ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ ପାଇଁ କଂଗ୍ରେସ ସହ ମିଳିତ ହେଲେ ଅନ୍ୟଦଳର ନେତା

ବାଲେଶ୍ୱର, (ସରୋଜ ପଣ୍ଡା):୪ ଥରର ସାଂସଦ ତଥା କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଦୁଇବର୍ଷ ଜେଲ ଦଣ୍ଡ ସାଙ୍ଗକୁ ସାଂସଦ ପଦରୁ ବରଖାସ୍ତ ଓ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ଦିଆଯାଇଥିବା ନୋଟିସକୁ ନେଇ ଜିଲା କଂଗ୍ରେସ କମିଟି ପକ୍ଷରୁ ଦୃଢ଼ ସମାଲୋଚନା କରାଯାଇଛି । ଏ ସମ୍ପର୍କରେ ଜନମତକୁ ଶାଣିତ କରିବା ଉଦ୍ଦେଶ୍ୟ କଂଗ୍ରେସ ଜିଲା ସଭାପତି ସଂଜୀବ କୁମାର ଗିରିଙ୍କ ସଭାପତିତ୍ୱରେ ଏକ ସର୍ବଦଳୀୟ ବୈଠକ ସ୍ଥାନୀୟ କଂଗ୍ରେସ ଭବନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଜେପି ଓ ବିଜେଡିକୁ ବାଦ ଦେଇ ପ୍ରାୟ ଅନ୍ୟ ସମସ୍ତ ରାଜନୈତିକ ଦଳର ଜିଲାସ୍ତରୀୟ ନେତା ଏଥିରେ ଯୋଗ ଦେଇଥିଲେ । ବିଶେଷ କରି ସାମ୍ପ୍ରତିକ ପରସ୍ଥିତିରେ ଅସୁରକ୍ଷିତ ଅବସ୍ଥାକୁ ଚାଲି ଯାଉଥିବା ଦେଶର ସମ୍ବିଧାନ ଓ ଆଇନକୁ ଅପବ୍ୟବହାର କରି ରାଷ୍ଟ୍ରୀୟ ଶାନ୍ତି ଅଖଣ୍ଡତାକୁ ନଷ୍ଟ କରିବା ସହ ଗଣତନ୍ତ୍ରକୁ ହତ୍ୟା ପାଇଁ ବର୍ତ୍ତମାନର ଏକଛତ୍ରବାଦ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଥିବା ନେଇ ଏହି ବୈଠକରେ ବିଭିନ୍ନ ଦଳର ନେତାମାନେ ମତ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ ଆରମ୍ଭ କରିବା ପାଇଁ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଅହଙ୍କାରୀ ନୀତିରୁ ଦେଶର ଶ୍ରମିକ ଶ୍ରେଣୀ, କର୍ମଚାରୀ, ଛୋଟ ବ୍ୟବସାୟୀ, ଚାଷୀ, ଯୁବକ, ଛାତ୍ର ସମାଜ ହାହାକାର ଡାକୁଛନ୍ତି । ଯଦି କୌଣସି ରାଜନେତା, ସମାଜସେବୀ, ସ୍ୱେଚ୍ଛାସେବୀ, ସାମ୍ବାଦିକ ଦେଶବାସୀଙ୍କ ସପକ୍ଷରେ କଥା କହୁଛନ୍ତି ତାହେଲେ ଏହି ସରକାର ତାକୁ ଦମନ କରିବା ପାଇଁ ଦୁଇଟି ରାସ୍ତା ବ୍ୟବହାର କରୁଛି । ଗୋଟେ ରାସ୍ତା ହେଉଛି ଇଡି, ସିବିଆଇ ଭଳି ନିରପେକ୍ଷ ସଂସ୍ଥାକୁ ପ୍ରଭାବିତ କରି ତାଙ୍କୁ ମିଛ ମକଦମାରେ ଫସାଇ ଜେଲ ପଠାଉଛନ୍ତି । ଯେଉଁମାନେ ଡରୁଛନ୍ତି ଓ ନିଜର କୁକର୍ମ ବିଷୟରେ ସଚେତନ ଅଛନ୍ତି ସେମାନେ ବିଜେପିରେ ସାମିଲ ହେଇ ଯାଉଛନ୍ତି । ଆଉ ଯେଉଁମାନେ ଡରୁ ନାହାନ୍ତି ସେମାନେ ସାହାସର ସହ ଲଢ଼ୁଛନ୍ତି ବୋଲି ବୈଠକରେ ଉପସ୍ଥିତ ନେତାମାନେ ମତ ରଖିଥିଲେ । ସିପିଏମରୁ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା,ଶିଶିର ହୁଈ, ପ୍ରେମାନନ୍ଦ ପାତ୍ର, ସୀତାଂସୁ ସେନାପତି, ଦୀପ୍ତିମାନ ଆଚାର୍ଯ୍ୟ, ସିପି.ଆଇରୁ ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡା, ଆଶୁତୋଷ ପରିଡା, ବନ୍ଦନା ପାତ୍ର, ଶ୍ୟାମସୁନ୍ଦର ଜେନା, ନିରଞ୍ଜନ ବାରିକ ଓ କୈଳାସ ଚନ୍ଦ୍ର ପଣ୍ଡା, ଆମ ଆଦିମ ପାର୍ଟିରୁ ପ୍ରଦୀପ କୁମାର ସ ଓ ଜୟନ୍ତ କୁମାର ବେହେରା, ଟିଏମସିରୁ ନନ୍ଦନ ପାଲ, ସାଜନ ସାହା, ଫରୱାର୍ଡ଼ ବ୍ଲକରୁ ଲଷ୍ମୀଧର ଗିରି, କଂଗ୍ରେସରୁ ମହିଳା କଂଗ୍ରେସ ଜିଲା ସଭାପତି ପ୍ରଜ୍ଞା ପରମିତା ମହାନ୍ତି, କେକେସି ଜିଲା ଅଧ୍ୟକ୍ଷ ବିକାଶ କୁମାର ଦାସ, ଚାଷୀ ନେତା ଅରୁଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ