ସମବାୟ ବ୍ୟାଙ୍କ ଏଜେଣ୍ଟଙ୍କ ଠାରୁ ୭୨ ହଜାର ୫ ଶହ ଲୁଟ୍‌: ୪ ଗିରଫ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ବନ୍ତ ଥାନା ଅଧିନ ବସନ୍ତିଆ ବଜାର ଠାରେ ଜଣେ ସମବାୟ ବ୍ୟାଙ୍କ ଏଜେଣ୍ଟଙ୍କ ଠାରୁ ଲୁଟେରା ମାନେ ୭୨ ହଜାର ୫ ଶହ ଟଙ୍କା ଲୁଟି ନେଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ପୋଲିସର ଜିମା ଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ୨ଟି ବାଇକ୍ ଜବତ୍ କରିଛି । ଗିରଫ ହୋଇଥିବା ଯୁବକ ମାନେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ବୋଲି ଜଣାଯାଇଛି । ଏନେଇ ପୋଲିସ କେସ ନଂ-୧୧୩/୨୦ ମୂଳେ ମାମଲା ରୁଜ୍ଜୁ କରି ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୋଗରୁ ପ୍ରକାଶ ଯେ, ବସନ୍ତିଆ ଗ୍ରାମର ସୁବାଷ ଚନ୍ଦ୍ର ମିଶ୍ର କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ହାଟଡିହୀ ଶାଖାର ଭାଗ୍ୟଲକ୍ଷ୍ମୀ ଡେଲି ଡିପୋଜିଟର ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି । ଶନିବାର ପୂର୍ବାହ୍ନ ସମୟରେ ସେ କଲେକ୍‌ସନ୍ ସାରି ବସନ୍ତିଆ ବଜାରସ୍ଥିତ ରମେଶ ପାଣିଗ୍ରାହୀଙ୍କ ପାନ ଦୋକାନ ସମ୍ମୁଖରେ ଠିଆ ହୋଇଥିଲୋ । କଲେକସନ୍ ହୋଇଥିବା ୭୨ ହଜାର ୫ ଶହ ଟଙ୍କା ବ୍ୟାଗ୍‌ଟି ତାଙ୍କ ମଟର ସାଇକେଲରେ ଟଙ୍ଗା ହୋଇଥିଲା । ଏହାରି ମଧ୍ୟରେ ଜଣେ ଅଜଣା ଯୁବକ ହଠାତ୍ ଆସି ତାଙ୍କୁ ଧକ୍କା ମାରି ଟଙ୍କା ବ୍ୟାଗଟିକୁ ଛଡାଇ ନେଇ ପାଖରେ ଠିଆ ହୋଇଥିବା ଓଡି-୦୭ଏ.ସି-୧୧୧୯ ନମ୍ବର ପଲସର ଗାଡି ଯାହାକି ଆଉ ଜଣେ ଯୁବକ ଷ୍ଟାର୍ଟ କରି ରଖିଥିଲେ  ସେଥିରେ ବସି ବନ୍ତ ଆଡକୁ ପଳାଇ ଯାଇଥିଲେ । ଆଉ ଏକ ଓଡି-୦୨-ଏ.କେ-୯୧୭୭ ପଲସର ଗାଡିରେ ୨ ଯୁବକ ସେମାନଙ୍କୁ ଅନୁସରଣ କରି ଦ୍ରୁତ ଗତିରେ ପଳାଇ ଯାଇଥିଲେ । ସେ ପାଟି କରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଫୋନ୍ କରି ଜଣାଇବା ସହିତ କିଛି ପିଲା ଦୁଇ ବାଇକ୍‌କୁ ପିଛା କରି ଥିଲେ ମଧ୍ୟ ଧରିବାରେ ବିଫଳ ହୋଇଥିଲେ । ୨ଟି ବାଇକ୍‌ରେ ଲୁଟେରା ମାନେ ଓରାଳି-ଶାଳନିଆଁ ରାସ୍ତାରେ ପଳାଇ ଯାଇଥିଲେ । ପରେ ୨ ଜଣ ଯୁବକଙ୍କୁ ଓଳମ ଗ୍ରାମର ଲୋକେ ଧରି ପୋଲିସର ଜିମା ଦେଇଥିଲେ । ସେହିପରି ଅନ୍ୟ ୨ ଜଣ ଲୁଟେରାଙ୍କୁ ମଞ୍ଜୁରୀରୋଡ ଫାଣ୍ଡି ଅଧିନ ସୋଲପରା ଠାରେ ସ୍ଥାନୀୟ ଲୋକେ ଧରିବାକୁ ସକ୍ଷମ ହୋଇଥିଲେ । ଏହି ଘଟଣାରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ