରୀ ଅର୍ଥ ନେଇ ଚାଲିଛନ୍ତି ।ଏମିତିକି ଗତ ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ପାଇଁ ଏସଏଚଜିମାନେ ତିଆରି କରିଥିବା ଜାତୀୟ ପତାକା ବାବଦୀୟ ଅର୍ଥରୁ ବି ଅଧାଭାଗ ଅଧିକାରୀମାନେ ନେଇଛନ୍ତି ବୋଲି ମହିଳାମାନେ ଆରୋପ କରିଛନ୍ତି । ଏ ବାବଦରେ ମିଶନ ଶକ୍ତି ଓ ଜୀବିକା ମିଶନ ପ୍ରକଳ୍ପ ସଂଯୋଜକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।ଶେଷରେ ବିଭିନ୍ନ ଗଣ ସଂଗଠନ କର୍ମକତ୍ତାଙ୍କ ସହଯୋଗରେ ଜିଲାପାଳଙ୍କୁ ଆପତ୍ତି ଜଣାଇବାକୁ ଆସିଛନ୍ତି ବୋଲି ସେମାନେ ସୂଚନା ଦେଇଛନ୍ତି । ଏ ବାବଦରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ବାର ଆସୋସିଏସନ ସଭାପତି ମନୋଜ ନାୟକ, ସମାଜସେବୀ ଅନ୍ତର୍ଯ୍ୟାମୀ ପ୍ରଧାନ, ରଘୁନାଥ ଲେଙ୍କା ପ୍ରମୁ୍ଖଙ୍କ ସମେତ ଏସଏଚଜି ମହିଳାମାନେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଜିଲାପାଳଙ୍କ ପରାମର୍ଶ କ୍ରମେ ଏ ବାବଦରେ ଅତିରିକ୍ତ ଜିଲାପାଳଙ୍କ ସହ ଦୀର୍ଘ ସମୟ ଆଲୋଚନା କରାଯାଇଥିଲା ।


