ଚାକିରି ଦେବା ନାଁ’ରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଠକେଇ

ବାଲେଶ୍ୱର, (ସରୋଜ ପଣ୍ଡା):୮୦ ହଜାରରୁ ଆରମ୍ଭ କରି ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ନେଇ ସରକାରୀ ଓ ଖ୍ୟାତନାମା କମ୍ପାନୀରେ ଚାକିରି କରାଇ ଦେବା ଆଳରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ଠକୁଥିବା ବାଲେଶ୍ୱରର ଏକ ରାକେଟକୁ ଠାବ କରିଛି ପୁଲିସ । ଏହି ରାକେଟର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସ୍ଥାନୀୟ ସହଦେବଖୁଣ୍ଟା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ସୁନ୍ଦରୀ ଗ୍ରାମର ରାମମାନସ ଦେବବ୍ରତ ମଲିକ, ଅଜିତ କୁମାର ପଣ୍ଡା ଓ ସମିତା ପଣ୍ଡା, ଟାଉନଥାନା ଅନ୍ତର୍ଗତ ଟୁଲଙ୍କସାହିର ସମ୍ବିତ କୁମାର ପଣ୍ଡା ଏବଂ ସିଂଲା ଥାନା ଅନ୍ତର୍ଗତ ସୁଶୀଲ କୁମାର ମହାନ୍ତି । ତେବେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ବି ଏସପି କିମ୍ବା ଅନ୍ୟ ପୁଲିସ ଅଧିକାରୀ ତା’ର ନାମ ପ୍ରକାଶ ପାଇଁ ଅମଙ୍ଗ ହୋଇଥିଲେ । ସେମାନଙ୍କ ଠାରୁ ନକଲି ନିଯୁକ୍ତି ପତ୍ର, ଆବେଦନ ଫର୍ମ, ନଗଦ ୩ ଲକ୍ଷ ୯ହଜାର ଟଙ୍କା, ୧୦ଲକ୍ଷ ୫୦ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ପୁଲିସ ଜବତ କରିଛି । ଏଥି ସହିତ ଅଭିଯୁକ୍ତମାନଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଜମା ଅର୍ଥ, ଘରଦ୍ୱାର ଓ ଅନ୍ୟାନ୍ୟ ସମ୍ପତ୍ତି ରେକର୍ଡ ପ୍ରଭୃତି ସିଜ କରାଯାଇଥିବା ଏସପି କହିଛନ୍ତି । ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ ଜମାଥିବା ୨୮ଲକ୍ଷ ଟଙ୍କା ଓ ପ୍ରାୟ ୮୦ ଲକ୍ଷ ମୂଲ୍ୟର ସମ୍ପତ୍ତି ଫ୍ରିଜ୍ କରାଯାଇଥିବା ଏସପି କହିଛନ୍ତି ।ତେବେ ଏହି ରାକେଟର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ସୁନ୍ଦରୀ ଗ୍ରାମର ସଞ୍ଜୀବ ପଣ୍ଡା ଏ ପର୍ଯ୍ୟନ୍ତ ଫେରାର ଥିବା ଏସପି କହିଛନ୍ତି । ଏସପି ଶ୍ରୀମତୀ ନାଥଙ୍କ ସୂଚନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ସୋସିଆଲ ମିଡିଆକୁ ବ୍ୟବହାର କରି ଚାକିରି ଅଶାୟୀଙ୍କୁ ଆକର୍ଷିତ କରିଥା’ନ୍ତି । ବାଲେଶ୍ୱର ଜିଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚାଲିଥିବା ପୋଷଣ ଯୋଜନାରେ ସହକାରୀ ଓ ଜିଲା ସଂଯୋଜକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜୁନିଅର ଆସିଷ୍ଟାଣ୍ଟ, ମୟୁରଭଞ୍ଜ ଜିଲାର ଜଙ୍ଗଲ ବିଭାଗ ଅଧୀନ କମ୍ୟୁନିଟି ସଂଗଠକ ପଦ, ଭାରତୀୟ ରେଳ ବିଭାଗରେ ବିଭିନ୍ନ ବର୍ଗର ପଦ ପଦବୀ ସାଙ୍ଗକୁ ଟାଟା ଷ୍ଟିଲ୍ କମ୍ପାନୀରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ଏହି ରାକେଟ ଆଶାୟୀଙ୍କଠାରୁ ଅର୍ଥ ନେଉଥିଲା । ଆଶାୟୀ ପ୍ରାର୍ଥୀଙ୍କଠାରୁ ୮୦ହଜାରରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରିଥା’ନ୍ତି ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ପଣ୍ଡା । ତାଙ୍କ ସର୍ତ୍ତରେ ରାଜି ହେବା ପରେ ଏହି ରାକେଟର ଅନ୍ୟ ସହଯୋଗୀଙ୍କୁ ନେଇ ଭୁବନେଶ୍ୱରରେ ସାର୍ଟିଫିକେଟ ଯାଞ୍ଚ ଓ ନକଲି ସାକ୍ଷାତକାର ଆୟୋଜନ କରାଯାଏ । ଏମିତିକି ପ୍ରାର୍ଥୀମାନଙ୍କର କୋଭିଡ ଟେଷ୍ଟ ବି କରାଯାଇଥାଏ । ପ୍ରାର୍ଥୀଙ୍କଠାରୁ ପ୍ରତି ପର୍ଯ୍ୟାୟରେ ଅର୍ଥ ନିଆଯାଇଥାଏ । ତେବେ ଏହି ଅର୍ଥ ଉଭୟ ଅଫଲାଇନ ଓ ଅନଲାଇନରେ ଗ୍ରହଣ କରାଯାଇଥାଏ ବୋଲି ଏସପି ଶ୍ରୀମତୀ ନାଥ ପ୍ରକାଶ କରିଛନ୍ତି । ସୂଚନା ଦେଇଛନ୍ତି । ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ଫର୍ମ ଏବଂ ନିଯୁକ୍ତି ପତ୍ରରେ ଜାଲ ସରକାରୀ ଷ୍ଟାମ୍ପ ଓ ଲୋଗୋ ବ୍ୟବହାର କରାଯାଇଥାଏ । ତେବେ ନିଯୁକ୍ତି ପତ୍ରକୁ ନେଇ ସମ୍ପୃକ୍ତ ବିଭାଗରେ ପହଞ୍ଚିବା ପରେ ତାହା ଜାଲ ବୋଲି ଜଣା ପଡ଼ିିଥାଏ ।ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପ୍ରାଥମିକ ଅନୁସନ୍ଧାନରୁ ଏହି ରାକେଟ ଶତଧିକ ଆଶାୟୀଙ୍କୁ ଠକିଥିବା ଜାଣିବାକୁ ପାଇଥିଲା । ଅଭିଯୁକ୍ତମାନେ ବିଭିନ୍ନ ଶତାଧିକ ଚାକିରି ଆଶାୟୀଙ୍କ ଠାରୁ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିବା ଜଣାପଡିଛି । ଏହି ଘଟଣାରେ ଲିଙ୍କ ବିଷୟରେ ଅନୁସନ୍ଧାନ ପାଇଁ ଦୁଇଟି ପୁଲିସ ଟିମ୍ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଏସପି ଶ୍ରୀମତୀ ନାଥ କହିଛନ୍ତି । ସିଟି ଡିଏସପି ଗାୟତ୍ରୀ ପ୍ରଧାନ ଓ ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ